ପରଲୋକରେ ପ୍ରଫୁଲ୍ଲ କର

ଭୁବନେଶ୍ବର : ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର  ସତ୍ୟନଗର ସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି। ଜଣେ ସୁନାମଧନ୍ୟ ଗାୟକ ଓ ସଙ୍ଗୀତ ନିର୍ଦେଶକ ଭାବେ ସେ ବେଶ ପରିଚିତ ଥଲେ । ସଙ୍ଗୀତ ଜଗତଙ୍କୁ ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅନେକ ଚଳଚ୍ଚିତ୍ରରେ ନିଜେ ଗୀତ ଗାଇବା ସହ ସଙ୍ଗୀତ ନିର୍ଦେଶନା ଦେଇ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ପ୍ରଫୁଲ୍ଲ କରଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଆସନ୍ତା କାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

୧୯୩୯ ମସିହା ଫେବୃୟାରୀ ୧୬ ତାରିଖରେ ପ୍ରଫୁଲ୍ଲ କର ଜନ୍ମ ଗ୍ରହଣ କରିଥିଲେ। ସେ ୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଥିଲେ। ୪ଟି ବଙ୍ଗଳା ଫିଲ୍ମରେ ମଧ୍ୟ ସେ କଣ୍ଠଦାନ କରିଥିଲେ। ୨୦୦୪ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ​ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡ଼ି.ଲିଟ୍ ଉପାଧି ପ୍ରଦାନ କରାଯାଇଥିଲା।

Comments are closed.