କୋଭିଡ-୧୯ ବ୍ୟକ୍ତିଗତ ସୁରକ୍ଷା ସଂରଞ୍ଜାମ ଉତ୍ପାଦନ ବୃଦ୍ଧି

ସମାଜ ପୋର୍ଟାଲ ଡେସ୍କ: କୋଭିଡ ନାଇଣ୍ଟିନ୍‍ର ମୁକାବିଲା ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଓ ଚିକିତ୍ସା ସରଞ୍ଜାମ ଉତ୍ପାଦନ ବହୁମାତ୍ରାରେ ବୃଦ୍ଧି ପାଇଛି। ସରକାର କହିଛନ୍ତି ୨କୋଟି ୨୨ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପାଇଁ ଅର୍ଡର ଦିଆଯାଇଛି। ଯାହାମଧ୍ୟରୁ ଦେଶୀୟ କମ୍ପାନୀମାନେ ୧ କୋଟି ୪୨ଲକ୍ଷ ପିପିଇ ଯୋଗାଇବେ। ସାମ୍ବାଦିକମାନଙ୍କୁ ଏ ସମ୍ବନ୍ଧରେ ସୂଚନା ଦେଇ ଏକ ମନ୍ତ୍ରୀସ୍ଥରୀୟ ଗୋଷ୍ଠୀର ଚେୟାରମ୍ୟାନ୍‍ କହିଛନ୍ତି ୨କୋଟି ୧୦ହଜାର ପିପିଇର ଆବଶ୍ୟକ ଥିବାବେଳେ ୨କୋଟି ୨୨ଲକ୍ଷ ପିପିଇ ପାଇଁ ଅର୍ଡର ଦିଆଯାଇଛି। ସେ କହିଛନ୍ତି ପୂର୍ବରୁ ଦେଶରେ କୌଣସି କମ୍ପାନୀ ପିପିଇ ନିର୍ମାଣ କରୁନଥିଲେ। ପ୍ରାୟ ସମସ୍ତ ପିପିଇ ଆମଦାନୀ କରି ଅଣାଯାଉଥିଲା।

ବର୍ତ୍ତମାନ ଦେଶରେ ୧୧୧ଟି କମ୍ପାନୀ ପିପିଇ ଉତ୍ପାଦନ କରୁଛନ୍ତି। ଦେଶରେ ପିପିଇ ନିର୍ମାଣ କ୍ଷମତା ବୃଦ୍ଧି ପାଇବା ସହ ବର୍ତ୍ତମାନ ଏହା ୭ହଜାର କୋଟି ସମ୍ବଳିତ ଶିଳ୍ପରେ ପରିଣତ ହୋଇଛି। ଏ କ୍ଷେତ୍ରରେ କେବଳ ଚୀନ୍‍ ଭାରତଠାରୁ ଆଗରେ ରହିଛି। ସରକାରଙ୍କ କହିବା ଅନୁସାରେ ବର୍ତ୍ତମାନ ଦେଶରେ ଦୈନିକ ୧ଲକ୍ଷ ୮୭ହଜାର ପିପିଇ ଉତ୍ପାଦନ ହେଉଛି। ସେ ପୁଣି କହିଛନ୍ତି ଦେଶରେ ୧୯ହଜାର ୩୯୮ଭେଣ୍ଟିଲେଟର ମହଜୁଦ ରହିଛି ଓ ଆଉ ୬୦ହଜାର ୮୪୮ ଭେଣ୍ଟିଲେଟର ପାଇଁ ଅର୍ଡର ଦିଆଯାଇଛି। ସେଗୁଡ଼ିକ ମଧ୍ୟରୁ ୫୯ହଜାର ୮୪୮ ଭେଣ୍ଟିଲେଟର ଦେଶୀୟ କମ୍ପାନୀମାନେ ଯୋଗାଇବେ।

Comments are closed.