ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ମିଳୁନି ବିଧବା ଭତ୍ତା

ବେଗୁନିଆ : ବ୍ଲକ ପ୍ରଶାସନର ନିଷ୍କ୍ରିୟତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବାର ଦୁଇ ବର୍ଷ ପରେ ମଧ୍ୟ ତାଙ୍କର ବିଧବା ପତ୍ନୀ ବିଧବା ଭତ୍ତା ନ ପାଇବା ନିଶ୍ଚୟ ପରିତାପର ବିଷୟ। ଫଳରେ ସମ୍ପୃକ୍ତ ବିଧବା ମହିଳାଜଣକ ସମସ୍ତ କ୍ଷେତ୍ରରେ ସରକାରୀ ଯୋଜନାଠାରୁ ଦୂରରେ ରହି ପର ଦୁଆରେ ମୂଲ ଲାଗି ସେହି ସ୍ୱଳ୍ପ ପାରିଶ୍ରମିକରେ ନିଜ ପିଲାମାନଙ୍କ ସହ ଅର୍ଦ୍ଧାହାରରେ ଏକ ଭଙ୍ଗା କୁଡ଼ିଆରେ ଜୀବନ ଅତିବାହିତ କରୁଥିବାର ଦେଖିବାକୁ ମିଳୁଛି ।

ବେଗୁନିଆ ବ୍ଲକ ବଡବେରଣକ୍ଷ ପଂଚାୟତ ଅନ୍ତର୍ଗତ କୋଲୁହାପାଟଣା ଆଦିବାସୀ ସାହିର ବଂଶୀଧର ନାହାକଙ୍କ ପତ୍ନୀ ତୁଳସୀ ଦେଇ ନିଜର ୪ଝିଅ ଏବଂ ଗୋଟିଏ ପୁଅକୁ ନେଇ କୌଣସି ପ୍ରକାରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବାବେଳେ ଭଙ୍ଗା ଦଦରା କୁଡ଼ିଆରେ ୭ପ୍ରାଣୀ ଜୀବନ ଅତିବାହିତ କରି ଆସୁଥିଲେ । କିନ୍ତୁ ଇତି ମଧ୍ୟରେ ବଂଶୀଧର ମୃତ୍ୟୁବରଣ କରିବାର ଦୁଇବର୍ଷ ଅତିକ୍ରାନ୍ତ ହୋଇଗଲାଣି । ସ୍ୱାମୀଙ୍କ ଅନୁପସ୍ଥିତିରେ ତୁଳସୀ ଏବେ ପରଦୁଆରେ ମୂଲ ଲାଗି ସ୍ୱଳ୍ପ ରୋଜଗାରରେ ପିଲାମାନଙ୍କୁ ପୋଷିବା ସହିତ ନିଜେ ବଂଚିବା କଷ୍ଟକର ହୋଇପଡ଼ିଛି । ଅର୍ଥ ଅଭାବରୁ ପିଲାମାନେ ପାଠ ପଢିବାରୁ ବଂଚିତ ହୋଇଛନ୍ତି । ସରକାରୀ ଯୋଜନା ଏବେ ଏହି ପରିବାରଠାରୁ ବହୁ ଦୂରରେ । ସ୍ୱାମୀ ମରିବାର ଦୁଇ ବର୍ଷ ଭିତରେ ତୁଳସୀ ବିଧବା ଭତ୍ତା ପାଇଁ ବ୍ଲକରେ ୪ ଥର ଆବେଦନ କରିଥିଲେ ମଧ୍ୟ ରାଜନୈତିକ ସୁପାରିଶ ଅଭାବରୁ ସେ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହେଉଛି। ସେହିପରି ସରକାରଙ୍କର ଆବାସ ଯୋଜନାରେ ଆଜି ପର୍ୟ୍ୟନ୍ତ ଘର ଖଣ୍ଡିଏ ପାଇ ପାରି ନଥିବା ଯୋଗୁଁ ବିପଦପୂର୍ଣ୍ଣ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ପରିବାର ସଦସ୍ୟମାନେ ଓଳିଏ ଖାଇଲେ ଓଳିଏ ଉପବାସରେ ରହି ସରକାରଙ୍କ ଯୋଜନାକୁ ଚାହିଁ ଚାହିଁ ଦିନ କାଟୁଛନ୍ତି ।

Comments are closed.