ପ୍ରଦୀପଙ୍କ ଇଙ୍ଗିତରେ ଆକାଶ ଚଳାଇଥିଲା ସାମ୍ରାଜ୍ୟ

ଖୋଳତାଡ଼ କରୁଛନ୍ତି ୪ ତଦନ୍ତକାରୀ ସଂସ୍ଥା

ଭୁବନେଶ୍ବର : ଆୟବହିର୍ଭୂତ ଓ ଦୁର୍ନୀତି ମାମଲାରେ ଆଇଏଫ୍ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ପ୍ରଥମେ ଭିଜିଲାନ୍ସ ଗିରଫ କରିଥିଲା। ନିଯୁକ୍ତି ଜାଲିଆତି ଓ ଠକେଇ ମାମଲାରେ ଛନ୍ଦି ହୋଇପଡିଥିବା ଆକାଶଙ୍କ ବିରୋଧରେ ଏବେ ସବୁଠାରୁ ଅଧିକ ମାମଲା ରୁଜୁ ହୋଇଛି। ଆକାଶଙ୍କ ବିରୋଧରେ ଏପର୍ୟ୍ୟନ୍ତ ୪ଟି ମାମଲା ରୁଜୁ ହୋଇସାରିଲାଣି। ଭିଜିଲାନ୍ସ ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତିର ଦୁରୁପଯୋଗ କରିବା ଭଳି ମାମଲା ରୁଜୁ କରି ତାଙ୍କୁ ଗିରଫ କରିବାର ୬ ମାସ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଟାଟା ମୋଟର୍ସ ପକ୍ଷରୁ ଆକାଶଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଏବେ ତତ୍ପର ହୋଇପଡିଛି। ଆକାଶଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡ଼ି) ପକ୍ଷରୁ ବେନାମୀ ସମ୍ପତ୍ତି କାରବାର ନେଇ ଏକ ମାମଲା ରୁଜୁ କରିଥିବା ବେଳେ କମିସନରେଟ୍‌ର ଖାରବେଳନଗର ଥାନା ପୁଲିସ ଏକ ଠକେଇ ଓ ଧମକ ମାମଲା ରୁଜୁ କରିଛି।

୪ଟି ମାମଲାରୁ କେବଳ ଭିଜିଲାନ୍ସ ତାଙ୍କୁ ହେପାଜତରେ ନେଇ ଜେରା କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। କ୍ରାଇମ୍‌ବ୍ରାଞ୍ଚ ଓ ଖାରବେଳନଗର ଥାନା ପୁଲିସ ପରେ ଇଡି ତାଙ୍କୁ ହେପାଜତରେ ନେବ ବୋଲି ଜଣାପଡିଛି। ଭିଜିଲାନ୍ସ ପଛେ ପଛେ କ୍ରାଇମ୍‌ବ୍ରାଞ୍ଚ ପୁଣେ ଯାଇଥିଲା। ସେଠାରୁ ଆକାଶଙ୍କ ବ୍ୟକ୍ତିଗତ ସଚିବ ଡେଭିଡ୍‌ ପିଟରକୁ ଆଣି କ୍ରାଇମ୍‌ବ୍ରାଞ୍ଚ ଜେରା କରିବା ପରେ ଆକାଶଙ୍କ ଚିତାକଟା କାରନାମାର ଗୋଟିଏ ପରେ ଗୋଟିଏ ଗୁମର ଫିଟାଇବାରେ ଲାଗିଛି। ଗୋପାଳପୁର ବିଧାୟକ ପ୍ରଦୀପକୁମାର ପାଣିଗ୍ରାହୀଙ୍କ ଜାଣତରେ ଆକାଶ ଏସବୁ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଏବେ ସ୍ପଷ୍ଟ ହୋଇଛି। ଆକାଶଙ୍କ ବ୍ୟକ୍ତିଗତ ସଚିବ ଡେଭିଡ୍‌ ପିଟର କ୍ରାଇମ୍‌ବ୍ରାଞ୍ଚକୁ ଯେଉଁ ସବୁତଥ୍ୟ ଦେଇଛନ୍ତି ସେଥିରେ ସବୁକିଛି ଜଳଜଳ ହୋଇ ଦିଶୁଛି ବୋଲି କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।

