୩୦୩ ଲୋକସଭା ଆସନରେ ମତଦାନ ଶେଷ : ଅବଶିଷ୍ଟ ପର୍ଯ୍ୟାୟ ପାଇଁ ପ୍ରଚାର ସରଗରମ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନର ୩ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଛି। ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ୩୦୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି। ମଙ୍ଗଳବାର କାଁ ଭାଁ କେତୋଟି ଘଟଣାକୁ ଛାଡ଼ିଦେଲେ ୧୧୬ଟି ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି। ତେବେ ଗତକାଲି ସବୁଠାରୁ ବଡ଼ ପର୍ଯ୍ୟାୟ ମତଦାନ ଶେଷ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ଗତ ୧୧ ତାରିଖରେ ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ସଂସଦୀୟ ଆସନରେ ଭୋଟ୍‍ ଗ୍ରହଣ ହୋଇଥିଲା। ଆନ୍ଧ୍ରପ୍ରଦେଶର ଓ ତେଲଙ୍ଗାନାର ସମସ୍ତ ଆସନ, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ, ବିହାର ଓ ଓଡ଼ିଶାର ୪ଟି ଲେଖାଏଁ, ଜାମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ ଓ ମେଘାଳୟର ୨ଟି ଲେଖାଏଁ, ଛତିଶଗଡ଼, ମିଜୋରାମ, ମଣିପୁର, ନାଗାଲ୍ୟାଣ୍ଡ, ସିକ୍କିମ୍‍, ତ୍ରିପୁରା, ଆଣ୍ଡାମାନ୍‍ ଓ ନିକୋମର ତଥା ଲାକ୍ଷାଦ୍ୱୀପ୍‍ର ଗୋଟିଏ ଲେଖାଏଁ ଆସନରେ ମତଦାନ ହୋଇଥିଲା। ଲୋକସଭା ନିର୍ବାଚନ ସହ ଆନ୍ଧ୍ରପ୍ରଦେଶ, ସିକ୍କିମ୍‍, ଅରୁଣାଚଳ ପ୍ରଦେଶର ସମସ୍ତ ବିଧାନସଭା ଆସନ ଓ ଓଡ଼ିଶାର ୧୮ଟି ବିଧାନସଭା ଆସନରେ ଭୋଟ୍‍ଗ୍ରହଣ ହୋଇଥିଲା।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୮ ତାରିଖ ଦିନ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। ତେବେ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟରେ ୯୭ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ଗ୍ରହଣ କରାଯିବାର ଥିଲା, କିନ୍ତୁ ବହୁଳ ଅର୍ଥର ବ୍ୟବହାର ଯୋଗୁଁ ତାମିଲନାଡୁର ଭେଲୋର ଆସନରେ ମତଦାନକୁ ସ୍ଥଗିତ ରଖାଯାଇଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୂର୍ବ ତ୍ରିପୁରା ଆସନରେ ଭୋଟ୍‍ ଗ୍ରହଣକୁ ତୃତୀୟ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି। ତାମିଲନାଡୁର ୩୮ଟି ନିର୍ବାଚନ ମଣ୍ଡଳୀ, କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତରପ୍ରଦେଶର ୮ଟି, ଆସାମ-ବିହାର ଓ ଓଡ଼ିଶାରେ ୫ଟି ଲେଖାଏଁ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ, ଜାମ୍ମୁ କାଶ୍ମୀରର ୨ଟି ଏବଂ ମଣିପୁର ଓ ପୁଡୁଚେରିରେ ଗୋଟିଏ ଲେଖାଏଁ ଆସନରେ ଭୋଟ୍‍ଗ୍ରହଣ କରାଯାଇଥିଲା।
ତେବେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ୧୩ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୬ଟି ଆସନ ପାଇଁ ମତଦାନ ଶେଷ ହୋଇଛି। ଗୁଜରାଟର ସମସ୍ତ ୨୬ଟିଯାକ ଆସନ, କେରଳର ୨୦ଟି, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ୧୪ଟି ଲେଖାଏଁ, ଉତ୍ତର ପ୍ରଦେଶର ୧୦ଟି, ଛତିଶଗଡ଼ର ୭ଟି, ଓଡ଼ିଶାର ୬ଟି, ବିହାର ଏବଂ ପଶ୍ଚିମବଙ୍ଗର ୫ଟି ଲେଖାଏଁ, ଆସାମର ୪ଟି, ଗୋଆର ୨ଟି ଏବଂ ଜାମ୍ମୁ-କାଶ୍ମୀର, ଦାଦ୍ରା ଏବଂ ନଗର ହାବେଳୀର ଗୋଟିଏ ଲେଖାଏଁ ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି।
୪ର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନ, ୫ମ ପର୍ଯ୍ୟାୟରେ ମେ’ ୬ ତାରିଖରେ ୭ଟି ରାଜ୍ୟର ୫୧ଟି, ଷଷ୍ଠ ପର୍ଯ୍ୟାୟରେ ମେ’ ୧୨ ତାରିଖରେ ମଧ୍ୟ ୭ଟି ରାଜ୍ୟର ୫୯ଟି ଏବଂ ୭ମ ପର୍ଯ୍ୟାୟରେ ମେ’୧୯ ତାରିଖରେ ୮ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ମଧ୍ୟ ମତଦାନ ହେବ।
ମେ’ ୨୩ ତାରିଖରେ ଭୋଟ ଗଣନା ସହିତ ଫଳାଫଳ ଘୋଷଣା କରାଯିବ।

Comments are closed.