ରାଜନୀତିରେ ଚର୍ଚ୍ଚିତ ଚେହେରା – ମହାରଥୀ

ପିପିଲି : ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହରାଥୀ ଆଉ ନାହାନ୍ତି। ଯାତ୍ରା ସୁଲଭ ରାଜନୈତିକ ସଂଳାପ ଜରିଆରେ ବିରୋଧୀଙ୍କ ତୁଣ୍ଡ ବନ୍ଦ କରି ଦେଉଥିବା ମହାରଥୀ ଆଜି ସବୁଦିନ ପାଇଁ ତୁନି ହୋଇଯାଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପିପିଲିର ଏହି ଅପ୍ରତିଦ୍ବନ୍ଦ୍ବୀ ନେତା। ମୃତ୍ୟୁବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା। ସ୍ୱର୍ଗତ ମହାରଥୀ କରୋନା ସଂକ୍ରମିତ ହୋଇଥିବା ନେଇ ସେପ୍ଟେମ୍ବର ୧୪ ତାରିଖରେ ନିଜେ ଟ୍ୱିଟ୍‍ କରି ସୂଚନା ଦେଇଥିଲେ। ସପ୍ତାହେରୁ ଅଧିକ ସମୟ କୋଭିଡ୍‍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ମରାରଥୀ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ତିନିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଗୁରୁବାରଠାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ମହାରଥୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଡାକ୍ତରଖାନା ବାହାରେ ପ୍ରବଳ ଜନସମାଗମ ହୋଇଥିଲା। ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଭିଡ଼ ଜମିଥିଲା।
ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିବା ମହାରଥୀ ନିଜର ୩୫ ବର୍ଷର ରାଜନୈତିକ ଜୀବନରେ ବେଶ୍‍ ସକ୍ରିୟ ଥିଲେ। ବିଭିନ୍ନ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ମହାରଥୀ ୧୯୮୫ ମସିହାରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହି ବର୍ଷ ଜନତା ଦଳ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୦ରେ ଜନତା ଦଳ ଟିକଟରେ ବିଧାୟକ ନିର୍ବାଚିତ ହେବା ପରେ ୨୦୦୦ ମସିହାରୁ ବିଜୁ ଜନତା ଦଳର ବିଧାୟକ ରହି ଆସିଛନ୍ତି। କୃଷି, ପଞ୍ଚାୟତିରାଜ ଭଳି ମନ୍ତ୍ରୀ ପଦ ସମ୍ଭାଳିଥିଲେ। ମନ୍ତ୍ରୀପଦ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ଥିଲେ। ତେବେ ରାଜନୀତି ଅପେକ୍ଷା ନିଜର ବକ୍ତବ୍ୟ ଏବଂ ଯାତ୍ରା ସୁଲଭ ଆଚରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି।

Comments are closed.