ଆଳୁର କରାମତି

କେବଳ ସୁଆଦିଆ ଆଳୁଦମ୍ କିମ୍ବା ଗରମାଗରମ ଆଳୁ ଭଜା ବ୍ୟତୀତ ଆଳୁର ଅନ୍ୟାନ୍ୟ ଉପଯୋଗ ମଧ୍ୟ ଆପଣ କରିପାରିବେ।

– ରୋଷେଇ କଲାବେଳେ କେତେବେଳେ, କେମିତି ରାଗ, ଲୁଣିଆ ହୋଇଯାଏ। ତରକାରି ଲୁଣିଆ ହେଲେ ବ୍ୟସ୍ତ ନ ହୋଇ ଗୋଟିଏ କଞ୍ଚା ଆଳୁକୁ ଚାରି ଭାଗ କରି କାଟି ସେଥିରେ ପକାଇବେ। ୫ ମିନିଟ୍ ଫୁଟାଇବା ପରେ ଚୁଲା ବନ୍ଦ କରିବେ। ଏବେ ତରକାରିରୁ କଞ୍ଚା ଆଳୁ ବାହାର କରିଦେବେ। ଭୋଜନ ସମୟରେ ସ୍ବାଦ ଚାଖନ୍ତୁ, ଦେଖିବେ ତରକାରିରୁ ଲୁଣିଆ ସ୍ବାଦ କେଉଁ ଆଡ଼େ ଉଭାନ୍ ହୋଇଯାଇଥିବ।

– ରୋଷେଇ କଲାବେଳେ ହାତରେ ନିଆଁ ଧାସ ବାଜିଗଲେ, ଜଳାପୋଡ଼ା ହୁଏ। ସଙ୍ଗେସଙ୍ଗେ ଫାଳେ ଆଳୁକୁ କାଟି ସେଇଠି କିଛି ସମୟ ଘଷିନେବେ। ଆରାମ ଲାଗିବା ସହ ଜଳାପୋଡ଼ା ଦାଗ ମଧ୍ୟ ହୁଏନାହିଁ।

– ଲୁହା ବାସନରେ ଜଙ୍କ୍ ଲାଗିଯାଇଥିଲେ, ଫାଳେ ଆଳୁକୁ କାଟି ସେଇ ସ୍ଥାନରେ କିଛି ସମୟ ଘଷିଲେ ଜଙ୍କ୍ ଦାଗ ଛାଡ଼ିଯାଏ।

– ସୁନା, ରୁପା ଗହଣାକୁ ଚମକାଇବାକୁ ହେଲେ, ଏଇ ଉପାୟଟି କରନ୍ତୁ। ୨ଟି ଆଳୁକୁ କାଟି ଲିଟରେ ପାଣିରେ ୨୦ ମିନିଟ୍ ଭଲରେ ଫୁଟାଇବେ। ଚୁଲା ବନ୍ଦ କରି ସେଥିରୁ ଆଳୁ ବାହାର କରିନେବେ, ରୁପା-ସୁନା ଗହଣାକୁ ଏଇ ପାଣିରେ ସଫା କଲେ ତାହା ଚମକିଉଠିବ।

– ସନ୍-ଟ୍ୟାନ୍ ହୋଇଥିଲେ, ଆଳୁ ରସରେ ବେସନ ମିଶାଇ ପୂରା ଶରୀରରେ ଲଗାଇ ୨୦ ମିନିଟ୍ ପରେ ଉଷୁମ ପାଣିରେ ଧୋଇନେବେ।

Comments are closed.