ଜରୁରୀ ଔଷଧ ଓ ଟଙ୍କା ପଠାଇବାର ବିକଳ୍ପ ମାଧ୍ୟମ ଭାରତୀୟ ଡାକ ସେବା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର
ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯେଉଁଠି ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛି ସେସବୁ ସ୍ଥାନରେ ସଟ୍‍ଡାଉନ୍‍, ଲକ୍‍ଡାଉନ୍‍, କଣ୍ଟେନ୍‍ମେଣ୍ଟ ଜୋନ୍‍, ବଫର ଜୋନ୍‍ ଆଦି ଘୋଷଣା କରାଯାଇ ସାଧାରଣ ଜୀବନ ଯାତ୍ରା ଉପରେ କଟକଣା ଜାରି କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟର ବିଭିନ୍ନ ସହର, ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ଔଷଧ ଓ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ଲୋକେ ଡାକ ସେବା ଜରିଆରେ ଔଷଧ ଓ ଟଙ୍କା ଯେକୌଣସି ସ୍ଥାନକୁ ପଠାଇପାରିବେ। ଏଥିପାଇଁ ନିୟମିତ ସବୁଦିନେ ଭାରତୀୟ ଡାକ ସେବା ଗାଡ଼ି ରାଜ୍ୟର ସମସ୍ତ ଜିଲା ସଦର ମହକୁମା ମୁଖ୍ୟ ଡାକଘରକୁ ଯାଉଛି। ସେଠାରୁ ଉପ ଡାକଘର ଓ ଗ୍ରାମାଞ୍ଚଳ ଡାକ ଘରଗୁଡ଼ିକୁ ଔଷଧ ଓ ଟଙ୍କା ପଠାଯିବା ନେଇ ବ୍ୟବସ୍ଥା ରହିଛି। ତେବେ ଟ୍ରେନ୍‍ ଓ ଉଡ଼ାଜାହାଜ ଚାଲିବା ଉପରେ କଟକଣା ଜାରି ହୋଇଥିବାରୁ ଦେଶର ସୀମିତ ସ୍ଥାନରେ ଏହି ସେବା ଉପଲବ୍ଧ ହେଉଛି। ତେବେ ଜରୁରୀ ଔଷଧ ଓ ଟଙ୍କା ପଠାଇବାର ବିକଳ୍ପ ମାଧ୍ୟମ ଭାବେ ଭାରତୀୟ ଡାକ ସେବା କାର୍ଯ୍ୟ କରୁଛି ବୋଲି ଭୁବନେଶ୍ୱର ଡାକ ମଣ୍ଡଳ ମୁଖ୍ୟ ଡାକଘର(ଜିପିଓ) ଡେପୁଟି ପୋଷ୍ଟମାଷ୍ଟର ଦୀପ୍ତିରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଜରୁରୀ ଔଷଧ ଓ ଟଙ୍କା ପଠାଯିବା ନେଇ ଭାରତୀୟ ଡାକ ସେବା ପଦକ୍ଷେପ ନେଇଛି। ଜଣେ ବ୍ୟକ୍ତି ରାଜ୍ୟ ତଥା ଦେଶର ଯେକୌଣସି ସ୍ଥାନ ପାଇଁ ସ୍ପିଡ୍‍ ପୋଷ୍ଟ, ପାର୍ସଲ, ମନି ଅର୍ଡର ଏବଂ ସେଭିଂ ପାସ୍‍ବୁକ୍‍ ଆକାଉଣ୍ଟରୁ ଟଙ୍କା ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଯେକୌଣସି ଡାକ ଘରେ ବୁକିଂ କରିପାରିବେ। ବୁକିଂ ସାମଗ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇ ତିନି ଦିନ ମଧ୍ୟରେ ପହଞ୍ଚାଯାଇପାରୁଛି। ଜିଲା ସଦର ମହକୁମା ସମେତ ରାଜ୍ୟର ବିଭିନ୍ନ ସହର, ବ୍ଲକ, ଗ୍ରାମାଞ୍ଚଳ ଓ ଦୁର୍ଗମାଞ୍ଚଳ ଆଦିରେ ନିୟମିତ ଡାକ ସେବା ଜାରି ରହିଛି। ତେବେ ଗାଡ଼ିମଟର ଓ ଟ୍ରେନ୍‍ ଚାଲୁନଥିବାରୁ ଦେଶର ଅନେକ ସ୍ଥାନକୁ ତାହା ପଠାଯିବା ସମ୍ଭବ ହେଉନାହିଁ। ମାଲବାହି ଟ୍ରେନ୍‍ କିମ୍ବା କେତେକ ନିର୍ଦ୍ଦିଷ୍ଟ ଉଡ଼ାଯାହାଜରେ ବୁକିଂ ସାମଗ୍ରୀ ପଠାଯାଇ ପାରୁଛି। ତେଣୁ ଜରୁରୀ ଔଷଧ ଓ ଟଙ୍କା ପଠାଇବା ପାଇଁ ଜନସାଧାରଣ ଭାରତୀୟ ଡାକ ସେବାର ସୁଯୋଗ ନେଇପାରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Comments are closed.