ପାଖରେ ଯୌନ ଉଦ୍ଦିପକ ଫଟୋ ରଖିବା ଅପରାଧ ନୁହେଁ : କେରଳ ହାଇକୋର୍ଟ

କୋଚି : ପାଖରେ ଯୌନ ଉଦ୍ଦିପକ ଫଟୋ ରଖିବା ଅପରାଧ ନୁହେଁ ବୋଲି କେରଳ ହାଇକୋର୍ଟ ଏକ ମାମଲାରେ ରାୟ ଦେଇଛନ୍ତି। ତେବେ ଯୌନ ଉଦ୍ଦିପକ ଫଟୋକୁ ପ୍ରକାଶ କରିବା ଓ ବାଣ୍ଟିବା ଅପରାଧ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜଣେ ମହିଳା କିମ୍ବା ପୁରୁଷ ନିଜ ପାଖରେ ନିଜର ଯୌନ ଉଦ୍ଦିପକ ଫଟୋ ରଖିଥିଲେ ସେମାନଙ୍କୁ ମହିଳା ଅଶାଳୀନ ପ୍ରଦର୍ଶନ ନିରୋଧ ଆଇନ ୧୯୮୬ର ଧାରା ୬୦ରେ ଅପରାଧଭୁକ୍ତ କରାଯାଇହେବ ନାହିଁ ବୋଲି କୋର୍ଟ କହିଛନ୍ତି। ୨୦୦୮ରେ କୋଲମ ଥାନରେ ରୁଜୁ ଏକ ମାମଲାର ଶୁଣାଣି କରି ଜଷ୍ଟିସ୍‍ ରାଜା ବିଜୟରାଘବନ ଉପରୋକ୍ତ ରାୟ ଦେଇଛନ୍ତି।
ସୂଚନା ଅନୁସାରେ ୨୦୦୮ରେ କୋଲମ ପୁଲିସ୍‍ ଏକ ବସ୍‍କୁ ଯାଞ୍ଚ କରୁଥିବା ସମୟରେ ଜଣେ ମହିଳା ଏବଂ ତାଙ୍କ ପରୁଷ ସାଥୀଙ୍କ ନିକଟରୁ ଏକ ଭିଡିଓ କ୍ୟାମେରା ଜବତ କରିଥିଲା। ସେହି ଭିଡିଓ କ୍ୟାମେରାରେ ସେମାନଙ୍କ ଯୌନ ଉଦ୍ଦିଫକ ଫଟୋ ରହିଥିଲା। ଏହି ଘଟଣାରେ ଉଭୟଙ୍କୁ କୋଲମ ପୁଲିସ୍‍ ଗିରଫ କରିଥିଲା। ଦୀର୍ଘ ୧୧ ବର୍ଷ ପରେ କୋର୍ଟ ଏହି ମାମଲାରେ ରାୟ ଦେଇଛନ୍ତି। ପାଖରେ ନିଜର ଯୌନ ଉଦ୍ଦିପକ ଫଟୋ ରଖିଲେ ତାହା ଅପରାଧ ନୁହେଁ, ସେହି ଫଟୋକୁ ପ୍ରକାଶ କଲେ କିମ୍ବା ବାଣ୍ଟିଲେ ଅପରାଧ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ରାୟକୁ ଐତିହାସିକ ବୋଲି କୁହାଯାଉଛି।

Comments are closed.