ରାଜ୍ୟକୁ ନାହିଁ ବାତ୍ୟା ଆଶଙ୍କା, ଦୀପାବଳିରେ ରହିବ ପାଗ ଶୁଖିଲା: ପ୍ରଦୀପ ଜେନା

ଭୁବନେଶ୍ୱର: ଦୁଇ ଦିନର ଲଗାଣ ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହେବା ସହ ବର୍ଷାର ପରିମାଣ ଧୀରେଧୀରେ କମିଛି। ଦୀପାବଳି ବେଳକୁ ପାଗ ଶୁଖିଲା ରହିବ ଏବଂ ବାତ୍ୟା ହେବାର କୌଣସି ସମ୍ଭାବନା ନାହିଁ। ସେହିପରି କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନାହିଁ ଏବଂ ମତ୍ସ୍ୟଜୀବୀଙ୍କ ପାଇଁ କୌଣସି ସତର୍କ ସୂଚନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି ଯେ, ରାଜ୍ୟରେ ୮ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଭଦ୍ରକରେ ୧୫୨ମିମି, ପୁରୀରେ ୧୩୫ ମିମି, କଟକରେ ୧୩୦ ମିମି, ଯାଜପୁର ବିଞ୍ଝାରପୁରରେ ୨୩୯ ମିମି, ୩ଟି ବ୍ଲକରେ ୩୦୦ମିମିରୁ ଅଧିକ ବର୍ଷା ହୋଇଛି ବୋଲି ରେକର୍ଡ଼ କରାଯାଇଛି। ସେହିପରି ଗତ ୨ଦିନ ମଧ୍ୟରେ କେବଳ ଭୁବନେଶ୍ୱରରେ ୨୫୩ମିମି ବର୍ଷା ରେକର୍ଡ଼ କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ର ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏପରିକି ଆସନ୍ତା ୨୮ ତାରିଖରେ ବାତ୍ୟା ହେବ ବୋଲି ସୋସିଆଲ ମିଡିଆରେ ଗୁଜବ ଭାଇରାଲ ହୋଇଥିଲା। ଯାହାକୁ ନେଇ ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ଥିଲେ।

Comments are closed.