ଜନଗଣନାର ଆହ୍ବାନ

କେନ୍ଦ୍ର ସରକାର ଲୋକଙ୍କ ସଂଶୟ ଦୂର କରନ୍ତୁ

ଆସନ୍ତା ୨୦୨୧ରେ ହେବାକୁ ଥିବା ଦେଶର ୧୬ତମ(ସ୍ୱାଧୀନ ଭାରତର ଅଷ୍ଟମ) ଜନଗଣନା କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଆଗରେ ଅନେକ ଆହ୍ୱାନ ସୃଷ୍ଟି କରିଛି। କେତେକ ଦୃଷ୍ଟିକୋଣରୁ ପୂର୍ବ ଜନଗଣନାଠାରୁ ଏଥର କାର୍ଯ୍ୟକ୍ରମ ଭିନ୍ନ ବୋଲି ଜଣାପଡ଼ୁଛି। ସାମ୍ପ୍ରତିକ ରାଜନୈତିକ ପାଣିପାଗ, ଅର୍ଥନୈତିକ ସ୍ଥିତି ଓ ଲୋକଙ୍କ ମାନସିକ ଅବସ୍ଥା ଯାହା ସେଥିରେ ୨୦୨୧ ଜନଗଣନା ତଥ୍ୟ ଯେ ସମ୍ପୂର୍ଣ୍ଣ ନିର୍ଭୁଲ ରହିବ, ସେ ସମ୍ଭାବନା ଆଦୌ ନାହିଁ ବୋଲି କେତେକ ସମାଜ ବିଜ୍ଞାନୀ ମତ ଦେଇଛନ୍ତି।
ସାଧାରଣତଃ ସରକାରୀ ଭାବେ ସଂଗୃହୀତ ତଥ୍ୟ/ପରିସଂଖ୍ୟାନର ସଠିକତା ୭୦%ରୁ କମ୍‍ ବୋଲି ଗବେଷକମାନେ କହିଛନ୍ତି। ଗତ କିଛିମାସ ମଧ୍ୟରେ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକାଧିକ ରିପୋର୍ଟକୁ ଖୋଦ୍‍ କେନ୍ଦ୍ର ସରକାର ବିଶ୍ୱାସକୁ ନେଇପାରିନାହାନ୍ତି। ପରିସଂଖ୍ୟାନବିତ୍‍ଙ୍କ ମତାନୁଯାୟୀ, ସମୟ ସହିତ ଲୋକଙ୍କ ମାନସିକତା ବଦଳିଛି। ସେହି ଅନୁଯାୟୀ ତଥ୍ୟ ସଂଗ୍ରହର ପଦ୍ଧତି, ବିଶ୍ଲେଷଣର ଆଧାର ଓ ରିପୋର୍ଟ ପ୍ରସ୍ତୁତି ଶୈଳୀରେ ପରିବର୍ତ୍ତନ ଆବଶ୍ୟକ, କିନ୍ତୁ ଭାରତର ନମୁନା ସର୍ବେକ୍ଷଣ ସେହି ପାରମ୍ପରିକ ପଦ୍ଧତି ଓ ଶୈଳୀରେ ହୋଇ ଆସୁଛି। ୨୦୨୧ରେ ହେବାକୁ ଥିବା ଜନଗଣନା ପଦ୍ଧତି ମଧ୍ୟ ସେହି ପାରମ୍ପରିକ ଶୈଳୀରୁ ମୁକ୍ତ ନୁହେଁ। କେବଳ ତଥ୍ୟ ସଂଗ୍ରହ ଓ ଲିପିବଦ୍ଧ ପ୍ରକ୍ରିୟାକୁ ଅନ୍‍ଲାଇନ୍‍(କମ୍ପ୍ୟୁଟରୀକୃତ) କରିବାକୁ ନିର୍ଦେଶ ବ୍ୟତୀତ ସେଭଳି କିଛି ବଡ଼ ଧରଣର ପରିବର୍ତ୍ତନ ହୋଇଥିବା ଭଳି ଲାଗୁନାହିଁ। ତଥ୍ୟ ସଂଗ୍ରହରେ ନିୟୋଜିତ କର୍ମଚାରୀମାନେ ଅନ୍‍ଲାଇନ୍‍ ତଥ୍ୟ ସଂଗ୍ରହ ପାଇଁ ସେମାନଙ୍କ ନିଜସ୍ୱ ସ୍ମାର୍ଟଫୋନ୍‍ ବ୍ୟବହାର କରିବାକୁ କୁହାଯାଇଛି, କିନ୍ତୁ ଅନେକ ସ୍ଥାନରେ ଏବେ ମଧ୍ୟ ଇଣ୍ଟରନେଟ୍‍ ସୁବିଧା ଉପଲବ୍ଧ ନୁହେଁ। ତେଣୁ ଦୁର୍ଗମ ଅଞ୍ଚଳରେ ଅନ୍‍ଲାଇନ୍‍ ତଥ୍ୟ ସଂଗ୍ରହ ଓ ଲିପିବଦ୍ଧ ପ୍ରକ୍ରିୟା କେତେ ସଫଳ ହେବ ତାହା ଏକ ପ୍ରଶ୍ନବାଚୀ। ଏତଦ୍‍ବ୍ୟତୀତ ଅନ୍‍ଲାଇନ୍‍ ସହିତ ମାନୁଆଲ୍‍ ବା କାଗଜପତ୍ରରେ ତଥ୍ୟ ଲିପିବଦ୍ଧ କରିବା ପାଇଁ ନିର୍ଦେଶ ରହିଛି। ଏହି ଦ୍ୱୈତ ପ୍ରକ୍ରିୟା ତଥ୍ୟ ସଂଗ୍ରହକାରୀଙ୍କ କାର୍ଯ୍ୟ ପ୍ରଣାଳୀକୁ ଅଧିକ ଜଟିଳ କରିବ।
