୪୦ ହଜାର କୋଟିକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ: ଶିବସେନା କହିଲା ବିଶ୍ଵାସଘାତ ହୋଇଛି, ଫଡ୍‌ନଭୀସ କହିଲେ ମିଥ୍ୟା

ନୂଆଦିଲ୍ଲୀ: ୪୦ ହଜାର କୋଟି ଟଙ୍କାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ଏହାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଦେବେନ୍ଦ୍ର ଫଡ୍‌ନଭୀସ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ହେବା ଏବଂ ପରେ ଇସ୍ତଫା ଦେବା ଘଟଣା ପଛରୁ ରହସ୍ୟ ଉନ୍ମୋଚନ କରି ଜଣେ ବିଜେପି ସାଂସଦ ଦେଇଥିବା ମନ୍ତବ୍ୟ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି।

ସୂଚନାଯୋଗ୍ୟ, ଗତ ୨୩ ତାରିଖ ସକାଳେ ବିଜେପି ବିଧାୟକ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଅଚାନକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଦେଶବାସୀଙ୍କୁ ଚକ୍କିତ କରିଥିଲେ। ଏହାର ୮୦ ଘଣ୍ଟା ପରେ ସେ ଇସ୍ତଫା ଦେଇଥିଲେ। ପାଖରେ ବହୁମତ ନ ଥାଇ ବି ବିଜେପିର ଏଭଳି ନାଟକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ କର୍ଣ୍ଣାଟକ ଜଣେ ବିଜେପି ଜଣେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗ୍‌ଡେ କହିଥିଲେ ଯେ, କେନ୍ଦ୍ରର ୪୦ ହଜାର ଟଙ୍କା ବଞ୍ଚାଇବା ଲାଗି ଫଡନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଥିଲା। ଯଦି କଂଗ୍ରେସ, ଏନସିପି ଏବଂ ଶିବସେନା କ୍ଷମତାକୁ ଆସିଥାନ୍ତେ, ତେବେ ସେମାନେ ୪୦ ହଜାର କୋଟି ଟଙ୍କାର ଦୁରୁପୋଯୋଗ କରିଥାନ୍ତେ। ଏହି କାରଣରୁ କେନ୍ଦ୍ର ସରକାରଙ୍କୁ ଉକ୍ତ ଅର୍ଥ ଫେରାଇବା ଲାଗି ଏପରି ନାଟକ କରାଗଲା। ଫଡନଭୀସ ଶପଥ ନେବାର ୧୫ ଘଣ୍ଟା ପରେ ସେହି ଟଙ୍କା ଫେରାଇବାର ବ୍ୟବସ୍ଥା କରିଥିଲେ।

ହେଗ୍‌ଡେଙ୍କ ଏପରି ମନ୍ତବ୍ୟକୁ ନେଇ ମହାରାଷ୍ଟ୍ରରେ ଚର୍ଚ୍ଚା ଜୋର ଧରିଛି। ଏହା ମହାରାଷ୍ଟ୍ର ପ୍ରତି ବିଶ୍ଵାସଘାତ ବୋଲି ଶିବସେନା କହିଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ରାଉତ ଟ୍ବିଟ୍‌ କରି ଲେଖିଛନ୍ତି ଫଡନଭୀସ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଆଉ ରାଜ୍ୟର ୪୦ ହଜାର ଟଙ୍କା କେନ୍ଦ୍ରକୁ ଦେଇଦେଲେ। ସେ ରାଜ୍ୟ ସହିତ ବିଶ୍ଵାସଘାତ କରିଛନ୍ତି।

ଅନ୍ୟପଟେ ହେଗ୍‌ଡେଙ୍କ ମନ୍ତବ୍ୟ ଉପରେ ଫଡନଭୀସ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ମିଥ୍ୟା ବୋଲି କହିଛନ୍ତି। ସେ ଯେଉଁ ସମୟ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ ତାହା ମଧ୍ୟରେ ସେ ଏଭଳି କୌଣସି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ଫଡନଭୀସ କହିଛନ୍ତି।

Comments are closed.