ଜୀବନ ଯୁଦ୍ଧରେ ହାରିଗଲେ ମହାରଥୀ

ହାରିନାହିଁ ମହାରଥୀ-ସରିନାହିଁ ରାଜନିତୀ, ଲକ୍ଷେ ଘୋଡାକୁ ଲକ୍ଷେ ହାତୀ- ଏକା ଲଢିବ ମହାରଥୀ

ପିପିଲି  : ବିଜୁ ଜନତା ଦଳର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ରାତିରେ ୬୫ ବର୍ଷ ବୟସରେ ପରଲୋକ ଘଟିଛି।
୧୯୫୫ ମସିହା ଜୁଲାଇ ୪ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ମହାରଥୀ ନିଜର ପ୍ରାଥମିକ ଶିକ୍ଷା ଭୁବନେଶ୍ୱରର ରାଜଭବନ ସ୍କୁଲରୁ ଆରମ୍ଭ କରିଥିଲେ। ପରେ ପିପିଲିର ପାଣିଦୋଳ ପ୍ରାଥମିକ ବିଦ୍ୟାଳୟ, ମାଧିପୁର ପ୍ରାଥମିକ ବିଦ୍ୟାଳୟ, ଦଶପଲ୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାଙ୍କି ବୀରେନ୍ଦ୍ର ବିଦ୍ୟାପୀଠ, ଭୁବନେଶ୍ୱରର ୬ନଂ ହାଇସ୍କୁଲ, ୧ନଂ ହାଇସ୍କୁଲ, ପୁରୀ ଜିଲ୍ଲା ସ୍କୁଲ ପରେ ପୁରୀ ଏସ୍‍ସିଏସ୍‍ କଲେଜରେ ପାଠ ପଢିଥିଲେ। ସେଠାରେ ସେ ଛାତ୍ର ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହ ଛାତ୍ର ସଂସଦର ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ୧୯୭୫ ମସିହାରେ ତାଙ୍କୁ ମିଶା ଆଇନ ବଳରେ ଗିରଫ କରାଯାଇଥିବାବେଳେ ଏଥିପାଇଁ ସେ ୧୭ମାସ ୧୪ଦିନ କାଳ ଜେଲରେ ରହିଥିଲେ। ପୁରୀ ଏସ୍‍ସିଏସ୍‍ କଲେଜର ଛାତ୍ର ରାଜନୀତିରୁ ବିଦାୟ ନେଇ ମହାରଥୀ ପିପିଲିର ରାଜନୀତିରେ ଯୋଗ ଦେଇଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ୧୯୮୪ ମସିହାରେ ପିପିଲି ପଞ୍ଚାୟତ ସମିତି ନିର୍ବାଚନରେ ହାରିଯିବା ପରେ ୧୯୮୫ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସର ଦୁର୍ଗ କୁହାଯାଉଥିବା ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥି ଭାବେ ବିଜୟୀ ହୋଇଥିଲେ। ୧୯୯୦ ମସିହାରେ ସେ ଦ୍ୱିତୀୟ ଥର ପାଇଁ ଏହି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ବିଜୟୀ ହୋଇ ବିଧାନସଭାର ଉପମୁଖ୍ୟ ସଚେତକ ପଦବୀରେ ରହିଥିଲେ। ୨୦୦୦ ମସିହାରୁ ବିଜୁ ଜନତା ଦଳର ପ୍ରାର୍ଥି ଭାବେ ସେ ଲଗାତର ଭାବେ ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ। ସେ ପିପିଲି ବିଧାନସଭା ଆସନରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ। ବିଧାନସଭାରେ ମୁଖ୍ୟ ସଚେତକ ପଦବୀ ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଦୁଇ ଥର କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ଏଥିସହ ସେ ପୁରୀ-ନିମାପଡା କୋଅପରେଟିଭ ବ୍ୟାଙ୍କର ସଭାପତି, ପୁରୀ କାର୍ଡ ବ୍ୟାଙ୍କର ସଭାପତି ଓ ମାର୍କଫେଡ୍‍ର ଚେୟାରମ୍ୟାନ ପଦରେ ରହିଥିଲେ। ନିଜକୁ ଚଷାପୁଅ ଭାବେ ଗର୍ବ କରୁଥିବା
ମହାରଥୀଏକାଧାରାରେ ଜଣେ ଜନପ୍ରିୟ ରାଜନେତା, ସୁସଂଗଠକ, ସଫଳଚାଷୀ, ପ୍ରକୃତିପ୍ରିୟ ମଣିଷ ଥିଲେ। ନିଜର ଯୁବସୁଲଭ ଗୁଣ ପାଇଁ ସେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ଜଣେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ନିଜକୁ ପ୍ରମାଣିତ କରିପାରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କେବଳ ପିପିଲି କାହିଁକି ସମଗ୍ର ରାଜ୍ୟବାସୀ ସ୍ତମ୍ଭିଭୂତ ହୋଇପଡିଛନ୍ତି। ସେ ଜଣେ ଅତ୍ୟନ୍ତ ସ୍ପଷ୍ଟବାଦୀ ନେତା ଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ବହୁମୂଲ୍ୟ ଦେବାକୁ ପଡିଥିଲା।
ତାଙ୍କ ଯାତ୍ରାପାର୍ଟି ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ବହୁଚର୍ଚ୍ଚିତ ନାଟକ ହାରିନାହିଁ ମହାରଥୀ-ସରିନାହିଁ ରାଜନିତୀ, ଲକ୍ଷେ ଘୋଡାକୁ ଲକ୍ଷେ ହାତୀ- ଏକା ଲଢିବ ମହାରଥୀ ଓ ଗୁଡମର୍ଣ୍ଣିଂ ଅଙ୍କଲ ସେତେବେଳେ ରାଜ୍ୟ ରାଜନିତୀକୁ ସରଗରମ କରିଥିଲା।
କରୋନା ମହାମାରୀ ସମୟରେ ମଧ୍ୟ ନିଜକୁ ସେ ବନ୍ୟା ଦୁର୍ଗତଙ୍କ ଉଦ୍ଧାର ଓ ରିଲିଫ୍‍ କାର୍ୟ୍ୟରେ ସାମିଲ ରଖିଥିଲେ। ଗତବନ୍ୟାରେ ୪ଦିନ କାଳ ଡଙ୍ଗାରେ ବୁଲି ବନ୍ୟା ବିପନ୍ନଙ୍କୁ ରିଲିଫ୍‍ ବାଣ୍ଟିବା ବେଳେ ସେ କରୋନା ସଂକ୍ରମିତ ହୋଇପଡିଥିବା କୁହାଯାଉଛି। ଏଥିପାଇଁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯଦିଓ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ଆସୁଥିଲା, ହଠାତ୍‍ ଗତ ଦୁଇଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ତାଙ୍କର ଆଶୁ ଆରୋଗ୍ୟ କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ଲାଗି ଚିକିତ୍ସା କରୁଥିବା ଡାକ୍ତରଙ୍କୁ କହିଥିଲେ।

Comments are closed.