ମହିଳାଙ୍କ ପୋଷାକକୁ ନେଇ ରାଜନୀତି; ଉତ୍ତରାଖଣ୍ଡରେ ବିଜେପି ନୀରବ, ପଶ୍ଚିମବଙ୍ଗରେ ଟିଏମସି ବିଧାୟକଙ୍କ ମନ୍ତବ୍ୟର ପ୍ରତିବାଦ

ନୂଆଦିଲ୍ଲୀ: ମହିଳାଙ୍କ ପୋଷାକକୁ ନେଇ ଦେଶବ୍ୟାପୀ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗ ଏବେ ପଶ୍ଚିମବଙ୍ଗରେ ଦେଖାଯାଇଛି। ଏଠାରେ ଶାସକ ତୃଣମୂଳ କଂଗ୍ରେସର ବିଧାୟକ ମହିଳାମାନଙ୍କ ପୋଷାକ ଉପରେ ଅରୁଚିକର ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ତେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ  ସିଂହ ରାୱତଙ୍କ ମନ୍ତବ୍ୟ ଉପରେ ଚୁପ୍‌ ରହିଥିବା ବିଜେପି ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି କହିଛି ଟିଏମସି ବିଧାୟକଙ୍କ ମନ୍ତବ୍ୟ ଅବାଞ୍ଛନୀୟ। ମହିଳାମାନେ ନିଜ ପସନ୍ଦରେ ପୋଷାକ ପିନ୍ଧିବାର ଅଧିକାର ରହିଛି ବୋଲି ଦଳ ପକ୍ଷରୁ କୁହଯାଯାଇଛି।

ସୂଚନାଯୋଗ୍ୟ, ଅଭିନେତାରୁ ରାଜନେତା ବନିଥିବା ଟିଏମସି ବିଧାୟକ ଚିରଞ୍ଜିତ ଚକ୍ରବର୍ତ୍ତୀ ଗତ ଶୁକ୍ରବାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ମହିଳାମାନେ ପୋଷାକ ପରିଧାନ ସମୟରେ ଆଖପାଖର ପରିବେଶ ଉପରେ ଧ୍ୟାନ ରଖିବା ଦରକାର।

ଚିରଞ୍ଜିତଙ୍କ ଏପରି ମନ୍ତବ୍ୟ ଉପରେ ବିଜେପି ନେତାମାନେ ପ୍ରତିକ୍ରିୟା ପ୍ରକାଶ କରି ମହିଳାମାନେ ନିଜ ହିସାବରେ ପୋଷାକ ପିନ୍ଧିକାର ଅଧିକାର ରହିଛି। କିନ୍ତୁ ଚିରଞ୍ଜିତ ତାଙ୍କ ମନ୍ତବ୍ୟ ଉପରେ ଉତ୍ତର ରଖି କହିଛନ୍ତି, ସେ କାହାକୁ ଉଦ୍ଦେଶ୍ୟମୂଳକ ଭାବେ ଆଘାତ ଦେବା ଲାଗି ଏପରି କହିନାହାନ୍ତି, ବରଂ ଏହା ତାଙ୍କର ଏକ ପରାମର୍ଶ ଥିଲା।

ଅନ୍ୟପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ହେଁ ବିଜେପି ସେଠାରେ ଚୁପ୍‌ ରହିଥିଲା। ଏହାକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ସବୁ ଦଳ ଶସ୍ତା ରାଜନୀତି କରୁଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Comments are closed.