ସ୍ତ୍ରୀଙ୍କ ଚାକିରୀ ସମ୍ଭାଳୁଥିଲେ ସ୍ୱାମୀ, ଏବେ ଗଣିବେ ୩୦ ହଜାର କ୍ଷତିପୁରଣ

ପୋଷ୍ଟମାଷ୍ଟରଙ୍କ ଦାୟିତ୍ୱହୀନତା ଯୋଗୁଁ ପରୀକ୍ଷା ଦେଇପାରିଲେନି ଆବେଦନକାରୀ, ଖାଉଟୀ ଅଦାଲତରେ କରଲଗା ବ୍ରାଂଚ ପୋଷ୍ଟ ମାଷ୍ଟର ଦଣ୍ଡିତ

ଦେବଗଡ଼: ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ ଯୋଗୁଁ ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ବ୍ରାଂଚ ପୋଷ୍ଟ ମାଷ୍ଟର ଜିଲା ଖାଉଟୀ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଜିଲା ଖାଉଟୀ ଅଦାଲତ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କରଲଗା ଗ୍ରାମର ହୃଷିକେଶ ନାୟକ ନାମକ ଜଣେ ଯୁବକ ନୟାଗଡ ଜିଲାର ଜିଲାଜଜଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ଟାଇପିଷ୍ଟ ପଦବୀ ନିମନ୍ତେ ଆବେଦନ କରିଥିଲେ। ଶ୍ରୀ ନାୟକ ଆବଶ୍ୟକ କାଗଜପତ୍ର ସହ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଫିସ ପ୍ରଦାନ କରିବାସହ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଡାକରାକୁ ଅପେକ୍ଷା କରିଥିଲେ। ଏଣେ ଲିଖିତ ପରୀକ୍ଷା ନିମନ୍ତେ ଗତ ଜାନୁୟାରୀ ମାସ ୫ ତାରିଖ ଦିବସ ଧାର୍ଯ୍ୟ କରାଯିବା ସହ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନ୍ୟ ଆବେଦନ କାରୀଙ୍କ ସହ ଶ୍ରୀ ନାୟକଙ୍କ ପାଖକୁ ମଧ୍ୟ ରେଜଷ୍ଟ୍ରି ପୋଷ୍ଟ ଯୋଗେ ଆଡମିଟ କାର୍ଡ ପଠାଯାଇଥିଲା। ଆବେଦନକାରୀ ଶ୍ରୀ ନାୟକ କରଲଗା ବ୍ରାଂଚ ପୋଷ୍ଟ ଅଫିସକୁ ନିୟମିତ ବ୍ୟବଧାନରେ ଯାଇ ତାଙ୍କ ନିକଟରେ କୌଣସି ଚିଠି/ଅନ୍ୟାନ୍ୟ କାଗଜପତ୍ର ଆଦି ଆସିଛି କି ବୋଲି ପଚାରି ବୁଝିଥିଲେ ହେଁ ତାଙ୍କ ନିକଟକୁ କୌଣସି ଚିଠିପତ୍ର ଆସିନାହିଁ ବୋଲି କରଲଗା ବ୍ରାଂଚ ପୋଷ୍ଟ ମାଷ୍ଟର ଦାୟିତ୍ୱହୀନ ଉତ୍ତର ଦେଇଥିଲେ। ତେବେ ଜାନୁୟାରୀ ୫ ତାରିଖ ଦିନ ଉକ୍ତ ପରୀକ୍ଷା ଅନୁଷ୍ଠିତ ହେବା ପରେ ଏହାର ପରଦିନ ଅର୍ଥାତ ୬ ତାରିଖ ଦିନ ଶ୍ରୀ ନାୟକଙ୍କ ନିକଟରେ ତାଙ୍କର ଆଡମିଟ କାର୍ଡ ପହଂଚିଥିଲା। ଫଳରେ ଶ୍ରୀ ନାୟକ ପରୀକ୍ଷା ଦେବାକୁ ବଂଚିତ ହୋଇଥିଲେ। ତେବେ ଗୁରୁତ୍ୱ ପୂର୍ଣ୍ଣ ଓ କୌତୁହଳ ପୁର୍ଣ୍ଣ ବିଷୟ ଏହା ଯେ, ଡାକ ଯୋଗେ ଆସିଥିବା ଉପରୋକ୍ତ ଆଡମିଟ କାର୍ଡଟିକୁ କରଲଗା ବ୍ରାଂଚ ପୋଷ୍ଟମାଷ୍ଟରଙ୍କ ସ୍ୱାମୀ ନେଇ ଶ୍ରୀ ନାୟକଙ୍କୁ ପ୍ରଦାନ କରିଥିଲେ।

