ଉଭେଇଲାଣି ଡାକ ବାକ୍ସ, ପାଲଟିପାରେ ସ୍ମୃତିର ପଦଚିହ୍ନ !

ସାରନଗରୀ :  ଭାବର ଆଦାନ ପ୍ରଦାନ ପାଇଁ ପୂର୍ବରୁ ଏକ ମାତ୍ର ମାଧ୍ୟମ ଥିଲା ଚିଠି । ଦୂରଦୂରାନ୍ତରେ ଥିବା ପ୍ରିୟଜନଙ୍କୁ ମନର କଥା, ଅଭିଳାଷା, ଅଭିଯୋଗ ଓ  ଅନ୍ୟାନ ବାର୍ତ୍ତା ଆଦି ପ୍ରେରଣ କରିବାକୁ ଲୋକେ ଡାକ ବିଭାଗ ଉପରେ ନିର୍ଭର କରୁଥିଲେ । ପ୍ରତିଦିନ ଡାକ ବାକ୍ସ ଖୋଲିଲେ ଶହଶହ ଚିଠି ଡାକ କର୍ମଚାରୀଙ୍କ ହାତରେ ବାଜୁଥିଲା । ଚିଠିକୁ ସଜାଡ଼ିବା ପରେ ସାଇକେଲରେ ସହର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ୟ୍ୟନ୍ତ ଘୁରି ବୁଲୁଥିଲା ଡାକବାଲା । ମାତ୍ର ଏବେ କାଁଭାଁ ଦେଖିବାକୁ ମିଳୁଛି  ନାଲି ରଙ୍ଗର ଡାକ ବାକ୍ସର ଚେହେରା ! ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପ୍ରମୁଖ ଛକ, ବଜାର ମାନଙ୍କରେ ଡାକ ବାକ୍ସ ଗୁଡ଼ିକ ନଜରକୁ ଆସୁନାହିଁ । ଦକ୍ଷିଣ ରାଉରକେଲାରେ ମଧ୍ୟ ସମାନ ବ୍ୟତିକ୍ରମ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ପୋଷ୍ଟ ଅଫିସକୁଗୁଡିକୁ ଛାଡ଼ି ଦେଲେ ପ୍ରାୟ ଛକରେ ଶୋଭା ପାଉନି ଡାକ ବାକ୍ସ । ଏପରି ସ୍ଥିତିରେ ଅଲୋଡ଼ା ହୋଇ ଯାଇଛି ଡାକବାକ୍ସ ! ସମୟର କରାଳ ସ୍ରୋତରେ ଦିନେ ଡାକ ବାକ୍ସ ନିଶ୍ଚିହ୍ନ ହୋଇ ଯିବାର ପ୍ରଶ୍ନ ମନରେ ବାରମ୍ବାର ଉଙ୍କି ମାରୁଛି ।  ଏଭଳି ହୁଏତ ଦିନ ଆସିବ ଯେଉଁ ଦିନ ସ୍ମୃତି ହୋଇ ରହିଯାଇଥିବ ଡାକବାକ୍ସ !

ଷାଠିଏ ଦଶକରେ ଚିଠି ଥିଲା ଭାବ ଆଦାନ ପ୍ରଦାନର ଏକ ମାତ୍ର ମାଧ୍ୟମ । ଡାକ ବିଭାଗ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ବିଭାଗ ହୋଇଥିବା ବେଳେ, ଚାକିରୀ ଆବେଦନ କରିବା ଠାରୁ ଆରମ୍ଭ କରି ନିଯୁକ୍ତି ପତ୍ର ପ୍ରାପ୍ତ ହେବା, ଚିଠି ମାଧ୍ୟମରେ ଅଧିକ ଛୁଟି ପାଇଁ ଆବେଦନ, ଏପରିକି ଦୂର ରାଇଜରୁ ନବ ବିବାହିତ ଯୁବକ କିମ୍ବା ନବ ବିବାହିତା ସେମାନଙ୍କର ମନର କଥା ଆଦାନ ପ୍ରଦାନ କରିଥାନ୍ତି ଚିଠି ମାଧ୍ୟମରେ । ପୁଅଟିଏ ତା ବାପା ମା’ ପାଖକୁ ଭଲମନ୍ଦ କଥା ଲେଖି ପୋଷ୍ଟକାର୍ଡ, ଅର୍ନ୍ତଦେଶୀୟ ପତ୍ର ମାଧ୍ୟମରେ ଜଣାଉଥିଲା । କିନ୍ତୁ ସେକାଳ ପଖାଳ ଆଉ ନାହିଁ!  ନବେ ଦଶକରେ ମୋବାଇଲ ପ୍ରଚଳନ ପାଦ ଥାପିବା ପରେ ସମାଜିକ ଗଣମାଧ୍ୟମର ଦ୍ରୁତ ଗତିରେ ପ୍ରଚାର ପ୍ରସାର ଚିଠିର ଗୁରୁତ୍ୱକୁ  ମଳିନ କରି ଦେଇଥିଲା ।

