ଭୁଶୁଡିଲା ବର୍ଦ୍ଧମାନ ରେଳଷ୍ଟେସନର ଏକ ଅଂଶ – ୬ ଆହତ, ଉଦ୍ଧାର କାର୍ଯ୍ୟ ଶେଷ 

ପଶ୍ଚିମବଙ୍ଗ: ଶନିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳ ଷ୍ଟେସନ କୋଠାର ଏକ ଅଂଶ ଭାଙ୍ଗି ପଡିବା ଫଳରେ ୬ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ କେହି ରହିଛନ୍ତି କି ନାହିଁ ତାହା ଏ ଯାବତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଭାଙ୍ଗି ପଡିଥିବା କୋଠାର ଅଂଶବିଶେଷକୁ ହଟାଇବା କାର୍ଯ୍ୟ ଜୋରଦାର କରାଯାଇଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। କୋଲକାତା ଠାରୁ ୯୫ କିଲୋମିଟର ଦୂରରେ ଅବସ୍ତିତ ଏହି ଷ୍ଟେସନର ଏକ ଅଂଶ ଆଜି ସନ୍ଧ୍ୟା ୮ ଟା ୧୦ମିନିଟରେ ହଠାତ ଭୁଶୁଡି ପଡିଥିଲା। କୋଠା ଭୁଶୁଡିବା ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କୋଠାର ସେହି ଭାଗରେ ନିର୍ମାଣ କାର୍ଯ୍ୟ ଚାଲିଥିଲା ବୋଲି ଜଣେ ରେଳବାଇ ଅଧିକାରୀ କହିଛନ୍ତି।

ପୂର୍ବତଟ ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଭଗ୍ନାବଶେଷ ତଳେ କେହି ରହି ନାହାନ୍ତି। ରେଳବାଇ ଉପଖଣ୍ଡ ଅଧିକାରୀ ଇସାକ ଖାନ କହିଛନ୍ତି, ଏ ପର୍ଯ୍ୟନ୍ତ ଭଗ୍ନାବଶେଷ ତଳେ କେହି ରହିଯାଇ ଥିବା ରିପୋର୍ଟ ମିଳିନାହିଁ। ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ରେଳ ପ୍ଲାଟଫର୍ମ ସୁରକ୍ଷିତ ଥିବାରୁ ରେଳ ଚଳାଚଳରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ। ତେବେ ଭୁଶୁଡି ପଡିଥିବା କଥାକୁ ଲାଗି ରହିଥିବା ଅଂଶ ଅସୁରକ୍ଷିତ ହୋଇ ପଡି ଥିବାରୁ, ସେହି ଅଂଚଳରୁ ସମସ୍ତଙ୍କୁ ବାହାର କରି ଦିଆଯାଇଛି। ଆହତ ୬ ଜଣଙ୍କୁ ବର୍ଦ୍ଧମାନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇ ଥିବା ବେଳେ ଅନ୍ୟ ୨ ଜଣ ଚିକିତ୍ସା କରାଯାଉଛି।

ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ସୁମିତ ଶର୍ମା କହିଛନ୍ତି।

Comments are closed.