ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡି ସମନ

ମୁମ୍ବଇ:ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମର ପୂର୍ବତନ ସହଯୋଗୀ ଇକବାଲ ମିର୍ଚ୍ଚି ସମ୍ପର୍କିତ ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ମଙ୍ଗଳବାର ଏନସିପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ସମନ ଜାରି କରିଛି। ୧୯୯୩ ବିସ୍ଫୋରଣ ଅଭିଯୁକ୍ତ ଥିବା ମିର୍ଚ୍ଚିକୁ ଏକ ରିଅଲ ଇଷ୍ଟେଟ ମାଧ୍ୟମରେ ବେଆଇନ ଅର୍ଥ କାରବାରରେ ସହଯୋଗ କରିଥିବା ନେଇ ପଟେଲଙ୍କ ବିରୋଧରେ ଇଡି ତଦନ୍ତ ଚଳାଇଛି। ୨୦୦୫ରେ ମିର୍ଚ୍ଚିଙ୍କ ନାମରେ ଥିବା ମୁମ୍ବଇସ୍ଥିତ ବିଜୟ ହାଉସର ପୁନଃନିର୍ମାଣ କାର୍ଯ୍ୟ ପଟେଲ କରାଇଥିବା ଅଭିଯୋଗ ରହିଛି। ନିଜ ପକ୍ଷ ସ୍ପଷ୍ଟ କରିବାକୁ ଯାଇ ପଟେଲ ଏକ ରାଲିରେ କହିଛନ୍ତି ଯେ ଏହି କାରବାର ଏବଂ ଗଣମାଧ୍ୟମ ନିକଟରେ ପ୍ରକାଶିତ ଦସ୍ତାବିଜରେ କୌଣସି ତ୍ରୁଟି ନାହିଁ। ଅନ୍ୟପଟେ ଉକ୍ତ ଅଟ୍ଟାଳିକାର ମାଲିକମାନଙ୍କ ମଧ୍ୟରେ ବିବାଦ ରହିଥିବାରୁ ତାହା ୧୯୭୮ରୁ ୨୦୦୫ ପର୍ଯ୍ୟନ୍ତ କୋର୍ଟ ରେଭେନ୍ୟୁ ନିକଟରେ ରହିଥିଲା। ସେତେବେଳେ ମିର୍ଚ୍ଚି ତାହାର ମାଲିକ ନ ଥିଲେ ବୋଲି ଏନସିପି ପକ୍ଷରୁ କୁହାଯାଇଛି।

Comments are closed.