ଦିଲ୍ଲୀରେ ହ୍ରାସ ପାଉଛି ବାୟୁ ପ୍ରଦୂଷଣ – ଜାଭଡେକର

ନୂଆଦିଲ୍ଲୀ: ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଫସଲ ଅବଶେଷ ଜଳାଯିବା ଯୋଗୁଁ ହେଉଥିବା ବାୟୁ ପ୍ରଦୂଷଣ ଅନେକ ମାତ୍ରାରେ ହ୍ରାସ ପାଇଛି। ସେ କହିଛନ୍ତି, ପ୍ରଦୂଷଣ ମାତ୍ରା ପୂର୍ବର ଶତକଡ଼ା ୩୫ରୁ ୪୦ଭାଗ ତୁଳନାରେ ବର୍ତ୍ତମାନ ଶତକଡ଼ା ୩ରୁ ୪ ଭାଗକୁ ହ୍ରାସ ପାଇଛି। ବାୟୁ ପ୍ରଦୂଷଣର ଶିକାର ହେଉଥିବା ରାଜ୍ୟଗୁଡ଼ିକର କର୍ମକର୍ତ୍ତାମାନଙ୍କ ସହ ଏକ ସମୀକ୍ଷା ବୈଠକ ପରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସେ ଏହା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ କମ୍‍ କରିବା ପାଇଁ କ୍ରିୟାନୁଷ୍ଠାନ ଯୋଜନା ଉପରେ ଆଲୋଚନା ହୋଇଛି।

ଅଳିଆ ଆବର୍ଜନା, ମଇଳା, ଯାନବାହନ ଓ ଶିଳ୍ପ ସଂସ୍ଥା ଶତକଡା ୮୦ଭାଗ ବାୟୁ ପ୍ରଦୂଷଣ ପାଇଁ ଦାୟୀ ବୋଲି ମନ୍ତ୍ରୀ କହିଛନ୍ତି। ଜାଭଡେକର କହିଛନ୍ତି, ପୂର୍ବ ଓ ପଶ୍ଚିମ ସୀମାନ୍ତ ଏକ୍ସପ୍ରେସ୍‍ ୱେ ର ନିର୍ମାଣ କରାଯାଇଛି ଓ ପ୍ରାୟ ୬୦ହଜାର ଗାଡ଼ିମଟର ଦିଲ୍ଲୀ ବାହାରେ ଯାତ୍ରା କରୁଥିବାରୁ ବାୟୁ ପ୍ରଦୂଷଣରେ ହ୍ରାସ ଘଟିଛି। ଆସନ୍ତା ବର୍ଷ ଏପ୍ରିଲ୍‍ ପହିଲାରୁ ଦିଲ୍ଲୀରେ ଭାରତ ଷ୍ଟାଣ୍ଡାର୍ଡ ୬ ଯାନଗୁଡ଼ିକ ଚଳାଚଳ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରାୟ ୩ ହଜାର ଶିଳ୍ପସଂସ୍ଥା ଓ ୨ ହଜାର ୮୦୦ ଇଟାଭାଟି ପାଇପ୍‍ ଦ୍ୱାରା ଯୋଗାଇ ଦିଆଯାଉଥିବା ପ୍ରାକୃତିକ ଗ୍ୟାସ୍‍ର ବ୍ୟବହାର କରୁଛନ୍ତି।

Comments are closed.