ବାତ୍ୟା ଜୱାଦ: ୭ ଦିନରେ କ୍ଷତି ଆକଳନ – ଏସ୍ଆରସି

ଭୁବନେଶ୍ବର: ବାତ୍ୟା ଦୁର୍ବଳ ହେଉଥିଲେ ମଧ୍ୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ‘ଜୱାଦ’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସ୍ଆରସି) ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ପ୍ରକୋପ କମିଯିବ। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ବ୍ୟାପକ ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇପାରେ। ୭ ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ କରାଯିବ।

ପାଣିପାଗ ବିଭାଗ ଆକଳନ ଆଧାରରେ ଶ୍ରୀ ଜେନା କହିଛନ୍ତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲାରେ ଅତି ପ୍ରବଳ ବର୍ଷା ହୋଇପାରେ। କଟକ ଏବଂ ଭୁବନେଶ୍ବର ସହରରେ ୨୦୦ ମିମି ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରି ମଧ୍ୟରାତି ପୂର୍ବରୁ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚାଲିଯିବ। ଆବଶ୍ୟକ ସ୍ଥଳେ ଜିଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ କରିବେ। ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲାରୁ ଏଯାବତ୍ ୩୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତଳିଆ ଅଞ୍ଚଳରୁ ୧୫୦୦ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। କଚ୍ଚା ଓ ଚାଳ ଛପର ଘରେ ନ ରହିବାକୁ ଲୋକଙ୍କୁ ବୁଝାଯାଉଛି। ଲୋକେମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବାତ୍ୟା ପ୍ରକୋପ ଅଧିକ ରହିଲେ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲିଯିବେ। ଗାଁର ଅଙ୍ଗନବାଡି କେନ୍ଦ୍ର, କୋଠଘର ଏବଂ ବିଦ୍ୟାଳୟକୁ ଚାଲିଯିବାକୁ କୁହାଯାଇଛି। ଏହି ପରିସ୍ଥିତିରେ ବିଦ୍ୟୁତ୍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ବର୍ଷା ଓ ପବନ ବହିବା ସମୟରେ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Comments are closed.