କର୍ଣ୍ଣାଟକ ଉପନିର୍ବାଚନ – ଅପରାହ୍ନ ୩ଟା ସୁଦ୍ଧା ୪୬.୬୨ % ମତଦାନ

କର୍ଣ୍ଣାଟକ: କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‍ଗ୍ରହଣ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ଆସନ ଗୁଡ଼ିକର ଫଳାଫଳ ଆସନ୍ତା ୯ ତାରିଖରେ ଘୋଷଣା ହେବ। ଆଜିର ଉପନିର୍ବାଚନରେ ୧୬୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ଏବଂ ବିରୋଧୀ କଂଗ୍ରେସ ୧୫ଟି ଯାକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜେଡିଏସ୍‍ ୧୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅପରାହ୍ନ ୩ଟା ସୁଦ୍ଧା ୪୬.୬୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସେହିପରି ଅଥାନିରେ ୫୬.୦୫, କଗଆଡରେ ୫୧.୪୧, ଗୋକକରେ ୫୩.୩, ଏଲାପୁରରେ ୫୬.୨୧, ହୀରେକରୁରରେ ୫୬.୬, ରାଣୀବେନପୁରରେ ୫୩.୫, ବିଜୟନଗରରେ ୪୭.୩୮, ଚିକବଲାପୁରରେ ୬୦.୪୩, କେଆରପୁରରେ ୨୯.୨୫, ଯଶବନ୍ତପୁରରେ ୩୮.୮୩, ମହାଲକ୍ଷ୍ମୀରେ ୩୦.୭୩, ଶିବାଜୀନଗରରେ ୩୨.୭୨, ହସକୋଟେରେ ୫୪.୧୨, କେଆରପେଟରେ ୫୯.୮୬ ଏବଂ ହୁନସୁରରେ ୫୭.୪୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।

୧୪ ଜଣ ବିଦ୍ରୋହୀ କଂଗ୍ରେସ ନେତା ଓ ୩ଜଣ ଜେ.ଡି.(ଏସ୍‍) ନେତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ରାଜ୍ୟରେ କଂଗ୍ରେସ-ଜେ.ଡି.ଏସ୍‍. ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ସମୁଦାୟ ୧୭ଟି ଆସନ ମଧ୍ୟରୁ ୨ଟି ଆସନରେ ଆଜି ଭୋଟ୍‍ ଗ୍ରହଣ କରାଯାଉ ନାହିଁ। ଏହି ଦୁଇଟି ଆସନରେ ୨୦୧୮ ମେ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ ରହିଛି। ଏହି ଦୁଇଟି ଆସନ ହେଉଛି ରାଇଚୁର ଜିଲ୍ଲାର ମାସ୍କି ଓ ଦକ୍ଷିଣ ପଶ୍ଚିମ ବେଙ୍ଗାଲୁରୁର ଆର୍‍.ଆର୍‍. ନଗର। ନିର୍ବାଚନ ପାଇଁ ୪ହଜାର ୧୮୫ଟି ଭୋଟ୍‍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ୮୮୪ଟି କେନ୍ଦ୍ର ସମ୍ବେଦନଶୀଳ ରହିଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନ୍‍ ୪୫ କମ୍ପାନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ଫୋର୍ସ, ୯୦୦ ହୋମ୍‍ଗାର୍ଡ ଓ ୩୮ ବାଟାଲିୟନ୍‍ କର୍ଣ୍ଣାଟକ ରାଜ୍ୟ ରିଜର୍ଭ ପୁଲିସ୍‍ ମୁତୟନ କରିଛନ୍ତି।

Comments are closed.