ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇଠାରେ ଗତକାଲି ଅପରାହ୍ନରେ ଲଗାଣ ବର୍ଷା ହେବାରୁ ହରିଜନ ସାହିର ବିଧବା କୌଶଲ୍ୟା ସୁନିତାଙ୍କ ଝାଟିମାଟି ଚାଳ ଛପର ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ବିଧବା ସୁନିତା କହିବା ଅନୁଯାୟୀ କାଲି ବର୍ଷରେ ମାଟି କାନ୍ଥ ଭିଜି ଯାଇଥିଲା । ରାତିରେ ଖାଇ ସାରି ବିଧବା ସୁନିତାଙ୍କ ସହ ଝିଅ ଓ ଶାଶୁ ମିଶି ଶୋଇଥିବା ବେଳେ ଘର ପଡିଯାଇଥିଲା । ଏହାକୁ ସାହି ପଡିଶା ଦେଖି ପରିବାରର ୩ଜଣଙ୍କୁ ଉଦ୍ଧାର କରି ପଡ଼ିଶା ଘରେ ରାତ୍ରି ଯାପନ ପାଇଁ ସ୍ଥାନ ଦେଇଥିଲେ । କିନ୍ତୁ ବର୍ଷାରେ ଘରେ ରଖିଥିବା ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ଓଦା ହୋଇ ଯାଇଛି ।

ସକାଳୁ ରାଜସ୍ୱ ଅଧିକାରୀ ଵୈଦୁର୍ଯ୍ୟମଣୀ ଭୂୟାଁ ଘଟଣା ସ୍ଥଳରେ ପହଞ୍ଚି ବିଧବା ପରିବାରକୁ ପଲିଥିନ ଯୋଗାଇଥିଲେ । ଏହି ବିଧବା ଅସହାୟ ମହିଳା ଘର ଖଣ୍ଡିଏ ପାଇଁ ପଞ୍ଚାୟତଠାରୁ ବ୍ଲକ ପର୍ୟ୍ୟନ୍ତ ସମସ୍ତ ଜନ ପ୍ରତିନିଧି ଓ ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ମଧ୍ୟ ତାଙ୍କ ଗୁହାରି କେହି ହେଲେ ଶୁଣି ନଥିଲେ । ଯଦି ସେ ଆବାସ ଯୋଜନାରେ ସାମିଲ ହୋଇଥିଲେ ଆଜି ଏପରି ଦଷା ଭୋଗିବାକୁ ପଡି ନ ଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରି ତୁରନ୍ତ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Comments are closed.