ପ୍ରାୟ ୩୦ ଲକ୍ଷ ଗଣନାକାରୀ/ତଥ୍ୟସଂଗ୍ରହକାରୀ ଓ ଅଧିକାରୀଙ୍କ ନିୟୋଜନରେ ସମାପନ ହେବାକୁ ଥିବା ୨୦୨୧ ଜନଗଣନା ପାଇଁ ୮,୭୫୪ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଥମ ପ୍ରକ୍ରିୟା ଆସନ୍ତା ଏପ୍ରିଲ୍‍ ମାସରୁ ଆରମ୍ଭ ହୋଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିବ। ଏହାପରେ ଆସନ୍ତା ବର୍ଷ ଫେବୃଆରୀ ମାସରୁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ ହେବ। ଗତ କିଛି ମାସ ହେଲା ଜାତୀୟ ନାଗରିକ ପଞ୍ଜିକା(ଏନ୍‍ଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‍ପିଆର)କୁ ନେଇ ଲୋକଙ୍କ ମନରେ ଏକ ଅବାଞ୍ଛିତ ଆଶଙ୍କା ସୃଷ୍ଟି ହୋଇଛି। କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀର ଗୁଜବ ଏହି ଆଶଙ୍କାକୁ ଅଧିକ ଘନୀଭୂତ କରୁଥିବା ବେଳେ ଏହାର ସ୍ପଷ୍ଟୀକରଣ ପାଇଁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ପ୍ରଭାବଶାଳୀ ଓ ଆଖିଦୃଶିଆ ପଦକ୍ଷେପ ନେଇଥିବା ଜଣାପଡ଼ୁନାହିଁ। ତେଣୁ ଏହି ଆଶଙ୍କା ଓ ସନ୍ଦେହର ଭିତ୍ତି ଉପରେ ୧୬ତମ ଜନଗଣନା ରିପୋର୍ଟ କେତେ ନିର୍ଭୁଲ୍‍ ହେବ, ତାହା ଅନୁମାନ କରିବା କଷ୍ଟକର।
ଜନଗଣନା କେବଳ ମୁଣ୍ଡ ଗଣିବା କାର୍ଯ୍ୟକ୍ରମରେ ସୀମିତ ନୁହେଁ। ଏଥିରୁ ଦେଶର ସାମାଜିକ-ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଜାଣିହୁଏ। ସେହି ଅନୁଯାୟୀ ଯୋଜନା ଓ ନୀତି ନିର୍ଦ୍ଧାରଣ ହୁଏ। ଯଦି ତଥ୍ୟ/ପରିସଂଖ୍ୟାନ ବା ନୀତି ନିର୍ଦ୍ଧାରଣର ଆଧାର ହିଁ ଭ୍ରମାତ୍ମକ ହେବ ତେବେ ଯୋଜନା ଲକ୍ଷ୍ୟଭ୍ରଷ୍ଟ ହେବା ନିଶ୍ଚିତ। ଅପରପକ୍ଷରେ ଜନଗଣନା ପାଇଁ ଘରକୁ ଘର ବୁଲୁଥିବା କର୍ମଚାରୀଙ୍କୁ ଅଧିକାଂଶ ଲୋକ ସରକାରଙ୍କ ଏଜେଣ୍ଟ ବା