ଅଜଣା ରୋଗରେ ପୀଡିତ ଇନଶାନକୁ ସହାୟତା ପାଇଁ ସ୍ଵର ଉଠିଲା

ପାଟଣା : ଅଜଣା ରୋଗରେ ପୀଡିତ ଗରିବ ଅସହାୟ ଇନଶାନ କୁମାର ନାଏକଙ୍କୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ପାଇଁ ଗ୍ରାମବାସୀ ସ୍ବର ଉଠାଇଛନ୍ତି । ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିମିର୍ଦାପଶି ଗ୍ରାମର ଇନଶାନ କୁମାର ନାଏକ(୩୩) ଏବେ ଅଜଣା ରୋଗରେ ଘରେ ପଡି ରହିଛନ୍ତି । ଗତ ୨୦୧୭ ମସିହାରେ ତାଙ୍କ ବେକ ପାଖରେ ଏକ ଭାତୁଡି ଆକାର ମାଂସ ବଢିବାପରେ ଏବେ ଏହା ଏକ କ୍ରିକେଟ ବଲ ଆକାରରେ ଆବୁ ହୋଇଗଲାଣି। ଅପରପକ୍ଷରେ ତାଙ୍କର ଗୋଡରେ ମଧ୍ୟ ଭାତୁଡି ଆକାରରେ ବାହାରିବା ପରେ ଏବେ ଏହା ମାଡିଯିବା ସହ ପଚି ପୂଜ ବାହାରୁଛି । ଇନଶାନ କେନ୍ଦୁଝର ଡାକ୍ତରଖାନା ଯାଇ ଔଷଧ ଆଣି ଖାଇଥିଲେ ମଧ୍ୟ ରୋଗ ଉପଶମ ନ ହେବାରୁ ଘରେ ପଡି ରହିଛନ୍ତି । ସ୍ଵାମୀଙ୍କର ଏପରି ଅବସ୍ଥା ଦେଖି ପତ୍ନୀ ଚଞ୍ଚଳା ନାଏକ ପରଘରେ କାମ କରି ପରିବାର ପ୍ରତି ପୋଷଣ କରୁଛନ୍ତି । ଏକମାତ୍ର ୬ ବର୍ଷର ପୁଅ ଓ ପତ୍ନୀକୁ ନେଇ ଇନଶାନ ଙ୍କ ପରିବାର ଏହି ଅଜଣା ରୋଗ କାରଣରୁ ଅଶାନ୍ତିରେ ଅଛନ୍ତି । ଅଜଣା ରୋଗ ଯୋଗୁଁ ଇନଶାନଙ୍କ ଶରୀର ଶୁଖିଯିବା ସହ ଆଖି ଖୋଲି ଚାହିଁବା ସମୟରେ ମଧ୍ୟ ସେ କଷ୍ଟ ଅନୁଭବ କରୁଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଇନଶାନଙ୍କ ଉନ୍ନତ ଚିକିତ୍ସା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହାୟତାର ହାତ ବଢାଇବା ସହ ତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ପ୍ରଦାନ କରାଯିବାକୁ ଗ୍ରାମବାସୀ ସ୍ଵର ଉଠାଇଛନ୍ତି ।

Comments are closed.