ପଲିଥିନ ବ୍ୟାନ ନେଇ ଦୋକାନବଜାରରେ ଚଢାଉ

ଟିଟିଲାଗଡ଼ : ଏକ ଐତିହାସିକ ପଦକ୍ଷେପ କ୍ରମେ ଟିଟିଲାଗଡ ପୌରପରିଷଦ ପକ୍ଷରୁ ଆଜି ଠାରୁ ସହରରେ ସମ୍ପୁର୍ଣ୍ଣ ପଲିଥିନ ବ୍ୟାନ କରାଯାଇଛି। ଏନେଇ ପୁର୍ବରୁ ପୌରପରିଷଦରେ ଘୋଷଣା ନେଇ ନାଗରିକଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଥିଲା। ଶନିବାର ପୁର୍ବାହ୍ନରେ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ପୌର ନିର୍ବାହୀ ଅଧିକାରୀଙ୍କ ସମେତ କାଉନସିଲର, ପୌର କର୍ମଚାରୀ ଉପସ୍ଥିତିରେ ମାଜିଷ୍ଟ୍ରେଟ ତଥା ପୁଲିସ ପ୍ରଶାସନ ପକ୍ଷରୁ ୨ଟି ଟିମ ଗଠନ କରାଯାଇ ସହର ସାରା ବିଭିନ୍ନ ଦୋକାନ ବଜାର ଉପରେ ବ୍ୟାପକ ଚଢଉ କରାଯାଇ ପଲିଥିନ ଏବଂ ପ୍ଲାଷ୍ଟିକ ଗ୍ଲାସ ଜବତ କରାଯାଇଛି। ଏନେଇ ଅନେକ ଦୋକାନୀ ସ୍ୱତପୁତଃ ଭାବରେ ଗଚ୍ଛିତ ରଖିଥିବା ପଲିଥିନ ବ୍ୟାଗ, ପ୍ଲାଷ୍ଟିକ ଗ୍ଲାସ ପୁଲିସକୁ ହସ୍ତାନ୍ତର କରିଥିବା ଦେଖାଯାଇଥିଲା। କିଛି ଦୋକାନୀ ପଲିଥିନ ବ୍ୟାଗ ଲୁଚାଇବାରେ ସକ୍ଷମ ହୋଇଥିବା ବେଳେ କିଛି ଆଗତୁରା ଦୋକାନ ବନ୍ଦ କରିଦେଇଥିବା ଆଲୋଚନାର ବିଷୟ ହୋଇଛି। ଆଜି ଠାରୁ ବ୍ୟାନ କଡାକଡି ଭାବରେ ଲାଗୁ ହୋଇଥିବା ବେଳେ ପରବର୍ତ୍ତିକାଳରେ ଯେ କେହି ପଲିଥିନ ବ୍ୟାଗ ଗଚ୍ଛିତ ରଖିବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା କହିଛନ୍ତି। ସହରର ପଲିଥିନର ବ୍ୟାପକ ବ୍ୟବହାର ହେବା ଯୋଗୁଁ ନାଳ,ନର୍ଦ୍ଦମା, ରାସ୍ତା ଘାଟ ଆଦି ବିଭିନ୍ନ ସର୍ବସାଧାରଣ ସ୍ଥାନ ପ୍ରଦୁଷିତ ହୋଇ ପରିବେଶକୁ କଳୁଷିତ କରିଚାଲିଛି। ଏପରିପ୍ରେକ୍ଷୀରେ ପୌରପରିଷଦର ଅଭିନବ ପଦକ୍ଷେପ ସଫଳ ହେଲେ ସହର ସରସ ସୁନ୍ଦର ହେବାରେ ବାଟ ଫିଟିବ ବୋଲି ବୁଦ୍ଧିଜିବୀ ମହଲରେ ପ୍ରଚେଷ୍ଟାକୁ ସ୍ୱାଗତ କରାଯାଇଛି।

Comments are closed.