ଶିକାର ଖୋଜୁଥିଲେ ବିଧାୟକଙ୍କ ଭାଇ: ୬ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା, ଗୁମୁର ଖୋଲିଲେ ସରପଞ୍ଚ

ଦ୍ବିତୀୟ ଦିନରେ ନିଯୁକ୍ତି ଜାଲିଆତି ତଦନ୍ତ

ବ୍ରହ୍ମପୁର:ଟାଟାରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗର ଦ୍ବିତୀୟ ପର୍ୟ୍ୟାୟ ତଦନ୍ତର ଶନିବାର ଥିଲା ଦ୍ବିତୀୟ ଦିନ। ଜଣେ ଡିଏସ୍‌ପିଙ୍କୁ ନେଇ ଗଠିତ କ୍ରାଇମ ବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ଶନିବାର ୬ଜଣଙ୍କୁ ଜେରା କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବୋରିଗାଁ ସରପଞ୍ଚ ବସନ୍ତ ସାହୁ ଏବଂ ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁ। ଉଭୟଙ୍କୁ ଶୁକ୍ରବାର ପରେ ଶନିବାର ଦ୍ବିତୀୟ ଥର ପାଇଁ ଜେରା କରାଯାଇଛି। ବସନ୍ତଙ୍କୁ କିଛି ସମୟ ଜେରା ପରେ ଛାଡ଼ି ଦିଆଯାଇଥିଲା। ହେଲେ କମ୍ବୁପାଣିଙ୍କୁ ଦିନ ତମାମ୍‌ ଜେରା ପରେ ସନ୍ଧ୍ୟାରେ ଛଡ଼ା ଯାଇଛି। ବ୍ରହ୍ମପୁର ଡିଆଇଜି ଏବଂ ଏସ୍‌ପିଙ୍କ କାର୍ୟ୍ୟାଳୟ ପରିସରରେ ପୃଥକ ଭାବେ ଚାଲିଥିବା ଜେରାରେ ଆଉ ୪ଜଣଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିବା ବେଳେ ଅନ୍ୟ ଦୁଇଜଣ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ତେବେ ତଦନ୍ତ ଚାଲିଥିବା ଯୋଗୁ ସ୍ଥାନୀୟ ପୁଲିସ କିମ୍ବା କ୍ରାଇମ୍‌ବ୍ରାଞ୍ଚ ତରଫରୁ କୌଣସି ପ୍ରକାର ସ୍ପଷ୍ଟ ସୂଚନା ଦିଆଯାଉନାହିଁ।

ଶନିବାର ଦିନ ତମାମ୍‌ ତଦନ୍ତକୁ ନେଇ ଉଭୟ କାର୍ୟ୍ୟାଳୟ ପରିସର ଚଳଚଞ୍ଚଳ ହୋଇପଡ଼ିଥିଲା। ବିଧାୟକ ପ୍ରଦୀପଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇଛି। ଟାଟାରେ ଚାକିରି କରାଇଦେବା ପାଇଁ ନିରୀହ ଯୁବକ ଯୁବତୀଙ୍କୁ କିଭଳି ଦିଲ୍ଲୀପ ଖୋଜୁଥିଲେ ସେନେଇ ତଦନ୍ତ ଆଗକୁ ବଢ଼ିଛି।
ଜେରାର ସମ୍ମୁଖିନ ହେବା ପରେ ବୋରିଗାଁ ସରପଞ୍ଚ ବସନ୍ତ ଗଣମାଧ୍ୟମକୁ କହିଛନ୍ତି ଯେ, ବିଧାୟକ ପ୍ରଦୀପଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ତାଙ୍କୁ ପ୍ରାୟ ଦୁଇ ମାସ ପୂର୍ବେ ଯୋଗାଯୋଗ କରିଥିଲେ। ତାଙ୍କ ପୁତୁରା ଏମ୍‌ବିଏ ପଢ଼ା ଶେଷ କରିବା ପରେ ଚାକିରି ସନ୍ଧାନରେ ଥିଲେ। ଟାଟାରେ ଚାକିରି କରାଇଦେବା ପାଇଁ ଦିଲ୍ଲୀପ ତାଙ୍କୁ ବାୟୋଡାଟା ମାଗିଥିଲେ। ପୁତୁରା ଇ-ମେଲ୍‌ରେ ଦିଲ୍ଲୀପଙ୍କ ପାଖକୁ ବାୟୋଡାଟା ପଠାଇଥିଲେ। କିନ୍ତୁ ପରେ ଆଉ କୌଣସି ପ୍ରକାର ଯୋଗାଯୋଗ ହୋଇନାହିଁ ବୋଲି ବସନ୍ତ କହିଛନ୍ତି। ଏନେଇ ସେ ସମସ୍ତ ପ୍ରକାର ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ପ୍ରଦାନ କରିଛନ୍ତି। ଜେରା ବେଳେ କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମାନେ ତାଙ୍କୁ ଚାକିରି ପାଇଁ ଟଙ୍କା ଦେଣନେଣ ବିଷୟରେ ପ୍ରଶ୍ନ କରିଥିଲେ। ହେଲେ ସେ କାହାରିକୁ ଟଙ୍କା ଦେଇନାହାନ୍ତି ବୋଲି କ୍ରାଇମ୍‌ବ୍ରାଞ୍ଚକୁ କହିଛନ୍ତି ବୋଲି ବସନ୍ତ ପ୍ରକାଶ କରିଛନ୍ତି ।