ଘଟଣାର ଅନୁସନ୍ଧାନ ସମୟରେ ନୟାଗଡ ଜଜ୍‍ସିପ୍‍ ପକ୍ଷରୁ ଗତ ୨୦୧୯ ମସିହା ଡିସେମ୍ବର ମାସ ୧୬ ତାରିଖରେ ଆଡମିଟ କାର୍ଡ ପଠାଇଥିବା ଏବଂ ଡାକ ବିଭାଗର ଦାୟିତ୍ୱହୀନତା ଯୋଗୁଁ ପରୀକ୍ଷା ପାଇଁ ରହିଥିବା ଧାର୍ଯ୍ୟ ତାରିଖ ୫ ତାରିଖ ମଧ୍ୟରେ ଉକ୍ତ ଆଡମିଟ କାର୍ଡ ନପାଇ ପରୀକ୍ଷାରୁ ବଂଚିତ ହୋଇଥିବା ଜାଣିବାପରେ ଶ୍ରୀ ନାୟକ ଏନେଇ ଦେବଗଡ ଜିଲା ଖାଉଟୀ ଅଦାଲତର ଦ୍ୱାରସ୍ଥ ହୋଇ ସମ୍ପୃକ୍ତ ବ୍ରାଂଚ ପୋଷ୍ଟ ମାଷ୍ଟରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ଦେବଗଡ ଜିଲା ଖାଉଟୀ ଅଦାଲତ କେଶ ନମ୍ବର ୦୬/୨୦୨୦ରେ ଏକ ମାମଲା ଋଜୁକରି ବିଚାର ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରିବା ସହ ଅପର ପକ୍ଷକୁ ନୋଟିସ ଜାରୀ କରିଥିଲେ। ଏହାର ଉତ୍ତରରେ ବ୍ରାଂଚ ପୋଷ୍ଟ ଅଫିସ କର୍ତ୍ତୃପକ୍ଷ ନିଜର ପକ୍ଷ ଉପସ୍ଥାପନ କରିଥିଲେ।

ନିଜର ପକ୍ଷ ରଖିବା ସମୟରେ ବ୍ରାଂଚ ପୋଷ୍ଟ ଅଫିସ କର୍ତ୍ତୃପକ୍ଷ ଉକ୍ତ ଆଡମିଟ କାର୍ଡଟି ଗତ ୨୦୧୯ ମସିହା ଡିସେମ୍ବର ୨୦ ତାରିଖରେ ରିଆମାଳ ଡାକଘରେ ପହଂଚିଥିଲା। ସେହିଦିନ ହିଁ ଉକ୍ତ ଆଡମିଟ କାର୍ଡକୁ ଡେଲିଭେରୀ ପାଇଁ କରଲଗା ବ୍ରାଂଚ ପୋଷ୍ଟ ଅଫିସକୁ ପଠାଯାଇଥିଲେ ହେଁ କରଲଗା ବ୍ରାଂଚ ପୋଷ୍ଟମାଷ୍ଟର ଉକ୍ତ ଆଡମିଟ କାର୍ଡକୁ ଡେଲିଭେରୀ ନକରି ଭୁଲ ବଶତଃ ଡେଲିଭେରୀ ସ୍ଥାନରେ ନରଖି ଡିପୋଜିଟ ସ୍ଥାନରେ ରଖିଦେଇଥିଲେ। ଫଳରେ ଏହା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନକାରୀଙ୍କୁ ଡେଲିଭେରୀ ହୋଇପାରିନଥିବା ଡାକ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା। ଉକ୍ତ ମାମଲାର ବିଚାର କରି ଦେବଗଡ ଜିଲା ଖାଉଟୀ ଅଦାଲତର ସଭାପତି ଦୀପକ କୁମାର ମହାପତ୍ର ,ସଦସ୍ୟା ଆରତୀ ଦାସ ଓ ଜୟନ୍ତୀ ପ୍ରଧାନ ମିଳିତ ଭାବେ ଉକ୍ତ ମାମଲାର ବିଚାର କରି କରଲଗା ବ୍ରାଂଚ ପୋଷ୍ଟ ମାଷ୍ଟରଙ୍କୁ ସେବା ପ୍ରଦାନରେ ଅବହେଳା ଓ ଦାୟିତ୍ୱହୀନତା ପାଇଁ ଅର୍ଥ ଦଣ୍ଡରେ ଦଣ୍ଡିତ କରିବାସହ ମାନସିକ ଅଶାନ୍ତି ଓ ଦୁଶ୍ଚିନ୍ତା ନିମନ୍ତେ କ୍ଷତିପୁରଣ ବାବଦକୁ ୩୦ ହଜାର ଟଙ୍କା ଓ ମୋକଦ୍ଦମା ପରିଚାଳନା ବାବଦକୁ ୨ହଜାର ଟଙ୍କା ପ୍ରଦାନ କରିବାକୁ ବ୍ରାଂଚ ପୋଷ୍ଟ ମାଷ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଶ୍ରୀ ନାୟକଙ୍କୁ ଆଗାମୀ ଏକମାସ ମଧ୍ୟରେ ଏହି ଅର୍ଥ ପ୍ରଦାନ ପାଇଁ ଜିଲା ଖାଉଟୀ ଅଦାଲତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Comments are closed.