ଚନ୍ଦ୍ରବାବୁଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଭାଙ୍ଗିଲେ ଜଗନ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦେଶ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ‘ପ୍ରଜା ବେଦିକା’ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଜଗନ ମୋହନ ପ୍ରଜା ବେଦିକା ଭାଙ୍ଗିବାକୁ ଗତ ରବିବାର ଆଦେଶ ଦେଇଥିଲେ। ଏହା ପୂର୍ବରୁ ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଜଗନ ମୋହନ ଚନ୍ଦ୍ରବାବୁଙ୍କ ପରିବାରର ସୁରକ୍ଷା ହ୍ରାସ କରିବାକୁ ନିର୍ଦେଶ ଦେଇଥିଲେ।

ପୂର୍ବରୁ ଚନ୍ଦ୍ରବାବୁ ଜଗନ ମୋହନଙ୍କୁ ଚିଠି ଲେଖି ପ୍ରଜା ବେଦିକାକୁ ବିରୋଧୀ ଦଳ ନେତାଙ୍କ ସରକାରୀ ବାସଭବନ ରୂପେ ଘୋଷଣା କରିବାକୁ ଆବେଦନ କରିଥିଲେ। ଏହା ପରେ ଶନିବାର ସରକାର ପ୍ରଜା ବେଦିକାକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ଟିଡିପି ଏହାକୁ ରାଜ୍ୟ ସରକାରଙ୍କ ପ୍ରତିଶୋଧର କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲା। ରାଜ୍ୟରେ ଟିଡିପି ସରକାର ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଲାଗି ପ୍ରଜା ବେଦିକା ନିର୍ମାଣ କରିଥିଲା। ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାକୁ ଚନ୍ଦ୍ରବାବୁ ସରକାରୀ କାର୍ଯ୍ୟ ସହିତ ଦଳୀୟ ବୈଠକ ପାଇଁ ବ୍ୟବହାର କରୁଥିଲେ।

Comments are closed.