ସୁଚିନ୍ତିତ ଢ଼ଙ୍ଗରେ ନିଯୁକ୍ତି ନାମରେ ଜାଲିଆତି ଓ ଠକେଇ ଚାଲିଥିଲା। ଆକାଶଙ୍କ ଏହି ବଡ଼ଧରଣର ଜାଲିଆତି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ ବିଧାୟକ ପ୍ରଦୀପ। ଯଦିଓ ସେ ସାମ୍‌ନାକୁ ଆସୁ ନ ଥିଲେ ତଥାପି ତାଙ୍କର ପ୍ରତିନିଧି ଭାବେ ବ୍ରହ୍ମପୁରର ସର୍ବେଶ୍ବର ରାଓ ସବୁକିଛି କରୁଥିଲେ। ଗଞ୍ଜାମ ଜିଲାର ଅଧିକାଂଶ ଚାକିରି ଆଶାୟୀଙ୍କ ନାମ ଓ ତାଲିକା ପଠାଯାଉଥିଲା। ପୁଣେର ୱାଟର୍ସ ଆପାର୍ଟମେଣ୍ଟରେ ଖୋଲାଯାଇଥିବା ନକଲି ଟାଟା ମୋଟର୍ସର କାର୍ଯ୍ୟାଳୟରୁ ଆସୁଥିଲା ଆଶାୟୀଙ୍କ ନିକଟକୁ ଇ-ମେଲ୍। ଟାଟା ମୋଟର୍ସର ଲୋଗୋ ଲାଗିଥିବା ଏହି ଇ-ମେଲ୍‌ରେ ଅନେକ ଆଶାୟୀଙ୍କୁ ମଧ୍ୟ ନିକଟରେ ଅଫର ଲେଟର ମିଳିଥିଲା। ଆଶାୟୀ ଗ୍ରାଜୁଏଟ୍‌ ଟ୍ରେନି (ଜିଟି) ଓ ମ୍ୟାନେଜମେଣ୍ଟ ଟ୍ରେନି (ଏମ୍‌ଟି)ଙ୍କୁ ପୁଣେ କାର୍ଯ୍ୟାଳୟରୁ ଜୁମ୍‌ ଆପ୍‌ ମାଧ୍ୟମରେ ସାକ୍ଷାତକାର ନିଆଯିବା ସହ ଟ୍ରେନିଂ ଆଦି ଦିଆଯାଇଥିଲା। ଏଭଳି ଗୁମର ଡେଭିଡ୍‌ ଖୋଲି ସାରିଥିବା ବେଳେ ବିଧାୟକଙ୍କର ସମ୍ପୃକ୍ତି ସହଜରେ ବୁଝି ହେଉଛି। ବିଧାୟକ ପ୍ରଦୀପ ଆକାଶଙ୍କୁ ଜ୍ବାଇଁ କରିବାକୁ ଏକ ପ୍ରକାର ମନସ୍ତ କରିଥିଲେ।

ପୂର୍ବରୁ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ବିଭାଗ ଉଚ୍ଚ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଗ୍ରାମ୍ୟ ଓ ଜଳଯୋଗାଣର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପ୍ରଦୀପ ପାଣିଗ୍ରାହୀ ଆକାଶଙ୍କର ଏଭଳି କାରନାମା ସମ୍ପର୍କରେ ଯେ ଅବଗତ ନ ଥିବେ ଏହା ସାଧାରଣରେ ବିଶ୍ବାସଯୋଗ୍ୟ ହେଉ ନାହିଁ ନାହିଁ ବୋଲି ଚର୍ଚ୍ଚା ଚାଲିଛି। ତାଙ୍କ ଇଙ୍ଗିତରେ ଆକାଶ ଏସବୁ କରୁଥିବା କ୍ରାଇମ୍‌ବ୍ରାଞ୍ଚର ଜଣେ ଅଧିକାରୀ ମତ ଦେଇଛନ୍ତି।
ଆକାଶ ଓ ପ୍ରଦୀପଙ୍କୁ ହେପାଜତକୁ ନେଇ ପଚରାଉଚରା କରାଗଲେ ଆଗକୁ ଆହୁରି କିଛି ରୋଚକ ତଥ୍ୟ ବି ସାମ୍‌ନାକୁ ଆସିବ ‌େ‌ବାଲି ସେ କହିଛନ୍ତି।

Comments are closed.