ଭାରତରେ ପ୍ରତିଦିନ ପ୍ରସ୍ତୁତ ହେଉଛି ୭୫ ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୂର୍ବରୁ ଭାରତରେ ପିପିଇ ଉତ୍ପାଦନ ଅତ୍ୟନ୍ତ ନାମମାତ୍ର ରହିଥିଲା । ମାତ୍ର ଏବେ ଭାରତ ପିପିଇ ପ୍ରସ୍ତୁତ କ୍ଷେତ୍ରରେ ବିଶ୍ବର ୨ୟ ସ୍ଥାନରେ ପହଞ୍ଚିଛି । ଏହି ସ୍ଥିତିରେ ପିପିଇ ( କୋବିଦ ୧୯ ମୁକାବିଲାରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ) ଉତ୍ପାଦନ ଦୈନିକ ୭୫ ହଜାରକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋଭିଡ-୧୯ ମୁକାବିଲାରେ ନିଯୁକ୍ତ କର୍ମଚାରୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଗୁଣାତ୍ମକ ମାନ ନେଇ କେତେକ ଗଣମାଧ୍ୟମରେ ସଂଶୟ ପ୍ରକାଶ ପାଇଛି । ତେବେ ଯେଉଁ ଯେଉଁ ଉପକରଣଗୁଡିକୁ ନେଇ ବିବାଦ ଉଠିଛି, ସେସବୁର କେନ୍ଦ୍ର ସରକାର ଆହରଣ କରିଥିବା ପିପିଇ ସହ କୌଣସି ସମ୍ପର୍କ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଚଏଲଏଲ ଲାଇଫ କେୟାର ପକ୍ଷରୁ ଅଣାଯାଉଥିବା ଏହିସବୁ ଉପକରଣ ଦେଶରେ ବୟନ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ୮ଟି ପରୀକ୍ଷାଗାର ମଧ୍ୟରୁ କୌଣସି ଗୋଟିକରେ ପରୀକ୍ଷା ଓ ନିରୀକ୍ଷଣ ପରେ ହିଁ ଅଣାଯାଇଥାଏ । ସେମାନେ ଏହାର ସଠିକତା ପ୍ରମାଣପତ୍ର ଦେବା ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବୈଷୟିକ କମିଟିର ଅନୁମୋଦନ କ୍ରମେ ହିଁ ସେଗୁଡିକୁ ଆହରଣ କରାଯାଇଥାଏ । ଯୋଗାଯାଉଥିବା ପିପିଇର ଯେକୌଣସି ନମୁନା ନିଆଯାଇ ତା’ର ନିର୍ଦ୍ଧାରିତ ନୀତି ଅନୁସାରେ ପରୀକ୍ଷଣ କରାଯାଇଥାଏ । କୌଣସି ଦୋଷ ତ୍ରୁଟି ପରିଲକ୍ଷିତ ହେଲେ ନିର୍ମାଣକାରୀ କମ୍ପାନୀକୁ ଅଯୋଗ୍ୟ ଘୋଷଣା କରି ତା’ଠାରୁ ଆଉ ସାମଗ୍ରୀ କିଣାଯାଏ ନାହିଁ । ପିପିଇର ଗୁଣାତ୍ମକ ମାନ ନିର୍ଦ୍ଧାରଣକାରୀ କେନ୍ଦ୍ର ବୟନ ମନ୍ତ୍ରଣାଳୟର ଯେକୌଣସି ପରୀକ୍ଷାଗାରରୁ ପିପିଇ ନେଉଥିବା ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ଏହାର ପରୀକ୍ଷା କରାଇପାରନ୍ତି । ଉତ୍ପାଦନକାରୀମାନେ ଏହିସବୁ ପରୀକ୍ଷାଗାରରୁ ପରୀକ୍ଷା ପରେ ସାମଗ୍ରୀ ଯୋଗ୍ୟ ବିବେଚିତ ହେଲେ ତାହା ଜିଇଏମରେ ଅନବୋର୍ଡ କରନ୍ତି । ଉତ୍ପାଦନକାରୀମାନେ ସେମାନଙ୍କର ଉପକରଣ ଯୋଗ୍ୟ ବିବେଚିତ ହେଲା ପରେ ତାହା ଜିଇଏମ ଜରିଆରେ ଅନବୋର୍ଡ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହାଫଳରେ ରାଜ୍ୟମାନେ ନିଜର ଆବଶ୍ୟକତା ମୁତାବକ ଆହରଣ କରନ୍ତି । ଦେଶରେ ଏବେ ପିପିଇ ଏବଂ ଏନ-୯୫ ମାସ୍କର ଉତ୍ପାଦନ ହାର ଯଥେଷ୍ଟ ବୃଦ୍ଧି କରିଛି ଓ ଏହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଚାହିଦା ପୂରଣ କରିବା ପାଇଁ ସକ୍ଷମ ।  ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରତିଷ୍ଠାନ ଦୈନିକ ୧.୧୧ ଲକ୍ଷରୁ ଊର୍ଦ୍ଧ୍ଵ ଏନ-୯୫ ମାସ୍କ ଓ ପ୍ରାୟ ୭୫ ହଜାର ପିପିଇ ଉତ୍ପାଦନ କରୁଛନ୍ତି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Comments
Loading...