ପୌର ପରିଷଦର ଉନ୍ନୟନ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଅଭିଯୋଗ କରି ଆଜି ଭାରତୀୟ ଜନତା ପାର୍ଟିର ଫୁଲବାଣୀ ନଗର ସଭାପତି ଶୁସାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରକାରେ, ପୌରାଞ୍ଚଳ ପକ୍ଷରୁ ସହରରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର, ହାଉସିଙ୍ଗ ଏବଂ ଅର୍ବାନ ଡେଭେଲପମେଣ୍ଟ ପାଣ୍ଠିରୁ ପୌରାଞ୍ଚଳରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ ଗୁଡିକ ଅତି ନିମ୍ନ ମାନର ବୋଲି ଦାବି କରାଯିବା ସହିତ ଏହାର ସଠିକ ତଦନ୍ତ କରାଯିବାକୁ ମଧ୍ୟ ଦାବି କରାଯାଇଛି। ସହରରେ ନିର୍ମାଣ କରାଯାଇଥିବା ଡ୍ରେନ୍ ଗୁଡ଼ିକରେ ପକାଯାଇଥିବା କଙ୍କ୍ରିଟ ପ୍ଲେଟ୍ ସବୁ ଅତି କମ ସିମେଣ୍ଟ ଲଗାଯାଇ ସେହିଗୁଡିକ ଯେତିକି ମୋଟା ହେବାକଥା ସେଗୁଡିକ ତାଠାରୁ ପତଳା ଏବଂ ଦୁର୍ବଳ ଥିବା କୁହାଯାଇଛି। ପୌରାଞ୍ଚଳ ତରଫରୁ କରାଯାଇଥିବା କାମ ନିକଟରେ କୌଣସି ଫଳକ ଲଗାଯାଇନାହିଁ କିମ୍ବା ସେଠାରେ ସେହି କାମର ଅଟକଳର ମୂଲ୍ୟ, ଶ୍ରମିକଙ୍କ ମଜୁରୀ ବାବଦରେ ଉଲ୍ଲେଖ କରାଯାଇନାହିଁ। ସେଥିପାଇଁ ସହରରେ ହୋଇଥିବା ସମସ୍ତ କଙ୍କ୍ରିଟ୍ କାର୍ଯ୍ୟର ନମୁନା ନେଇ କ୍ୱାଲିଟି କଣ୍ଟ୍ରୋଲକୁ ପଠାଯାଇ ସେହୁଗିଡିକର ମାନ ବାବଦରେ ତଦନ୍ତ କରାଯାଉ ବୋଲି ଦଳପକ୍ଷରୁ ଦାବୀ କରାଯାଇଛି। ଏହା କରା ନଗଲେ ଦଳପକ୍ଷରୁ ପୌରାଞ୍ଚଳ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ନଗର ସଭାପତି। ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଦାବିପତ୍ର ଗ୍ରହଣ କରିଥିବା ବେଳେ ଏଥିରେ ବିଜେପିର ବହୁ କର୍ମକର୍ତ୍ତା ମାନେ ସାମିଲ୍ ହୋଇଥିଲେ।

Comments are closed.