ପ୍ରବୋଧ ମିଶ୍ରଙ୍କ ୯ ଖଣ୍ଡ ସଂସ୍କୃତ ଦୂତକାବ୍ୟ ଜାତୀୟସ୍ତରରେ ଚର୍ଚ୍ଚିତ

ଭୁବନେଶ୍ବର: ମହାକବି କାଳିଦାସ ଓ ପରବର୍ତ୍ତୀ ସଂସ୍କୃତ କବିମାନେ ଖଣ୍ଡେ ଦୁଇଖଣ୍ଡ ଦୂତକାବ୍ୟ ରଚନା କରିଥିବାବେଳେ ସଂସ୍କୃତ କବି ପଣ୍ଡିତ ପ୍ରବୋଧ କୁମାର ମିଶ୍ର ବେଶ୍‌ ଚର୍ଚ୍ଚିତ। ତାଙ୍କର ଅନେକ ଦୂତକାବ୍ୟ ଦେଶ ଓ ବିଦେଶରେ ଆଲୋଚିତ ବୋଲି ଶ୍ରୀ ମିଶ୍ରଙ୍କ ଜନ୍ମଦିନ ଉତ୍ସବରେ ବିହାରର ଡକ୍ଟର ରାଜେନ୍ଦ୍ର ପ୍ରସାଦ, କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର, ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ମତ ପ୍ରକାଶ କରିଛନ୍ତି। ଏ ଉତ୍ସବକୁ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉଦ୍‌ଘାଟନ କରି କହିଲେ, ପଣ୍ଡିତ ମିଶ୍ରଙ୍କ ସଂସ୍କୃତ କବିତା ସମଗ୍ର ଭାରତରେ ଲୋକଭାଷା ଭଳି ହୋଇଛି। ସଂସ୍କୃତ ଭାଷା ବିଶ୍ବଜୀବନ ପାଇଁ ସନ୍ଦେଶ ହୋଇଛି। ମୁଖ୍ୟବକ୍ତା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ତାଙ୍କର କବିତା ପାଠ କରିଥିଲେ।

ଏହି ଉତ୍ସବରେ ବେଦ ବିଦ୍ବାନ ପ୍ରିୟବ୍ରତ ଦାସ ସଭାପତିତ୍ବ କରିଥିଲେ। ପ୍ରଫେସର ମିଶ୍ର କହିଲେ, ସଂସ୍କୃତକୁ ଜନଭାଷା ଭାବରେ ଲେଖିବାରେ ଶ୍ରୀ ମିଶ୍ରଙ୍କ ପାରଦର୍ଶିତା ରହିଛି। ବହୁ ପ୍ରଧାନମନ୍ତ୍ରୀ ତାଙ୍କର ଗ୍ରନ୍ଥାବଳୀକୁ ଉନ୍ମୋଚନ କରି ପ୍ରଶଂସା ମଧ୍ୟ କରିଛନ୍ତି। ଡକ୍ଟର ହୋତା କହିଲେ, ସରଳ ସାବଲୀଳ ତରଳ ଭାଷାରେ ସଂସ୍କୃତ ଛନ୍ଦ, କବିତା ଲେଖିବାରେ ତାଙ୍କର ଦକ୍ଷତା ରହିଛି। ତାଙ୍କର ଅନେକ କାବ୍ୟ ଉପରେ ଗବେଷଣା କରି ବହୁ ଛାତ୍ରଛାତ୍ରୀ ପିଏଚ୍‌ଡି ଉପାଧି ପାଇଛନ୍ତି। କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ସଭାରେ ଶ୍ରୀ ମିଶ୍ରଙ୍କ ଶୁଭକାମନା କରିଥିଲେ। ବେଦ ବିଦୂଷୀ ଶନ୍ନୋଦେବୀ ବେଦପାଠ କରି ଯଜ୍ଞାହୁତି ଦେଇଥିଲେ। ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ବାରିପଦାର ବରିଷ୍ଠ ସାମ୍ବାଦିକ ଡକ୍ଟର ବିଜୟ କୁମାର ଅଗ୍ରୱାଲ, ଶୈଳେନ୍ଦ୍ର କୁମାର ପାଢ଼ୀ, ପଣ୍ଡିତ ନରସିଂହ ଜେନା, ନିର୍ମଳ ଚନ୍ଦ୍ର ମଲିକ ପ୍ରମୁଖ ଭାଷଣ ଦେଇଥିଲେ। ଏହି ଅବସରରେ ପଣ୍ଡିତ ମିଶ୍ରଙ୍କ ଲିଖିତ କରୋନା-୨୦୨୦, ମୟୂରଭଞ୍ଜର ଗୌରବ ବାବୁଲାଲଜୀ ଓ ସଂସ୍କୃତ ସଂଗଠନ ଦ୍ବାରା ପ୍ରକାଶିତ ଉତ୍କଳ କାଳିଦାସ ଅଭିନନ୍ଦନିକା ଓ କବି ସଚ୍ଚିଦାନନ୍ଦ ମିଶ୍ରଙ୍କ ଲିଖିତ ପୁସ୍ତକକୁ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ଓ ସଭାପତି ଉନ୍ମୋଚନ କରିଥିଲେ। ସଂସ୍କୃତ ମହାମଣ୍ଡଳର ଆବାହକ ହରେକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ବିଭିନ୍ନ ସଂସ୍କୃତ ପ୍ରତିଷ୍ଠାନ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସଭାରେ ବହୁ ସଂଖ୍ୟାରେ ବିଦ୍ବାନ ବ୍ୟକ୍ତି ଯୋଗ ଦେଇଥିଲେ।

Comments are closed.