ବଦଳିଲା ପ୍ରଦୀପଙ୍କ ଠିକଣା, ସରକାରୀ କ୍ବାର୍ଟର୍ସରୁ ଝାରପଡ଼ା ଜେଲ୍‌

ଭୁବନେଶ୍ବର, ୩ା୧୨ (ନି.ପ୍ର): ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠିକଣା ବଦଳିଛି। ୟୁନିଟ୍‌ ୬ କ୍ବାର୍ଟର୍ସରୁ ​‌​‌ସେ ଯାଇଛନ୍ତି ଝାରପଡ଼ା ଜେଲ୍‌। ଗୁରୁବାର ଦିନ ବେଳା ଗଣମାଧ୍ୟମରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ନେଇ ସେ ବିବୃତ୍ତି ରଖିଥିଲେ। ତେବେ ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଭାବୀ ଜ୍ବାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଭଳି ସଙ୍ଗୀନ ଅଭିଯୋଗରେ ଉଠାଇ ନେଇ ଗିରଫ କରିବା ପରେ କୋର୍ଟରେ ତାଙ୍କ ଜାମିନ ଖାରଜ୍‌ ହୋଇଯାଇଥିଲା। ଦିନରେ ନିଜ ସରକାରୀ ବାସଭବନରେ ଥିବା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ରାତିରେ ଠିକଣା ବଦଳିଯାଇଥିଲା।

କୋର୍ଟରେ ବ୍ୟାପକ ସୁରକ୍ଷା
ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ କୋର୍ଟ ବାହାରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା। ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧି ବାହାରେ ଭିଡ଼ ଜମାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କୋର୍ଟ ବାହାରେ ପୁଲିସ ପହରା ଦେଇଥିବା ଦେଖିବାକୁ ମିଳିଥିଲା।

ରିମାଣ୍ଡ ନେଇ ହୋଇନି ନିଷ୍ପତ୍ତି
ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇନି। ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ କି ନାହିଁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନଥିବା ଜଣାପଡ଼ିଛି।

ପୃଥକ୍‌ ସେଲ୍‌ରେ ରହି‌ଲେ
କୋଭିଡ ଯୋଗୁଁ ଜେଲ୍‌କୁ ଯାଉଥିବା ନୂତନ କଏଦୀଙ୍କୁ ପୃଥକ୍‌ ସେଲ୍‌ରେ ରଖାଯାଉଛି। ଏହି ପୃଥକ୍‌ କୋଠରୀରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ମଧ୍ୟ ରଖାଯାଇଛି। ଜେଲ୍‌ରେ ଥିବା ଦୁଇ ସେଲ୍‌ରେ ପୂର୍ବରୁ ଭିଜିଲାନ୍ସ ଦ୍ବାରା ଗିରଫ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ରହୁଛନ୍ତି। ବିଧାୟକ ପ୍ରଦୀପଙ୍କୁ ଏହି ଦୁଇ ସେଲ୍‌ ମଧ୍ୟରୁ ଗୋଟିଏ ସେଲ୍‌ରେ ରଖାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କୁ ଜେଲ୍‌ରେ ସମସ୍ତପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ।

ଖାଦ୍ୟ ଗ୍ରହଣ କଲେନି
ଜେଲ୍‌ ମାନୁଆଲ ଅନୁସାରେ ପ୍ରଦୀପଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ କର୍ତ୍ତୃପକ୍ଷ ତାଙ୍କୁ ରାତ୍ରି ଖାଦ୍ୟରେ ରୁଟି, ସନ୍ତୁଳା ଦେଇଥିଲେ। ହେଲେ ସେ ତାହା ଗ୍ରହଣ କରିନଥିଲେ। ବରଂ ମନ ଦୁଃଖରେ ଜେଲ୍‌ର ଆଇସୋଲେସନ ୱାର୍ଡରେ ରହିଥିଲେ।

‘ଯାହା କହୁଥିଲି ସେୟା ହେଲା’
କୋର୍ଟରେ ହାଜର ହେବାବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହିଥିଲେ ‘ଯାହା କହୁଥିଲି ସେୟା ହେଲା।’ ତେବେ ଜାମିନ ଖାରଜ ହେବା ପରେ ଜେଲ୍‌ ଯିବା ସମୟରେ ସେ ପ୍ରତିକ୍ରିୟା ଦେଇପାରି ନଥିଲେ। କଡ଼ା ସୁରକ୍ଷା ବଳୟରେ ଥିବାରୁ ପ୍ରତିକ୍ରିୟା ଦେବାକୁ ପୁଲିସ ସୁଯୋଗ ଦେଇ ନଥିଲା।

‘ହୋଇଛି ଷଡ଼ଯନ୍ତ୍ର’
ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କୋର୍ଟ ନିକଟରେ ଗଣମାଧ୍ୟମରେ ବିବୃତ୍ତି ଦେଇ କହିଥିଲେ, ବିରାଟ ଷଡ଼ଯନ୍ତ୍ର କରାଯାଇଛି। ଆମ ବିରୋଧରେ ଅନ୍ୟାୟ ହୋଇଛି। ସ୍ବାମୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି ବୋଲି ସେ କହିଥିଲେ। ସୁଜାତାଙ୍କ ସହ ତାଙ୍କ ଭାଇ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ।

Comments are closed.