ହାଇକୋର୍ଟରେ ପ୍ରଦୀପ, ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦେଶ ଖାରଜ

କଟକ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ପାଇଁ ଲୋକାୟୁକ୍ତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଧାୟକ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ୨୦୨୦, ଡିସେମ୍ବର ୧୧ର ଏ ସଂପର୍କିିତ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ଆଜି ରଦ୍ଦ କରିଛନ୍ତି। ଏଥିସହିତ ଦୁର୍ନୀତିଗ୍ରସ୍ତ ଉପାୟରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ପ୍ରସଂଗରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆପାତତଃ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ରହିଥିବା ମନ୍ତବ୍ୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ରହିଥିବା ଅଭିଯୋଗ ଉପରେ ଲୋକାୟୁକ୍ତଙ୍କ ଇନ୍‌କ୍ବାରୀ ଉଇଙ୍ଗ (ତଦନ୍ତ ଶାଖା) ତଦନ୍ତ କରିବ ବୋଲି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ଏହି ପ୍ରସଂଗରେ ତଦନ୍ତ କରି ଫେବୃଆରୀ ୧୨ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ୨୦୨୦, ଡିସେମ୍ବର ୧୧ରେ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ହାଇକୋର୍ଟଙ୍କ ଏପରି ରାୟ ପରେ ଏହି ପ୍ରସଂଗରେ ଭିଜିଲାନ୍ସ ଏଯାବତ କରିଥିବା ତଦନ୍ତ ମୂଲ୍ୟହୀନ ହୋଇ ପଡିଛି। ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ୟ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ, ଐଶ୍ବର୍ୟ୍ୟା ଦାଶ ଓ ଅଭିଷେକ ମହାନ୍ତି ସହାୟତା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ଲୋକାୟୁକ୍ତଙ୍କ ଆଦେଶକୁ ଚାଲେଞ୍ଜ କରି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶ ବେଆଇନ। ଭିଜିଲାନ୍ସର ଏକତରଫା ଅଭିଯୋଗକୁ ଆଧାର କରି ତାଙ୍କ ବିରୋଧରେ ଆପତତଃ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତ କହିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସେ ଜେଲରେ ଥିବା ବେଳେ ତାଙ୍କୁ ଏହି ପ୍ରସଂଗରେ କୌଣସି ପ୍ରକାର ନୋଟିସ୍ ପ୍ରଦାନ କରାଯାଇ ନଥିଲା। ଭିଜିଲାନ୍ସର ଏହି ପ୍ରସଂଗରେ କ’ଣ ଅଭିଯୋଗ ରହିଛି ସେ ନେଇ ତାଙ୍କୁ ମଧ୍ୟ କେବେ ଅବଗତ କରାଯାଇ ନଥିଲା। ଲୋକାୟୁକ୍ତଙ୍କ ନିକଟରେ ମାମଲାର ଶୁଣାଣି ସମୟରେ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା। ଏଭଳି ସ୍ଥିତିରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅସାମ୍ବିଧାନିକ। ଭିଜିଲାନ୍ସ ଡିଏସପିଙ୍କ ଗୁପ୍ତ ଯାଞ୍ଚ ରିପୋର୍ଟ ଆଧାରରେ ରୁଜୁ ମାମଲାରେ ଭିଜିଲାନ୍ସକୁ ତଦନ୍ତ ପାଇଁଁ ନିର୍ଦ୍ଦେଶ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

Comments are closed.