ପ୍ରଚାରର ଶେଷ ସଂଧ୍ୟାରେ ଆକ୍ରମଣ

ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି-ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରକୁ ବୋମାମାଡ଼

ଭୁବନେ‌ଶ୍ବର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ସଂଧ୍ୟାରେ ମଧ୍ୟ ନିର୍ବାଚନ ମଣ୍ଡଳୀ​​‌ରେ ‌ନିର୍ବାଚନୀ ହିଂସା ଉଗ୍ର ରୂପ ଧାରଣ କରିଛି। ବିଜେଡି-ବିଜେପି କର୍ମୀମାନେ ଦୁଇଟି ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି। ଦୁଇଟି ସ୍ଥାନରେ ବୋମାମାଡ଼ ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର୍‌ କାଚ ଭାଙ୍ଗିବା ସହିତ ସେ ଆହତ ହୋଇଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଗୁରୁତର ଆହତ ହୋଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ପ୍ରଧାନ ସଂଧ୍ୟାରେ ୟୁନିଟ୍‌-୮ ଡେଲ୍‌ଟା କଲୋନୀର ଇଲେ୍‌କ୍ଟ୍ରିକ ସବ୍‌ଷ୍ଟେସନ ନିକଟରେ ଥିବା ଦଳୀୟ କାର୍ଯ୍ୟାଳୟରୁ ପ୍ରଚାର ସାରି ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ କାର୍‌କୁ ଲକ୍ଷ୍ୟ କରି ବୋମାମାଡ଼ କରିଥିଲେ। ବୋମାମାଡ଼ରେ ଶ୍ରୀ ପ୍ରଧାନଙ୍କ କାର୍‌ କାଚ ଭାଙ୍ଗି ଯାଇଥିବା ବେଳେ ସେ ଆହତ ହୋଇଥିଲେ। ସେହିପରି ରାତି ପ୍ରାୟ ୧୦ଟା ବେଳେ ବିଜେଡି ପ୍ରାର୍ଥୀ ଶ୍ରୀ ଜେନା ଝାରପଡ଼ା କେନାଲ୍‌ ରୋଡରେ କାର୍‌ରେ ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଶ୍ରୀ ଜେନାଙ୍କ ଗାଡ଼ିକୁ ଅଟକାଇ କିଛି ଯୁବକ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।
ବୋମାମାଡ଼ରେ ଆହତ ହୋଇଥିବା ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ବୋମାମାଡ଼ ଯୋଗୁଁ ଶ୍ରୀ ପ୍ରଧାନଙ୍କ ହାତରେ ଆଘାତ ଲାଗିଥିଲା। ତାଙ୍କ ଗାଡିର ସାମ୍‌ନା ଡୋର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଦୁର୍ବୃତ୍ତମାନେ ଅନ୍ଧାରର ସୁଯୋଗ ନେଇ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ଶ୍ରୀ ପ୍ରଧାନଙ୍କ ଉପରକୁ ବୋମାମାଡ ଖବର ପ୍ରଚାରିତ ହେବା ପରେ ଶହ ଶହ କର୍ମୀ ଡେଲଟା କଲୋନୀରେ ପହଞ୍ଚିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ନୂଆପଲ୍ଲୀ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।
ସେହିପରି ଝାରପଡା କେନାଲ୍‌ ରୋଡ୍‌ରେ ଶ୍ରୀ ଜେନା ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ କାର୍‌ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ତାଙ୍କ କାର୍‌ କାଚ ଭାଙ୍ଗିବା ସହିତ ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କ ସହିତ କାର୍‌ରେ ଥିବା ଅନ୍ୟ ସହ‌େଯାଗୀ ମଧ୍ୟ ଆହତ ହୋଇଛନ୍ତି। ଶ୍ରୀ ଜେନାଙ୍କ ସମର୍ଥକ ଅମୂଲ୍ୟ ରଞ୍ଜନ ପରିଡା ଲକ୍ଷ୍ମୀସାଗର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଅନୁସନ୍ଧାନ ଚଳାଇଛି।
ଘସିପୁରାରେ ବିଜେଡି-କଂଗ୍ରେସ ସଂଘର୍ଷ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ,-ପର୍ଯ୍ୟବେକ୍ଷକଙ୍କ ସମେତ ୨୦ ଆହତ, ଗାଡ଼ି ଭଙ୍ଗାରୁଜା

କେନ୍ଦୁଝର : ଘସିପୁରା ନିର୍ବାଚନମଣ୍ଡଳୀର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରୀପଡ଼ା ଓ ଗଡ଼ବାନ୍ଧୋଗୋଡ଼ା ନିକଟରେ ରବିବାର ସନ୍ଧ୍ୟାରେ ନିର୍ବାଚନ ହିଂସା ଘଟିଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କଂଗ୍ରେସ ପର୍ଯ୍ୟବେକ୍ଷକ ରମେଶ ଜେନାଙ୍କ ସମେତ ଉଭୟ ପକ୍ଷରୁ ୨୦ଜଣ ଆହତ ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ବ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

ପ୍ରଚାରର ଶେଷ ଦିନରେ କଂଗ୍ରେସ ପକ୍ଷରୁ ବାଇକ ଶୋଭାଯାତ୍ରା ଚାଲିଥିବାବେଳେ ଦଳର ସମର୍ଥକମାନେ ଘସିପୁରା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନ ବୁଲି ପ୍ରଚାର କରିବା ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଡବାନ୍ଧୋଗୋଡାର ଭଣ୍ଡାରିପଡା ଠାରେ ପହଁଞ୍ଚିଥିଲେ। ସେଠାରେ ପୂର୍ବରୁ ଥିବା କିଛି ବିଜେଡି ସମର୍ଥକଙ୍କ ସହିତ ରୋଡ଼ ଶୋରେ ସାମିଲ ଥିବା କିଛି କଂଗ୍ରେସ ସମର୍ଥକଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ କଂଗ୍ରେସର ରାଲିରେ ଯୋଗଦେଇଥିବା କେତେକ ନିର୍ବାଚନ ମଣ୍ଡଳୀ ବାହାରର ସମର୍ଥକ ବନ୍ଧୁକ ବାହାରକରି ସେମାନଙ୍କୁ ଭୟଭୀତ କରିବା ସହ ସେଠାରେ ଖୋଲା ଗୁଳିଚାଳନା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଘସିପୁରା ନିର୍ବାଚନମଣ୍ଡଳୀରେ ନିର୍ବାଚନ ସରଗରମ ହୋଇଥିବାରୁ ଏଘଟଣା ସଙ୍ଗେସଙ୍ଗେ ସବୁଆଡେ ପ୍ରଚାର ହୋଇଯାଇଥିଲା। ପରେ ସେଠାରୁ କଂଗ୍ରେସ ରାଲି ବାହାରି ନହଙ୍ଗି ଛକରେ ପହଁଞ୍ଚିବା ପରେ ସେଠାରେ ପୂର୍ବରୁ ଥିବା ବିଜେଡିର ସମର୍ଥକ ପାଟିତୁଣ୍ଡ କରିଥିଲେ। ଉଭୟ ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମାରପିଟ ହେବା ସହ ଟେକା ପଥର ମାଡରେ କଂଗ୍ରେସର ୨୦ଜଣ ଆହତ ହୋଇଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେଠାରୁ ଆସି ପ୍ରଥମେ ରାମଚନ୍ଦ୍ରପୁର ଥାନାରେ ପହଁଞ୍ଚି ଏସଂକ୍ରାନ୍ତରେ ଜଣାଇବା ପରେ ଆନନ୍ଦପୁର ମେଡିକାଲ ଆସି ଆହତ କର୍ମୀଙ୍କୁ ଭେଟିଥିଲେ। ଘଟଣା ଜଣାପଡିବା ପରେ ଆନନ୍ଦପୁର ମେଡିକାଲ ପରିସର ଲୋକାରଣ୍ୟ ହୋଇଥିଲା। ଏହି ଘଟଣାରେ ପୁଲିସ କିଛି ନିର୍ବାଚନ ମଣ୍ଡଳୀ ବାହାରର କେତେକ କଂଗ୍ରେସ ସମର୍ଥକଙ୍କୁ ଗିରଫ କରିଛି। ଖବରଲେଖାହେବା ପର୍ଯ୍ୟନ୍ତ ଆନନ୍ଦପୁର ମେଡିକାଲରେ ଆହତ ମାନେ ଚିକିତ୍ସିତ ହେଉଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦୁଝର ଏସପି ଓ ଜିଲାପାଳ ସେଠାରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଶାସକ ଦଳ ପକ୍ଷରୁ ଏଭଳି ଅଶାନ୍ତ ପରିବେଶ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି।

Comments are closed.