ଦିଲ୍ଲୀ ପ୍ରଦୂଷଣ: ଦିନକୁ ୨୦ଟି ସିଗାରେଟ୍‍ ପିଇବା ସହ ସମାନ

0

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣସ୍ତର ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ଦିନକୁ ୧୫ରୁ ୨୦ଟି ସିଗାରେଟ୍‍ ପିଇବା ସହ ସମାନ ହୋଇଛି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। ସାର ଗଙ୍ଗା ରାମ ହସ୍ପିଟାଲରେ ହୃଦ୍‍ ଅସ୍ତ୍ରୋପଚାର କେନ୍ଦ୍ର ଅଧ୍ୟକ୍ଷ ଡ. ଆରବିନ୍ଦ କୁମାର କହିଛନ୍ତି ଯେ ବିଗତ ୩୦ ବର୍ଷ ମଧ୍ୟରେ ଲୋକଙ୍କ ଫୁସ୍‍ଫୁସ୍‍ ରଙ୍ଗ ବଦଳୁଥିବାର ଦେଖିଛନ୍ତି। ସିଗାରେଟ୍‍ ପିଉଥିବା ଲୋକଙ୍କ ଫୁସ୍‍ଫୁସ୍‍ ଉପରେ କଳା ରଙ୍ଗର ସ୍ତର ଥାଏ ଓ ଅନ୍ୟ ଲୋକଙ୍କ ଫୁସ୍‍ଫୁସ୍‍ ଗୋଲାପୀ ରଙ୍ଗର ହୋଇଥାଏ। କିନ୍ତୁ ଏବେ କେବଳ କଳା ରଙ୍ଗର ଫୁସ୍‍ଫୁସ୍‍ ଦେଖିବାକୁ ମିଳୁଛି। ଏପରିକି କିଶୋର ଓ କିଶୋରୀମାନଙ୍କ ଫୁସ୍‍ଫୁସ୍‍ରେ କଳା ରଙ୍ଗର ଚିହ୍ନ ଦେଖିବାକୁ ମିଳୁଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଦିନକୁ ୧୫ରୁ ୨୦ଟି ସିଗାଟେ୍‍ ପିଇବା ସହ ସମାନ ହୋଇଛି।
ଦିଲ୍ଲୀରେ ଏବେ ଅଳିଆ ଆବର୍ଜନା ଜାଳିବାକୁ ବାରଣ କରାଯାଇଥିବାବେଳେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି। ୧୫ ବର୍ଷର ପୁରୁଣା ପେଟ୍ରୋଲ ଓ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଚଳାଚଳ ନିଷିଦ୍ଧ କରାଯାଇଛି। ଏହାପରେ ବି ଲୋକେ ପ୍ରଦୂଷଣକୁ ବଢାଇବା ପରି କାର୍ଯ୍ୟ କରୁଛନ୍ତି। ଫଳରେ ମାତ୍ର ଦୁଇ ଦିନରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ କଟକଣା ଉଲ୍ଲଙ୍ଘନ ପାଇଁ ୮୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ନଭେମ୍ବର ୧ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ‘କ୍ଲିନ୍‍ ଏୟାର କ୍ୟାମ୍ପେନ’ ଆରମ୍ଭ କରାଯାଇଛି। ପ୍ରଦୂଷଣ ବଢାଉଥିବା ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏଥିପାଇଁ ୫୨ଟି ପର୍ଯ୍ୟବେକ୍ଷକ ଦଳଙ୍କୁ ମୁତୟନ କରାଯାଇଛି। କେବଳ ଶନିବାର ୧୬୭ ନିର୍ମାଣ ଓ ଭଙ୍ଗାରୁଜା ଅଭିଯୋଗ ମିଳିଥିଲା। ସମୀର ଆପ ଦ୍ୱାରା ୩୭୬ଟି ଅଭିଯୋଗ, ସାମାଜିକ ଗଣମାଧ୍ୟମ ଓ ଇମେଲ ଦ୍ୱାରା ୮୯ଟି ଅଭିଯୋଗ ଆସିଛି ବୋଲି ସୂଚନା ଦିଆଯାଇଛି ।
ପ୍ରକାଶଯୋଗ୍ୟ ଯେ ୦ରୁ ୫୧ ପର୍ଯ୍ୟନ୍ତ ବାୟୁ ଗୁଣାବତ୍ତା (ଏକ୍ୟୁଆଇ)କୁ ‘ଭଲ’, ୫୧ରୁ ୧୦୦ ଏକ୍ୟୁଆଇକୁ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ପର୍ଯ୍ୟନ୍ତ ଏକ୍ୟୁଆଇକୁ ‘ମଧ୍ୟମ’, ୨୦୧ରୁ ୩୦୦ ଏକ୍ୟୁଆଇକୁ ‘ଖରାପ’, ୩୦୧ରୁ ୪୦୦ ଏକ୍ୟୁଆଇକୁ ‘ବିପଦଜନକ’ ଏବଂ ୪୦୧ରୁ ୫୦୦ ଏକ୍ୟୁଆଇକୁ ‘ଅତିବିପଦ ଜନକ’ ଶ୍ରେଣୀଭୁକ୍ତ କରାଯାଇଛି।
ଦିଲ୍ଲୀ ଏବଂ ଏନ୍‍ସିଆରର ୧୮ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ବାୟୁର ଗୁଣାବତ୍ତା ‘ଅତିବିପଜନକ’ ରେକର୍ଡ କରାଯାଇଛି। ଗତ ମଙ୍ଗଳବାରଠାରୁ ଆନନ୍ଦ ବିହାର ସମେତ ଅନେକ ସ୍ଥାନରେ ବାୟୁ ପ୍ରଦୂଷଣସ୍ତର ୪୫୦ ଏକ୍ୟୁଏମ୍‍ ଉପର ରହିଛି।
ଫଳରେ ଲୋକଙ୍କୁ ପୂଜାପାଠ ପାଇଁ ବ୍ୟବହାର ହେଉଥିବା ଧୂପକାଠି ଏବଂ ମହମବତୀ ନ ଜାଳିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ନ ଲଗାଇବାକୁ ପରାମର୍ଶ ଦିଆଯାଇଛି। ଘର ଚଟାଣକୁ ବାରମ୍ବାର ଓଦା କପଡ଼ାରେ ପୋଛିବା ସହ ଘର ବାହାରେ ଓଦା କପଡ଼ା ଶୁଖାଇବାକୁ କୁହାଯାଇଛି। ପଡ଼ୋଶୀ ରାଜ୍ୟରେ ନଡ଼ା ଜାଳିବାର ପ୍ରଭାବ ଦିଲ୍ଲୀ ଉପରେ ପଡ଼ିଛି ଓ ବାୟୁ ପ୍ରଦୂଷଣସ୍ତର ବୃଦ୍ଧି ପାଇଛି ବୋଲି କେନ୍ଦ୍ର ପରିଚାଳିତ ବାୟୁ ଗୁଣାବତ୍ତା ପୂର୍ବାନମାନ ଏବଂ ଗବେଷଣା ବ୍ୟବସ୍ଥା ‘ସିଷ୍ଟମ ଅଫ ଏୟାର କ୍ୱାଲିଟି ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ’ (ଏସ୍‍ଏଏଫଏଆର) ପକ୍ଷରୁ କୁହାଯାଇଛି।

Leave A Reply