ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଞ୍ଚକତା ଅଭିଯୋଗ

ଟିଟିଲାଗଡ଼ : ଏହି ବ୍ଲକର ଅନେକ ଚାଷୀ ଗତ ୨୦୧୭-୧୮ ଖରିଫରେ ମରୁଡି ନେଇ ପ୍ରଧାନମନ୍ତ୍ରୀ ଫସଲ ବିମା ସହାୟତା ରାଶି ଅଦ୍ୟାବଧି ପାଇନାହାନ୍ତି । ଏନେଇ ଟିଟିଲାଗଡ ଉପ-ଜିଲାପାଳ, ରାଜ୍ୟ ସମବାୟ ସଚିବ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ତଥା ରାଷ୍ଟ୍ରପତିଙ୍କ ଠାରେ ମଧ୍ୟ ଲିଖିତ ନିବେଦନ କରିସାରିଛନ୍ତି। ସମ୍ପ୍ରତି ଚାଷୀ ବୀମା ଲୋକପାଳଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । କତରକେଲା ଗ୍ରାମ ପଂଚାୟତ ଅନ୍ତର୍ଗତ ଲଇତରା, କୁମୁଡିପଦର ଏବଂ ପେଣ୍ଡ୍ରାପଦର ଗ୍ରାମର କେତେକ ଚାଷୀ କିଛି ପରିମାଣରେ ବୀମା ରାଶି ପାଇଛନ୍ତି। ଏ ସମ୍ପର୍କରେ ଚୋଲା ଏମଏସ କମ୍ପାନୀର ଆଂଚଳିକ ପ୍ରବନ୍ଧକଙ୍କୁ ଯୋଗାଯୋଗ କଲେ ସେ ଚାଷୀଙ୍କୁ ଅଜବ ଉତ୍ତର ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଉପଗ୍ରହ ଚିତ୍ରରେ କତରକେଲା ଗ୍ରାମଟି ସିହିନି ଗ୍ରାମପଂଚାୟତରେ ରହିଥିବା ପ୍ରଦର୍ଶିତ ହୋଇଥିବାରୁ ଚାଷୀମ଼ାନେ ବୀମା ରାଶିରୁ ବଂଚିତ ହୋଇଥିବା ବୀମା କମ୍ପାନୀ ପ୍ରବନ୍ଧକ କହୁଥିବା ଜଣାଯାଇଛି । ସିହିନି ପଂଚାୟତ ଅନ୍ତର୍ଗତ କେହି ଚାଷୀ ୨୦୧୭ର ଖରିଫ ବିମା ରାଶି ସହାୟତା ପାଇନଥିବା ବାରମ୍ବାର ପ୍ରଶାସନ ନିକଟରେ ସେମାନେ ଅଭିଯୋଗ କରିଆସୁଛନ୍ତି ହେଲେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଚାଷୀ କୂଳକୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଗ୍ରାମର ପ୍ରାୟ ୩୫୦ଜଣ ଚାଷୀ ଏଭଳି ଚଞ୍ଚକତାର ଶିକାର ହୋଇଥିବା ସୂଚନା ମିଳିଛି । ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଚାଷୀ ସମସ୍ୟା ସମାଧାନ କରିବା ପାଇଁ ଦାବି ହୋଇଛି।

Comments are closed.