ରାଜନୈତିକ ହିଂସାର କାରଣ ଓ ନିରାକରଣ

ବର୍ତ୍ତମାନ ଯୁଗରେ ରାଜନୈତିକ ହିଂସା ଏକ ସାମାଜିକ ବିକୃତିର ରୂପ ନେଇଛି। ରାଜ‌ନୈତିକ ହିଂସାର ପରିପ୍ରକାଶ ବିଭିନ୍ନ ଉପାୟରେ ହେଉଛି- ସରକାରୀ ବିରୋଧୀ ହିଂସା, ବିଧାନସଭା ଓ ସଂସଦ ଅଧିବେଶନରେ ହିଂସା, ନିର୍ବାଚନରେ ହିଂସା, ଲିଙ୍ଗଗତ ହିଂସା, ଜାତିଗତ ହିଂସା, ସାଂପ୍ରଦାୟିକ ହିଂସା, ଆତଙ୍କବାଦୀ ଓ ମାଓବାଦୀ ହିଂସା ଇତ୍ୟାଦି। ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ପରିପ୍ରକାଶ କରିବା ପାଇଁ କେତେକ ବ୍ୟକ୍ତି ସାମୂହିକ ଭାବେ ହିଂସାର ଆଶ୍ରୟ ନିଅନ୍ତି। ସାଧାରଣତଃ ରାଜନୈତିକ ହିଂସା ସରକାର, ସରକାରୀ କର୍ମଚାରୀ, ସୁରକ୍ଷା କର୍ମୀ ଏବଂ ଜାତୀୟ ସମ୍ପତ୍ତି ବିରୋଧରେ ସଂଗଠିତ ହୋଇଥାଏ। ବେଳେବେଳେ ବାସ୍ତବ ତଥ୍ୟକୁ ହୃଦୟଙ୍ଗମ ନକରି ଗୁଜବ ଓ ତୁଣ୍ଡବାଇଦରେ ବିଶ୍ବାସ କରୁଥିବା ଭାସମାନ, ଚଞ୍ଚଳମନା ଓ ଅସଂଗଠିତ ଉତ୍ତେଜିତ ବ୍ୟକ୍ତି ସମୂହ ଦେଶର ସମ୍ପତ୍ତିକୁ ନଷ୍ଟ କରି ସରକାରଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରିଥାଆନ୍ତି। ଏହିସବୁ ଘଟଣାରୁ ପ୍ରମାଣ ଯେ ସମାଜକୁ ଯୋଡ଼ିବା ପାଇଁ ସକାରାତ୍ମକ ରାଜନୀତିର ଅଭାବ ଦେଖାଦେଇଛି।
ଦ୍ବିତୀୟ ବିଶ୍ବଯୁଦ୍ଧ ପର୍ଯ୍ୟନ୍ତ ଏହି ରାଜନୈତିକ ହିଂସା ପଶ୍ଚିମ ଦେଶମାନଙ୍କ ମଧ୍ୟରେ ସୀମିତ ଥିଲା। ବିଂଶ ଶତାବ୍ଦୀର ​‌େ​‌ଶଷ ଭାଗ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହା ପୂର୍ବ ୟୁରୋପ ଓ ଏସିଆ ମହାଦେଶକୁ ବ୍ୟାପିଲା। ତେବେ ଗୋଟିଏ ଦେଶ ମଧ୍ୟରେ ରାଜନୈତିକ ହିଂସାର କାରଣ ଖୋଜିବସିଲେ ଏହାର ଗୋଟିଏ ମୁଖ୍ୟ କାରଣ ସାମନାକୁ ଆସୁଛି। ତାହା ହେଲା ଜାତି-ରାଷ୍ଟ୍ର ବା ନେସନ ଷ୍ଟେଟ ବ୍ୟବସ୍ଥାର ଅଭାବ। ୟୁରୋପରେ ଜାତିଭିତ୍ତିକ ରାଷ୍ଟ୍ରଗଠନ ପ୍ରକ୍ରିୟା ସମାପ୍ତ ହୋଇଥିଲେ ମଧ୍ୟ ଏହା ଏସିଆ ଓ ଆଫ୍ରିକା ମହାଦେଶରେ ସେତେଟା ଫଳପ୍ରଦ ହୋଇନାହିଁ। ତେଣୁ ଏସିଆ ଓ ଆଫ୍ରିକା ମହାଦେଶରେ ରାଜନୈତିକ ହିଂସାର ମାତ୍ରା ଅଧିକ। ଭାରତକୁ ଆମ୍ଭେ ଜାତି-ରାଷ୍ଟ୍ରର ଆଖ୍ୟା ଦେଇଥିଲେ ମଧ୍ୟ ଏଠାରେ ଜାତି-ରାଷ୍ଟ୍ରର ବାସ୍ତବ ଉପାଦାନଗୁଡ଼ିକର ଅଭାବ ରହିଛି। ଗୋଟିଏ ନିର୍ଦିଷ୍ଟ ଭୂଖଣ୍ଡରେ ଦେଶର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ବିଶ୍ବାସ, ଏକପ୍ରକାର ଭାଷା, ଜାତି, ସଂସ୍କୃତି, ଧର୍ମ, ଇତିହାସ ଇତ୍ୟାଦି ଦ୍ବାରା ବନ୍ଧା ହୋଇଥିଲେ ତାହାକୁ ଜାତି-ରାଷ୍ଟ୍ର କୁହାଯିବ। ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକ ପ୍ରାୟ ଜାତି-ରାଷ୍ଟ୍ର କହିଲେ ଅତ୍ୟୁକ୍ତି ହେବନାହିଁ। ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ, ହଙ୍ଗେରୀ ଆଦି ଦେଶଗୁଡ଼ିକ ଗୋଟିଏ ଭାଷା, ଗୋଟିଏ ଜାତି,ଗୋଟିଏ ଧର୍ମ ଦ୍ବାରା ଆବଦ୍ଧ, ତେଣୁ ସେମାନେ ଜାତି-ରାଷ୍ଟ୍ର। ଅଥଚ ଜାତି-ରାଷ୍ଟ୍ର ଗଠନ ପାଇଁ ୟୁରୋପୀୟ ରାଷ୍ଟ୍ରମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ଜର୍ମାନ ଏକତ୍ରୀକରଣ ପାଇଁ ବିସମାର୍କ ଓ ଇଟାଲୀର ଏକତ୍ରୀକରଣ ପାଇଁ କାଭର ଓ ଗାରିବାଲଡିଙ୍କ ଅବଦାନ ଅବିସ୍ମରଣୀୟ। ସୋଭିଏତ୍‌ ରୁଷ, ୟୁଗୋସ୍ଲୋଭିଆ, ବୋସ୍‌ନିଆ, ହର୍ଜଗୋବିନା, ଚେକୋସ୍ଲୋଭାକିଆ, ସର୍ବିଆ, ବୁଲ‌େ‌ଗରିଆ ଆଦି ଦେଶ ଜାତି-ରାଷ୍ଟ୍ରଭିତ୍ତିକ ହୋଇନଥିବାରୁ ୧୯୯୧ ମସିହାରେ ସାମ୍ୟବାଦର ପତନ ପରେ ଏହି ଦେଶଗୁଡ଼ିକ ରାଜନୈତିକ ହିଂସା ଓ ବିଭାଜନର ଶିକାର ହେବାକୁ ପଡ଼ିଥିଲା। ସୋଭିଏତ୍‌ ସଂଘରେ ଥିବା ଆରମେନିଆ, ଆଜରବୈଜାନ, ଉଜ୍‌ବେକିସ୍ତାନ, କଜାକସ୍ତାନ, ତୁର୍କମେନିସ୍ତାନ, କିରଗିଜ୍‌ସ୍ତାନ, ତାଜିକ୍‌ସ୍ତାନ ଆଦି ଦେଶରେ ଇସ୍‌ଲାମ ଧର୍ମର ଲୋକେ ବାସ କରୁଥିବାବେଳେ, ରୁଷିଆ, ଜର୍ଜିଆ, ୟୁକ୍ରେନ୍‌ ମାଲଡୋଭା, ବେଲାରୁଷ ଆଦି ଦେଶରେ ଖ୍ରୀଷ୍ଟଧର୍ମର ଲୋକେ ବାସ କରୁଥିଲେ। ଏହି ସମସ୍ତ ରାଜ୍ୟର ସଂସ୍କୃତି, ଭାଷା, ଜାତି ମଧ୍ୟ ଭିନ୍ନଭିନ୍ନ ଥିଲା। ରୁଷ ବିଭାଜନ ହେବାର ଅନ୍ୟ ଏକ କାରଣ ଥିଲା ଜାତିଭିତ୍ତିକ ରାଷ୍ଟ୍ରର ଅଭାବ। ଭାରତ ବିଭାଜନର ମୂଳ କାରଣ ମଧ୍ୟ ଥିଲା ଦୁଇଜାତି ବା ଟୁ ନେସନ୍ସ ସିଦ୍ଧାନ୍ତ। ବର୍ମା ୧୯୩୫ ମସିହାରେ ଭାରତଠାରୁ ଅଲଗା ହେଲାପରେ ସେଠାରୁ ହିନ୍ଦୁମାନଙ୍କୁ ବହିଷ୍କାର ପ୍ରକ୍ରିୟା ଆରମ୍ଭ ହେଲା। ନେଇଉନଙ୍କ ନେତୃତ୍ବରେ ସମାଜବାଦୀ ଦଳର ଏକ କାର୍ଯ୍ୟକ୍ରମ ରୂପେ ବର୍ମାକୁ ଏକ ଜାତି-ରାଷ୍ଟ୍ରରେ ପରିବର୍ତ୍ତନ ପାଇଁ ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ୧୯୬୩ ମସିହାରୁ ୧୯୬୭ ମସିହା ମଧ୍ୟରେ ପ୍ରାୟ ଚାରିଲକ୍ଷ ହିନ୍ଦୁଙ୍କୁ ବର୍ମାରୁ ବହିଷ୍କାର କରାଯାଇଥିଲା। ବର୍ମାର ରାଖାଇନ ପ୍ରଦେଶର ଅରକାନ୍‌ ଅଞ୍ଚଳରୁ ରୋହିଙ୍ଗ୍ୟା ମୁସଲମାନଙ୍କୁ ତଡ଼ିବା କାର୍ଯ୍ୟ ୨୦୧୭ ମସିହାରୁ ଆରମ୍ଭ ହୋଇଥିଲା। ପ୍ରାୟ ୬ ଲକ୍ଷ ୨୫ ହଜାର ରୋହିଙ୍ଗ୍ୟା ମୁସଲମାନ ସେଠାରୁ ବହିଷ୍କାର ହୋଇଥିଲେ। ବର୍ମାର ସଂସ୍କୃତ ନାମ ବ୍ରହ୍ମଦେଶକୁ ମଧ୍ୟ ୧୯୮୯ ମସିହାରେ ମ୍ୟାଁମାରରେ ପରିବର୍ତ୍ତନ କରାଯାଇଥିଲା।
ଭାରତରେ ବ୍ୟକ୍ତି ହେଉଛି ଦ୍ବିତୀୟ ଏବଂ ସଂପ୍ରଦାୟ, ସମୁଦାୟ, ଧର୍ମ, ଭାଷା, ଜାତି, ବଂଶ ଓ ଅଞ୍ଚଳ ହେଉଛି ତାହାର ପ୍ରଥମ ପରିଚୟ। ଏହାର କାରଣ ହେଲା ଯେ ପ୍ରତ୍ୟେକ ସଂପ୍ରଦାୟର ବ୍ୟକ୍ତିମାନେ ଭାବନ୍ତି ଯେ ସେମାନେ ବ୍ୟକ୍ତିଗତ ଭାବେ ସେମାନଙ୍କ ମଙ୍ଗଳ କରିପାରିବେ ନାହିଁ। ସେମାନଙ୍କ ସର୍ବମଙ୍ଗଳ ସେମାନଙ୍କ ସଂପ୍ରଦାୟ, ସମୁଦାୟ, ଧର୍ମ, ଭାଷା, ଜାତି, ବଂଶ ଓ ଅଞ୍ଚଳ‌େର ନିହିତ ଅଛି। ଏହି କାରଣରୁ ଧର୍ମ, ଜାତି, ଭାଷା, ଅଞ୍ଚଳ ସଂପ୍ରଦାୟ ବିନା ଆମ୍ଭର ପରିଚୟ କିଛି ନାହିଁ ବୋଲି ଆମେ ଭାବୁଛୁ; ଏମାନଙ୍କ ଅନୁପସ୍ଥିତିରେ ଆମ୍ଭମାନଙ୍କ ମଧ୍ୟରେ ସମ୍ପର୍କ ଶିଥିଳ। ବ୍ୟକ୍ତିଗତ ଭାବେ ଆ‌େମ୍ଭ ପରସ୍ପରକୁ ଭଲ ଭାବେ ଜାଣିନାହୁଁ; ତେଣୁ ସାମାଜିକ ଲକ୍ଷ୍ୟରେ ଆମ୍ଭେ ଆମ୍ଭର ବ୍ୟକ୍ତିଗତ ପରିଚୟକୁ ସ୍ବାଧୀନଭାବେ ବିବେଚନା କରୁନାହୁଁ।
ଭାରତ ଭଳି ଏକ ବହୁଳବାଦୀ ସମାଜରେ ଆମେ ବୈଷମ୍ୟକୁ କିପରି ସ୍ଥାନ ଦେବା ତାହା ଏକ ଜଟିଳ ପ୍ରଶ୍ନ। ଭାରତ ଆରବୀୟ, ଇରାନୀ, ଆଫଗାନୀ, ମୋଗଲ, ତୁର୍କି, ହୁନ, କୁଶାଣ, ମଙ୍ଗୋଲ, ତିବ୍‌ବତୀୟ, ଇହୁଦୀ, ପାର୍ସୀ, ଚକମା ବାଂଲାଦେଶୀ, ଶ୍ରୀଲଙ୍କା ତାମିଲ ଓ ରୋହିଙ୍ଗ୍ୟାମାନଙ୍କୁ ଆଶ୍ରୟ ଦେଇଛି। ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଉପୁଜିଥିବା ରାଜନୈତିକ ହିଂସାର ଗୋଟିଏ ମୁଖ୍ୟ କାରଣ ହେଉଛି ସେଠାର ବଂଶ ବା ଏଥନିସିଟି। ନାଗା, ମିଜୋ, ମେଇତି, ବୋଡ଼ୋ, ଖାସୀ, ଜୟନ୍ତିଆ, ଗାରୋ, କୁକି, ଅଙ୍ଗାମି, ଭୁତିଆ, ଆଦି ଜାତିର ସ୍ବତନ୍ତ୍ର ପରିଚୟ ରାଜନୀତିକୁ ନେଇ ସେଠାରେ ହିଂସା ଦେଖାଦେଇଛି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ନିଜନିଜର ରାଜ୍ୟ ପ୍ରଦାନ କରାଯାଇଛି। ଭାରତ ଅନ୍ୟାନ୍ୟ ଅଞ୍ଚଳରୁ କିମ୍ବା ବିଦେଶରୁ ଆସି ଅନ୍ୟ ଧର୍ମ ବା ଜା୍ତିର ଲୋକ ସେହି ଅଞ୍ଚଳରେ ବସବାସ କଲେ ସେମାନଙ୍କ ଜନସଂଖ୍ୟା ଢାଞ୍ଚାରେ ପରିବର୍ତ୍ତନ ଆସିବା ସମ୍ଭାବନା ଅଛି। ଉଲ୍ଲେଖଯୋଗ୍ୟ ଯେ ଜାତିଭିତ୍ତିକ ରାଷ୍ଟ୍ର ଗଠନ ଥିଲା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କ ପାଇଁ ଏକମାତ୍ର ସମାଧାନର ରାସ୍ତା। ସାମାଜିକ ଓ ସାଂସ୍କୃତିକ ବିବିଧତା ଆମ ସମାଜରେ ରାଜନୈତିକ ସମନ୍ବୟବାଦ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ତଥାପି ଆମ୍ଭେ ସହିଷ୍ଣୁତାରେ ବିଶ୍ବାସ କରୁ, ଅନ୍ୟର ସଂସ୍କୃତିିକୁ ସମ୍ମାନ ହେଉ। ସମସ୍ତ ଧର୍ମ, ସମ୍ପ୍ରଦାୟର ନିଜନିଜର ଇତିହାସ, ସଂସ୍କୃତି, ପରମ୍ପରାକୁ ଭାରତ ସଦାସର୍ବଦା ସ୍ବୀକୃତି ପ୍ରଦାନକରି ଆସିଛି। ଏହା ହେଉଛି ଭାରତୀୟ ବହୁ ସଂସ୍କୃତିବାଦର ଏକ ମୁଖ୍ୟ ବୈଶିଷ୍ଟ୍ୟ।
ମହାତ୍ମା ଗାନ୍ଧୀଙ୍କ ମତରେ, ହିଂସା ମନରୁ ଆରମ୍ଭ ହୋଇଥାଏ, ବାଣୀ ତାହାକୁ ପ୍ରକଟ କରେ ଏବଂ ଶରୀର ତାହାକୁ କାର୍ଯ୍ୟକାରୀ କରେ। ଅର୍ଥାତ କେବଳ ଶାରୀରିକ ଶକ୍ତି ନୁହେଁ, ବରଂ ମନ ଓ ବଚନ ହିଂସାର ମାଧ୍ୟମ ଅଟନ୍ତି। ଠିକ୍‌ ଏହାର ବିପରୀତ ଅହିଂସା ମଧ୍ୟ ମନ, ବଚନ ଓ କର୍ମଦ୍ବାରା ସ୍ଥାପିତ ହୋଇଥାଏ। ତେଣୁ ଅହିଂସା କେବେ ଅସଫଳ ହୁଏନାହିଁ। ଗାନ୍ଧୀ ଥରେ କହିଥିଲେ- ‘ମୁଁ ଖଣ୍ଡା ପରିତ୍ୟାଗ କରିବା କାରଣ ଏହା ନୁହେଁ ଯେ ମୋତେ ଖଣ୍ଡା ଚଳାଇବା ଜଣା ନାହିଁ ବା ବଳହୀନ ଅଟେ। ତଥାପି ମୁଁ ଏହାକୁ ପରିତ୍ୟାଗ କରିବାର କାରଣ ହେଲା ଯେ ଏଥିରେ କିଛି ଲାଭ ନାହିଁ।’ ଅହିଂସା କେବଳ ମୁନିଋଷି, ସାଧୁ-ସନ୍ଥଙ୍କ ପାଇଁ ନୁହେଁ। ବରଂ ଏହା ଦେଶର ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ଅହିଂସାର ଅନୁସନ୍ଧାନରେ ଥିବା ବ୍ୟକ୍ତି ନ୍ୟୁଟନଙ୍କଠାରୁ ଅଧିକ ପ୍ରଭାବଶାଳୀ, ​‌େ​‌ଓଲିଙ୍ଗଟନଙ୍କଠାରୁ ଅଧିକ ଯୋଦ୍ଧା ଅଟେ। ମଣିଷର ମୁକ୍ତି ହିଂସାରେ ନୁହେଁ, ବରଂ ଅହିଂସାରେ ଅଛି। ଏହି ମର୍ମରେ ଗାନ୍ଧିଜୀଙ୍କ ପ୍ରଭାବଶାଳୀ ବାଣୀ ହେଲା- ‘ମୁଁ କେବଳ ଗୋଟିଏ ମାର୍ଗ ଜାଣେ, ତାହା ହେଲା ଅହିଂସା। ଅତଏବ ସାମ୍ବିଧାନିକ ଉପାୟରେ ରାଜନୈତିକ ହିଂସାର ନିରାକରଣ କରାଯାଇପାରିବ ଏବଂ ଅହିଂସା ମାର୍ଗ ହେଉଛି ସମସ୍ତ ପ୍ରକାର ଧାର୍ମିକ,ସାମାଜିକ ଓ ରାଜନୈତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନର ଏକମାତ୍ର ରାସ୍ତା।’

Comments are closed.