ଇତିହାସ ରଚିଲା ‘ରାମାୟଣ’ : ଆଜି ରାତି ୯ରୁ ‘ଶ୍ରୀକୃଷ୍ଣ’

ନୂଆଦିଲ୍ଲୀ : ଲକଡାଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରାଯାଉଛି । ତେଣୁ ଘରେ ସେମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦେବା ପାଇଁ ବିଭିନ୍ନ ଲୋକପ୍ରିୟ ଧାରାବାହିକ ଦୂରଦର୍ଶନରେ ପ୍ରସାରଣ କରାଯାଉଛି । ପୌରାଣିକ ଧାରାବାହିକ ‘ରାମାୟଣ’, ଟେଲିଭିଜନ ଇତିହାସରେ ରେକର୍ଡ ସୃଷ୍ଟି କରିବା ପରେ ଆଜିଠାରୁ ପୌରାଣିକ ଧାରାବାହିକ ରାମାନନ୍ଦ ସାଗରଙ୍କ ‘ଶ୍ରୀକୃଷ୍ଣ’  ପ୍ରସାରିତ ହେବ । ସେହିପରି ‘ମହାଭାରତ’ ମଧ୍ୟ ଦୂରଦର୍ଶନ​ରେ ପ୍ରସାରିତ ହେଉଛି ।

ଆଜି ଅର୍ଥାତ୍‍ ରବିବାରଠାରୁ ଦୂରଦର୍ଶନରେ ପ୍ରସାରିତ ହେବ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଶ୍ରୀକୃଷ୍ଣ’ । ରବିବାରଠାରୁ ପ୍ରତ୍ୟେକ ଦିନ ରାତି ୯ଟାରେ ଦର୍ଶକ ଏହାକୁ ଦେଖିପାରିବେ । ଏନେଇ ଦୂରଦର୍ଶନ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଶନିବାର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଦୂରଦର୍ଶନରେ ‘ଉତ୍ତର ରାମାୟଣ’ର ଶେଷ ଏପିସୋଡ ଶନିବାର ପ୍ରସାରିତ ହୋଇଛି । ତେଣୁ ସେହି ସମୟରେ ପୌରାଣିକ ଧାରାବାହିକ ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ‘ଶ୍ରୀକୃଷ୍ଣ’ ପ୍ରଥମେ ୧୯୯୩ରୁ ୧୯୯୬ ଯାଏଁ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ଶ୍ରୀକୃଷ୍ଣର ନିର୍ଦ୍ଦେଶନା ରାମାନନ୍ଦ ସାଗର ଦେଇଥିଲେ । ଏହି ସିରିଏଲ ଟିଭିରେ ଆସିବା ପୂର୍ବରୁ ଲୋକମାନେ ଉତ୍ସାହର ସହିତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ । ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ ପୁନର୍ବାର ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

pic courtesy-the indian express

ଅନ୍ୟପକ୍ଷରେ କରୋନା ଲକ୍‍ଡାଉନ୍‍ ସମୟରେ ଲୋକଙ୍କ ମନୋରଞ୍ଜନ କରିବା ସହ ନୂଆ ଇତିହାସ ସୃଷ୍ଟି କରିଛି ଦୂରଦର୍ଶନରେ ପ୍ରସାରିତ ହେଉଥିବା ପୌରାଣିକ ଧାରାବାହିକ ‘ରାମାୟଣ’ । ୩ ଦଶକ ପୂର୍ବରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରସ୍ତୁତ ଏହି ରାମାୟଣ ଧାରାବାହିକ ଏବେବି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛି।

ଟିଆର୍‌ପି ଦୌଡରେ ନିଜର ରେକର୍ଡ ଭାଙ୍ଗିଛି ରାମାୟଣ । କେବଳ ସେତିକି ନୁହେଁ ଏହା ବିଶ୍ୱ ରେକର୍ଡ ମଧ୍ୟ କରିଛି । ଧାରାବହିକ ‘ରାମାୟଣ’କୁ ଏପ୍ରିଲ ୧୬ରେ ପାଖାପାଖି ୭.୭ କୋଟି ଦର୍ଶକ ଦେଖିଥିବା ଜଣାପଡିଛି। ଯାହା ବିଶ୍ୱର ଅନ୍ୟ ସମସ୍ତ ଶୋ’ଠାରୁ ସର୍ବାଧିକ। ସବୁଠାରୁ ବଡକଥା ହେଲା ଟିଆର୍‌ପିରେ ହଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଶୋ’ ‘ଗେମ ଅଫ୍‌ ଥ୍ରୋନ୍ସ’କୁ ବି ପଛରେ ପକାଇ ଦେଇଛି ଏହି ଧାରାବାହିକ ।

Comments are closed.