ମିଶନ ଫେଲ; ଆଳୁ ଭାଉ ବଢ଼ୁଛି

ଭୁବନେଶ୍ବର : ରାଜ୍ୟରେ ଦେଖାଦେଲାଣି ଆଳୁ ଓ ପିଆଜ ସଙ୍କଟ। ଏପ୍ରିଲରେ ଆଳୁ କିଲୋ ପିଛା ୪ ରୁ ୫ ଟଙ୍କା ବଢିଥିବା ବେଳେ ଗତଦୁଇ ଦିନ ହେଲା ଆଳୁ କିଲୋ ପିଛା ୩ ଟଙ୍କା ବୃଦ୍ଧି ପାଇଛି। ପିଆଜ ଦର ମଧ୍ୟ କିଲୋ ପିଛା ୨ ଟଙ୍କା ବଢିଛି। ଆଗକୁ ପିଆଜ ଦର ଆହୁରି ବଢିବାର ଆଶଙ୍କା ରହିଛି ବୋଲି ପରିବା ବ୍ୟବସାୟୀ କହୁଛନ୍ତି। ୟୁନିଟ-୧ ହାଟକୁ ଛାଡି ଦେଲେ ଅନ୍ୟାନ୍ୟ ବଜାରରେ ଆଳୁ କିଲୋ ୨୮ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ପିଆଜ କିଲୋ ୧୭ ଟଙ୍କାରେ ବିକ୍ରି ହେଉଛି। ରାଜ୍ୟରେ ଆଳୁ ଆବଶ୍ୟକତାକୁ ମେଣ୍ଟାଇବା ନିମନ୍ତେ ରାଜ୍ୟ ସରକାର ଆଳୁ ମିଶନ ଆରମ୍ଭ କରିଥିଲେ। ମିଶନ ସଫଳ ହୋଇଥିବା ସରକାର କହୁଛନ୍ତି। ହେଲେ ଆଳୁ ଚାହିଦା ଭରଣା ହୋଇ ପାରୁ ନ ଥିବାରୁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଛି ଓଡ଼ିଶା। କିଛି ଦିନ ହେଲା ଉତ୍ତର ପ୍ରଦେଶରୁ ଓଡ଼ିଶା ବଜାରକୁ ଆସୁଥିବା ଆଳୁ ମଧ୍ୟ ବନ୍ଦ ରହିଛି। ଏବେ ପଶ୍ଚିମବଙ୍ଗ ଆଳୁ ଉପରେ ରାଜ୍ୟ ସମ୍ପୂର୍ଣ୍ଣ ନିର୍ଭର କରୁଛି। ଆସାମ ଏବଂ ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ ବନ୍ଦ ରହିବା ହେତୁ ପଶ୍ଚିମବଙ୍ଗ ଆଳୁ ପ୍ୟାକେଟ ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଦୁଇଦିନ ତଳେ ୟୁନିଟ-୧ ହାଟରେ ଆଳୁ କିଲୋ ୨୫ ଟଙ୍କାରେ ବିକ୍ରି ହେଉଥିଲା। ଏବେ ୨୮ଟଙ୍କାକୁ ବଢ଼ିଛି। ପୂର୍ବରୁ ବେପାରୀ ଆଳୁ ପ୍ୟାକେଟ ୯୩୦ ଟଙ୍କାରେ କିଣୁଥିଲେ; କିନ୍ତୁ ଏବେ ସେହି ପ୍ୟାକେଟ ଦାମ ୯୮୦ ଟଙ୍କା। ସେହିପରି ଭଲ ପିଆଜ କିଲୋ ପୂର୍ବରୁ ୧୫ ଟଙ୍କାରେ ବିକ୍ରି ହେଉଥିଲା। ଏବେ ୧୭ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି।
ରାଜ୍ୟରେ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ମଧ୍ୟରେ ଆଳୁ ଅମଳ ହୋଇଥାଏ। ଏହି ସମୟରେ ଚାଷୀ ଆଳୁ ସାଇତି ରଖିବା ସହିତ ଖୁଚୁରା ବଜାରକୁ ଆଣି ବିକ୍ରି କରିଥାନ୍ତି। ଫଳସ୍ବରୂପ ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କମିଥାଏ। ଏପ୍ରିଲ ଦ୍ବିତୀୟ ସପ୍ତାହ ବେଳକୁ ଅମଳ ଆଳୁ ସରିଯିବା ଦ୍ବାରା ପୂର୍ବପରି ବେପାରୀଙ୍କୁ ବାହାର ରାଜ୍ୟରୁ ଆମଦାନୀ କରିବାକୁ ପଡୁଛି। ପଶ୍ଚିମବଙ୍ଗରେ ଆଳୁ କୁଇଣ୍ଟାଲ ପିଛା ଦର ୧୭ଶହ ଟଙ୍କା ରହିଛି। ଓଡ଼ିଶାକୁ ଆଳୁ କୁଇଣ୍ଟାଲ ପିଛା ପରିବହନ ଖର୍ଚ୍ଚ ୨୦୦ ଟଙ୍କା ଲାଗୁଛି। ଓଡ଼ିଶା ବଜାରରେ ଆଳୁ ପହଞ୍ଚିବା ପରେ କୁଇଣ୍ଟାଲ ପିଛା ଦର ୧୯ ଶହ ଟଙ୍କା ରହୁଥିବାରୁ ବଜାର ଦର ବଢ଼ୁଛି। ରାଜ୍ୟ ପାଇଁ ଦୈନିକ ୪ ହଜାର ଟନ ଆଳୁ ଦରକାର ପଡୁଥିବା ବେଳେ ବାର୍ଷିକ ୧୪ ଲକ୍ଷ ଟନର ଆବଶ୍ୟକତା ରହିଛି। ଆଳୁ ଆବଶ୍ୟକତାକୁ ମେଣ୍ଟାଇବା ନିମନ୍ତେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୫-୨୦୧୬ରେ ଆଳୁ ମିଶନ ଆରମ୍ଭ କରିଥିଲେ। ତାହା ସଫଳ ହୋଇଛି ବୋଲି ଗତ ବିଧାନସଭା ଅଧିବେଶନ କାଳରେ ତତକାଳୀନ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ। ରାଜ୍ୟରେ ଆଳୁ ମିଶନ କାହିଁକି ସଫଳ ହେଲାନାହିଁ ସେ ନେଇ ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ରାଜ୍ୟରେ ଆଳୁ ମିଶନ ସଫଳ ହୋଇନାହିଁ, ଏହା ସତ୍ୟ ନୁହେଁ। ଏହି ମିଶନ ଶେଷ ହୋଇଛି। ୨୦୧୮ ମାର୍ଚ୍ଚ ୩୧ରେ ମିଶନ ଅବଧି ସମାପ୍ତ ହୋଇଛି। ମିଶନ ଗଠନ ପୂର୍ବରୁ ରାଜ୍ୟରେ ୧୫,୮୦୫ ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା ବେଳେ ମିଶନ ଗଠନ ହେବା ପରେ ବର୍ତ୍ତମାନ ୨୫ ହଜାର ହେକ୍ଟର ଜମିରେ ଆଳୁ ଚାଷ କରାଯାଉଛି। କିନ୍ତୁ ବାସ୍ତବରେ ଆଳୁ ମିଶନ କେତେଦୂର ସଫଳ ହୋଇଛି ତାହା ବର୍ତ୍ତମାନ ବଜାର ଦରରୁ ବାରି ହୋଇ ପଡୁଛି। ରାଜ୍ୟରେ ବାର୍ଷିକ ୮୦ ହଜାର ଟନ ଆଳୁ ଅମଳ ହେଉଛି। ବାକି ୧୩ ଲକ୍ଷ ୨୦ ହଜାର ଟନ ଆଳୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ପଞ୍ଜାବରୁ ଆମଦାନୀ କରିବାକୁ ପଡୁଛି।
ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟ ଆଳୁ ପାଇଁ ସମ୍ପୂର୍ଣ୍ଣ ଭାବେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ। ପଶ୍ଚିମବଙ୍ଗ ଆଳୁ ବଜାର ଉପରେ ଓଡ଼ିଶା ଆଳୁ ଦର ନିର୍ଭର କରୁଛି।

Comments are closed.