ଘୋଷିତ ଗୁପ୍ତଚର ଦୃଷ୍ଟିରେ ଦେଖି ଆସୁଛନ୍ତି। ସଠିକ୍‍ ବିବରଣୀ ଦେଲେ ମିଳୁଥିବା ସରକାରୀ ରିଆତି ଓ ଜନକଲ୍ୟାଣ କାର୍ଯ୍ୟକ୍ରମର ସୁବିଧା ସୁଯୋଗ କାଳେ ସେମାନଙ୍କଠାରୁ ପ୍ରତ୍ୟାହାର କରି ନିଆଯିବ ସେହି ଭୟରେ ଲୋକମାନେ ଜନଗଣନା କର୍ମଚାରୀଙ୍କୁ ସହଯୋଗ କରନ୍ତି ନାହିଁ କିମ୍ବା ଜାଣିଶୁଣି ଭୁଲ୍‍ ତଥ୍ୟ ଦିଅନ୍ତି। ପଛୁଆ ଅଞ୍ଚଳ, ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଏହି ସମସ୍ୟା ଅଧିକ। ତେଣୁ ସଂଗୃହୀତ ତଥ୍ୟର ସଠିକତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଏସବୁ ସମସ୍ୟା ବ୍ୟତୀତ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ଓ ରେଜିଷ୍ଟ୍ରାର ଜେନେରାଲ୍‍ ଆଣ୍ଡ ସେନସସ୍‍ କମିସନର ଅଫ୍‍ ଇଣ୍ଡିଆ(ଜନଗଣନା ଦାୟିତ୍ୱରେ ଥିବା ସଂସ୍ଥା)ଙ୍କ ଆଗରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ନବଗଠିତ ଜାମ୍ମୁକାଶ୍ମୀର ଓ ଲଦାଖ୍‍ର ଜନସଂଖ୍ୟା ଗଣନା। ସେହିପରି ଏନ୍‍ପିଆର କାର୍ଯ୍ୟକାରୀ ହେବ ନାହିଁ ବୋଲି କେତେକ ରାଜ୍ୟ ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ନିଜ ଜିଦ୍‍ରେ ଅଟଳ ଅଛନ୍ତି। ଏହି ଦୃଷ୍ଟିରୁ ଜନଗଣନାକୁ ନେଇ ସାମ୍ବିଧାନିକ ସଙ୍କଟ ସୃଷ୍ଟି ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ।
ବିପୁଳ ଆର୍ଥକ ବ୍ୟୟରେ ହେବାକୁ ଥିବା ଯେକୌଣସି ସରକାରୀ କାର୍ଯ୍ୟକ୍ରମ ଯଦି ସଂଶୟଯୁକ୍ତ ହୁଏ ତେବେ ତାହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ଅବିଶ୍ୱାସମୁକ୍ତ ହୋଇପାରିବ ନାହିଁ। ତେଣୁ ଜନସଂଖ୍ୟା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ଜନସାଧାରଣଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଓ ସଂଶୟ ଦୂର କରିବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରିଲେ ସରକାରଙ୍କ ଉପରେ ସେମାନଙ୍କ ଭରସା ବୃଦ୍ଧି ପାଇବ ଏବଂ ଏହି ମହତ୍‍ ଉଦ୍ଦେଶ୍ୟ ଫଳବତୀ ହୋଇପାରିବ।

Comments are closed.