ବହୁ ବର୍ଷ ପୂର୍ବରୁ ଡାକସେବା ହିଁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଥିଲା । ଖବର ଠାରୁ ଆରମ୍ଭ କରି ନିଯୁକ୍ତି ପତ୍ର ଆଦି ପାଇବା ପାଇଁ ଏହାରି ମାଧ୍ୟମରେ  ଲୋକେ ସୂଚନା ପାଇ ପାରୁଥିଲେ । ମାତ୍ର ଆଧୁନିକତାର ଛାପ ରେ  ଇଂଟରନେଟ ଯୁଗ ଉପନୀତ ହୋଇ ସାରିଥିବାରୁ କେବଳ ଅଳ୍ପ କିଛି ଲୋକ ଡାକସେବା ଉପରେ ନିର୍ଭର କରୁଛନ୍ତି । ପୂର୍ବରୁ ପ୍ରତିଦିନ ଡାକବାକ୍ସରେ ଚିଠି ପଡୁଥିବା ବେଳେ ଏବେ ଡାକ ବିଭାଗ ପକ୍ଷରୁ ବାକ୍ସ ଖୋଲିବା ପରେ କୌଣସି ଚିଠି ପତ୍ରର ଦର୍ଶନ ମିଳୁନାହିଁ !  ଅତୀତର ପୃଷ୍ଠା ଲେଉଟାଇଲେ ଜଣାପଡେ ଯେ, ସହର ଅବା ଗାଁର କଚ୍ଚା ରାସ୍ତାରେ ଯିବା ସମୟରେ ଡାକବାଲା ଜଣକ ନାନା ଲୋକଗୀତ ମାଧ୍ୟମରେ ଚିଠି  ଘରେ ଘରେ ବାଂଟିବା ଦେଖିବାକୁ ମିଳୁଥିଲା । ସେ ସମୟରେ ଲୋକେ ଡାକବାଲାକୁ ଚାତକ ପରି ଚାହିଁ ରହୁଥିଲେ। ମାତ୍ର ଧିରେଧିରେ ଚିଠିର ଚାହିଦା କମିବାରେ ଲାଗିବାରୁ ଡାକ ବାକ୍ସ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଲା । ପୂର୍ବରୁ ଯେଉଁ ଛକ, ବଜାରରେ ଛୋଟିଆ ଡାକ ବାକ୍ସ ଖଣ୍ଡିକ ଶୋଭା ପାଉଥିଲା, ସେଗୁଡ଼ିକ ଆଉ ଦେଖିବାକୁ  ମିଳୁନାହିଁ । ଦକ୍ଷିଣ ରାଉରକେଲାର ନବକୃଷ୍ଣନଗରରେ ଅବସ୍ଥାନ କରୁଥିବା ବରିଷ୍ଠ ନାଗରିକ ନରେନ୍ଦ୍ର ମଲ୍ଲିକଙ୍କ କହିବା ଅନୁଯାୟୀ, ସେ ତାଙ୍କ ଯୁବା ଅବସ୍ଥାରୁ ଚିଠି ଓ ଡାକ ବାକ୍ସ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ, ଝରା କଲମରେ ଚିଠି ଖଣ୍ଡିଏ ଲେଖି ଡାକ ବାକ୍ସରେ ପକାଇବା ବେଳେ ମନରେ ଏକ ଶିହରଣ ଖେଳି ଯାଉଥିଲା । ଏବେ ଡାକ ବାକ୍ସ ଆଜିର ଯୁବପିଢୀ ପାଇଁ ଏକ ଅନାବଶ୍ୟକ ବସ୍ତୁ ପାଲଟି ଯାଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଏପରି ସ୍ଥିତିରେ ଡାକ ବାକ୍ସ କେଉଁଦିନ ଏକ ସ୍ମୃତି ହୋଇ ରହିଯିବ ଏହି ବୋଲି ଆଶଙ୍କାଙ୍କୁ ମଧ୍ୟ ସହଜେ ଏଡାଇ ଦିଆଯାଇ ନପାରେ ।  ଆଧୁନିକତାର ଛାପରେ ଅସ୍ତିତ୍ୱ ହରାଇବାକୁ ବସିଲାଣି ନାଲି ରଙ୍ଗ ଡାକ ବାକ୍ସ । ଦିନକୁ ଦିନ  ଡାକ ବାକ୍ସର ସଂଖ୍ୟା  କ୍ରମଶଃ କମିବାରେ ଲାଗିଥିବାବେଳେ, ଏହା କେଉଁଦିନ ସ୍ମୃତିର ଏକ ପଦଚିହ୍ନ ପାଲଟିଯିବ ଏଥିରେ ଦ୍ୱିମତ ନାହିଁ ।

Comments are closed.