ବ୍ରହ୍ମଗିରିରେ ନିର୍ବାଚନ ପରବର୍ତ୍ତୀ ହିଂସା : ରଣକ୍ଷେତ୍ର ପାଲଟିଲା ଗାଁ ଦାଣ୍ଡ ; ବୋମା ଓ ଟେକାମାଡ଼, ୯ ଆହତ

ପୁରୀ: ବ୍ରହ୍ମଗିରି ରାହଡମଲ ପଞ୍ଚାୟତ ଭାଟପଡା ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ପ୍ରମୁଖ ଦୁଇ ଦଳର କର୍ମୀଙ୍କ ମଧ୍ୟରେ କମେଣ୍ଟ ମରାକୁ କେନ୍ଦ୍ରକରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବୋମା ଓ ଟେକା ପଥର ମାଡରେ ଉଭୟ ପକ୍ଷରୁ ୯ଜଣ ଆହତ ହୋଇଛନ୍ତି।
ପୁଲିସ ସୂଚନା ମୁତାବକ, ରବିବାର ସକାଳ ୯ଟାରେ ଉଭୟ ଦଳର କିଛି ବ୍ୟକ୍ତି ନିର୍ବାଚନ ଫଳାଫଳକୁ ନେଇ ନିଜ ନିଜ ଭିତରେ କମେଣ୍ଟ ମରାମରି ହୋଇଥିଲେ। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟି ଯାଇଥିଲା। କିଛି ସମୟ ପାଇଁ ବୋମା ଓ ଟେକା ପଥର ଉଭୟ ପକ୍ଷରୁ ମାଡ କରାଯାଇଥିଲା। ସେଥିରେ ଉଭୟ ପକ୍ଷରୁ ୯ଜଣ ଆହତ ହୋଇଛନ୍ତି। ଏଥିସହ ଗ୍ରାମରେ ଥିବା ଉଭୟ ପକ୍ଷର କିଛି ଦୋକାନ ଓ ଘର ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ଆହତମାନେ ହେଲେ ଦେବେନ୍ଦ୍ର ପ୍ରଧାନ (୪୨), ଭୁଷଣ ଖୁଣ୍ଟିଆ (୫୨), କେଶବ ପ୍ରଧାନ (୭୦), ବିଜୟ ପ୍ରଧାନ (୪୦), ବନମାଳୀ ପ୍ରଧାନ (୬୦), ନିରଞ୍ଜନ ପ୍ରଧାନ (୪୦), ସାଧୁ ପ୍ରଧାନ (୬୫), କାମଦେବ ପ୍ରଧାନ (୨୫) ଓ ସଞ୍ଜୟ ପ୍ରଧାନ (୩୮) ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତ ମାନେ ଘରକୁ ଚାଲି ଯାଇଛନ୍ତି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏ ସମ୍ପର୍କରେ ସଦର ଥାନା ଅଧିକାରୀ ଚିନ୍ମୟ ରାଉତଙ୍କୁ ପଚାରିବାରେ ସେ କୁହନ୍ତି, ଉତ୍ତେଜନା ଦୃଷ୍ଟିରୁ ଗ୍ରାମରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ରାତି ୭ଟା ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଶ୍ରୀ ରାଉତ କହିଛନ୍ତି।

Comments are closed.