ମେଣ୍ଟ ଯୋଜନା : ରାହୁଲ ଓ ପୱାରଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ : ନିର୍ବାଚନ ଶେଷ ବେଳକୁ କେନ୍ଦ୍ରରେ ସରକାର ଗଠନ ନେଇ ଉତ୍କଣ୍ଠା ବଢ଼ୁଥିବାବେଳେ ତେଲୁଗୁ ଦେଶମ୍‌ ପାର୍ଟି ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏଠାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ସହ ଏକାଧିକ ବିରୋଧୀ ଦଳ ନେତାଙ୍କୁ ଭେଟିଛନ୍ତି । ସେମାନଙ୍କ ସହିତ ସେ ନିର୍ବାଚନ ପରେ ବିଜେପି ବିରୋଧୀ ମେଣ୍ଟ ଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ନାଇଡୁ ଶନିବାର ରାହୁଲଙ୍କ ତାଙ୍କ ବାସଭବନରେ ଭେଟି ମେଣ୍ଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଶରଦ ପୱାର, ଏଲ୍‌ଜେଡି ନେତା ଶରଦ ଯାଦବ, ସିପିଆଇ ନେତା ଡି. ରାଜା ଓ ସୁଧାକର ରେଡ୍ଡିଙ୍କୁ ମଧ୍ୟ ଭେଟିଛନ୍ତି । ପରେ ସେ ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂହ ଯାଦବ ଓ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କୁ ଭେଟିବା ପାଇଁ ଲକ୍ଷ୍ନୌ ଯାଇଛନ୍ତି । ଶୁକ୍ରବାର ସେ ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଓ ଆମ୍‌ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ସହିତ ଆଲୋଚନା କରିଥିଲେ। ବିଜେପି ବିରୋଧୀ ମେଣ୍ଟରେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌)କୁ ସାମିଲ ପାଇଁ ଆହ୍ବାନ ଦେଇଥିଲେ।

Comments are closed.