ତୀବ୍ର ହେଉଛି ମାଓ ବିରୋଧୀ ସ୍ୱର; ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ-ବିଚ୍ଛିନ୍ନ ଅଞ୍ଚଳ ଉନ୍ନୟନ କମିଟି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ବିରୋଧୀ ସ୍ୱର ତୀବ୍ର ହେବାରେ ଳାଗିଛି। ମାଓବାଦୀ ଗତ ୨୦ ତାରିଖରେ ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡା ଗ୍ରାମରେ ପୋଲିସ ସୂଚନାଦାତା ସନ୍ଦେହରେ ଦାସ ଖେମୁଡୁ ନାମକ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ପାଇଁ ମନରେ ଘୃଣା ଭାବ ସୃଷ୍ଟି ହୋଇଛି। ଯେଉଁ ଆଦିବାସୀଙ୍କୁ ଢାଲ କରି ମାଓବାଦୀ ପୁରା ଜିଲ୍ଲାରେ ନିଜର ସ୍ଥିତି ଜାହିର କରୁଥିଲେ ସେହି ନିରୀହ ଆଦିବାସୀଙ୍କୁ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରୁଛନ୍ତି। ସେମାନଙ୍କ ଠାରୁ ରାସନ ଖାଦ୍ୟ ସାମଗ୍ରୀ ନେଇ ତାଙ୍କରି ଉପରେ ଅତ୍ୟାଚାର କରୁଥିବାରୁ ଧୀରେ ଧୀରେ ମାଓବାଦୀଙ୍କ ଠାରୁ ଆଦିବାସୀମାନେ ମୁହଁ ଫେରାଉଛନ୍ତି।ଫଳରେ ମାଓ ସଙ୍ଗଠନ ଦୁର୍ବଳ ହେବାର ଲାଗିଛି। ନିଜର ଲକ୍ଷ୍ୟରୁ ଓହରି ଯାଇଥିବା ମାଓବାଦୀଙ୍କୁ ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳରେ ବିରୋଧ କରି ଏଭଳି ଲେଖା ଥିବା ପୋଷ୍ଟର ଲଗାଯାଇଛି। ସ୍ୱାଭିମାନ ଅଞ୍ଚଳର ଲକେଇଗୁଡା ଠାରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଥିବା ବେଳେ ମାଓବାଦୀ ମାନେ ମିଛ କହିବା ବନ୍ଦ କରି ଆମକୁ ଶାନ୍ତିରେ ବଞ୍ଚିବାକୁ ଦିଅ ବୋଲି ଏହି ପୋଷ୍ଟର ରେ ଉଲ୍ଲେଖ ରହିଛି। ବିଚ୍ଛିନ୍ନ ଅଞ୍ଚଳ ଉନ୍ନୟନ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କୁ ବିରୋଧର ସ୍ୱର ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି।

Comments are closed.