ସେହିଭଳି ବିଧାୟକ ପ୍ରଦୀପଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ କମ୍ବୁପାଣିଙ୍କୁ ମଧ୍ୟ ଦିନ ତମାମ୍‌ ଜେରା କରାଯାଇଛି। ସେ ପ୍ରଦୀପଙ୍କୁ କାହିଁକି ୨୦ ଲକ୍ଷ ଟଙ୍କା ଦେଇଥିଲେ, ଟଙ୍କା କୁଆଡ଼ୁ ଆସିଥିଲା, ପ୍ରଦୀପ ଏବଂ ତାଙ୍କ ମଧ୍ୟରେ କିଭଳି ଆର୍ଥିକ ସଂପର୍କ ରହିଛି ଆଦି ଦିଗକୁ ନେଇ କ୍ରାଇମ୍‌ବ୍ରାଞ୍ଚ କମ୍ବୁପାଣିଙ୍କୁ ଜେରା କରିଛି। ଅପରପକ୍ଷେ ଠକେଇର ଶିକାର ହୋଇଥିବା ଦୁଇଜଣଙ୍କ ଠାରୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଛି। କିଏ ଏବଂ କେବେ ସେମାନଙ୍କୁ ଟାଟାରେ ନିଯୁକ୍ତି ପାଇଁ ଯୋଗାଯୋଗ କରିଥିଲେ, କେତେ ଟଙ୍କା ଦିଆଯାଇଥିଲା, କାହା ଜରିଆରେ ଦିଆଯାଇଥିଲା ଆଦି ଜେରା ବେଳେ ପଚରା ଯାଇଥିଲା।

ନିଯୁକ୍ତି ନା’ରେ ଭାଇଙ୍କ ସଂପୃକ୍ତି ନେଇ ଅଭିଯୋଗ ହେବା ପରେ ବିଧାୟକ ପ୍ରଦୀପଙ୍କ ଅଡ଼ୁଆ ବଢ଼ିବାର ସମ୍ଭାବନା ରହିଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଠକେଇର ଶିକାର ହୋଇଥିବା କିଛି ଯୁବକ ନିଜ ଅଞ୍ଚଳର ଥାନା ଜରିଆରେ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ଏବଂ କ୍ରାଇମ୍‌ବ୍ରାଞ୍ଚ ଏସବୁ ଅଭିଯୋଗଗୁଡ଼ିକର ଏକକାଳୀନ ତଦନ୍ତ କରିବ। ଆଗାମୀ ଦିନରେ ଆହୁରି ଅନେକ ଅଭିଯୋଗ ଦାଖଲ ହେବାର ସମ୍ଭାବନା ରହିଛି।

Comments are closed.