ଚୀନକୁ ଆଉ ଏକ ଧକ୍କା: ଚୀନରୁ ବିଦ୍ୟୁତ୍ ସାମଗ୍ରୀ ଆମଦାନୀ ଉପରେ ଲାଗିଲା କଟକଣା

ଲାଦାଖରେ ଭାରତୀୟ ସେନାଙ୍କ ଉପରେ ଚୀନ ଯବାନଙ୍କ ଆକ୍ରମଣ ପରେ ଭାରତ ଗୋଟିକ ପରେ ଗୋଟିଏ କଠୋର ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି । ଚୀନକୁ ଆର୍ଥିକ କ୍ଷତି ପହଞ୍ଚାଇବା ପରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୫୨ ଚୀନା ମୋବାଇଲ୍ ଆପ୍ ଉପରେ କଟକଣା ପରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୀନ ସହ ସମ୍ପର୍କ ତୁଟାଇବାରେ ଲାଗିଛନ୍ତି । ବିଏସଏନ୍ଏଲ୍, ରେଳବାଇ, ସଡ଼କ ମନ୍ତ୍ରଣାଳୟ ପରେ ଶକ୍ତି ମନ୍ତ୍ରଣାଳୟ ମଧ୍ୟ ଚୀନ ସାମଗ୍ରୀ ଉପରେ କଟକଣା ଲଗାଇଛି । ଚୀନ ଓ ପାକସ୍ତାନ କରି ‘ପ୍ରାୟର ରେଫରେନ୍ସ’ ଦେଶରୁ ମାଲୱେର ଡ଼୍ରୋଜନ ଓ ସାଇବର ଆକ୍ରମଣ ରୋକିବାକୁ ଆମଦାନୀ ସାମଗ୍ରୀର ଯାଞ୍ଚ କରାଯିବ ବୋଲି ନିର୍ଦେଶ ଦେଇଛି ଶକ୍ତି ମନ୍ତ୍ରଣାଳୟ । ଏହା ସହ ଚୀନରୁ ସାମଗ୍ରୀ ଆମଦାନୀ ନିମନ୍ତେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟରୁ ଅନୁମତି ନେବାକୁ ପଡ଼ିବ ବୋଲି ମଧ୍ୟ ନିର୍ଦେଶ ଦିଆଯାଇଛି ।

ଗୁରୁବାର ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଏହାପରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍.କେ.ସିଂହ ରାଜ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକ ଆୟୋଜନ କରିବା ସହ ସ୍ଥାନୀୟ ଉପକରଣ କ୍ରୟ ଉପରେ ଗୁରୁତ୍ବ ଦେବାକୁ ଏବଂ ଦେଶୀୟ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ ବିଦ୍ୟୁତ୍ ସାମଗ୍ରୀ ଉତ୍ପାଦ ହବ୍ ସୃଷ୍ଟି ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

୨୦୧୮-୧୯ରେ ଚୀନରୁ ଆମଦାନୀ ହୋଇଛି ୨୧ ହଜାର କୋଟି ଟଙ୍କାର ବିଦ୍ୟୁତ୍ ସାମଗ୍ରୀ

କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୧୮-୧୯ରେ ଭାରତ ୭୧ ହଜାର କୋଟି ଟଙ୍କାର ବିଦ୍ୟୁତ୍ ଉପକରଣ ଆମଦାନୀ କରିଛି । ଏହାମଧ୍ୟରୁ କେବଳ ଚୀନରୁ ୨୧ ହଜାର କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରାଯାଇଛି । ବିଦ୍ୟୁତ୍ ଉତ୍ପାଦନ, ପରିବହନ ଓ ବିତରଣ କ୍ଷେତ୍ରରେ ଆବଶ୍ୟକ ସାମଗ୍ରୀ ଚୀନ ଉତ୍ପାଦନ କରୁଛି । ମାତ୍ର ଯେଉଁ ଦେଶ ଆମ ଦେଶ ସୀମା ଅତିକ୍ରମ କରିବାକୁ ଉଦ୍ୟମ କରୁଛି ସେ ଦେଶରୁ ସାମଗ୍ରୀ ଆମଦାନୀ କରି ସେଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆମେ ଚାହିଁବା ନାହିଁ ।  ଆମଦେଶରେ ବି ଏହି ସାମଗ୍ରୀ ନିର୍ମାଣ କ୍ଷମତା ରହିଛି । ତେଣୁ ସବୁ ଦେଶୀୟ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଆମଦାନୀ ନିମନ୍ତେ ନେବାକୁ ପଡ଼ିବ ଅନୁମତି 

ବର୍ତମାନ ଦେଶକୁ ଚୀନରୁ କୌଣସି ବିଦ୍ୟୁତ୍ ସାମଗ୍ରୀ ଆମଦାନୀ ନିମନ୍ତେ କେନ୍ଦ୍ରର ଅନୁମତି ନେବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଭିଡ଼ିଓ କନ୍ଫରେନ୍ସ ଜରିଆରେ ସେ ବିଭିନ୍ନ ରାଜ୍ୟର ଶକ୍ତିମନ୍ତ୍ରୀମାନଙ୍କ ସମ୍ମିଳନୀ ଉଦ୍ଘାଟନ ଅବସରରେ ସେ ପାକିସ୍ତାନ ଓ ଚୀନରୁ ଆମଦାନୀ ଉପରେ କଟକଣା ପ୍ରସଙ୍ଗ ଦୋହରାଇଛନ୍ତି । ଏହି ଦେଶରୁ କୌଣସି ଆମଦାନୀ ନିମନ୍ତେ ପ୍ରଥମେ ଭାରତ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସୌର ଶକ୍ତି କ୍ଷେତ୍ରରେ ଚୀନରୁ ଆମଦାନୀ ସବୁଠୁ ବେଶୀ

ସୌରଶକ୍ତି ଉତ୍ପାଦନ ୟୁନିଟ୍ ଓ ନବୀକୃତ ଶକ୍ତି କ୍ଷେତ୍ରରେ ଚୀନ ସାମଗ୍ରୀର ବ୍ୟବହାର ଆମ ଦେଶରେ ସବୁଠୁ ବେଶୀ । ଟାୱାରରେ ଲାଗୁଥିବା କଣ୍ଡକ୍ଟର, ଟ୍ରାନ୍ସଫରମର ଓ ମିଟର ସାମଗ୍ରୀ ଚୀନରୁ ଅଣାଯାଉଛି । ଚୀନ ଭାରତୀୟ ଉତ୍ପାଦକତା କ୍ଷେତ୍ରକୁ ଚାପରେ ରଖିବା ପାଇଁ କମ୍ ମୂଲ୍ୟରେ ସାମଗ୍ରୀ ଯୋଗାଉଛି । ଆସନ୍ତା ଅଗଷ୍ଟରୁ ଚୀନରୁ ଆମଦାନୀ ହେବାକୁଥିବା ଏହି ସାମଗ୍ରୀ ଉପରେ ୨୫% ଓ ପରବର୍ତୀ ସମୟରେ ୪୦ % ଟିକସ  ଲଗାଯିବ ବୋଲି ସେ କହିଛନ୍ତି । ଏହାଫଳରେ ଚୀନରୁ ଆମଦାନୀ ହ୍ରାସ ପାଇବ ଓ ଦେଶୀୟ କମ୍ପାନୀଗୁଡ଼ିକ ଫାଇଦା ପାଇବେ ।

Comments are closed.