ପୌର ନିର୍ବାଚନ ପୂର୍ବରୁ ରାଜନୈତିକ ବଳକଷା: ବିରୋଧୀ-ଶାସକ ଉଗ୍ରମୁଖା

ଭୁବନେଶ୍ୱର : ବିଧାନସଭା ଅଧାରୁ ବନ୍ଦ ହେବା ପରେ ରାଜ୍ୟ ରାଜନୀତିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦେଖା ଦେଇଥିବା ଉଷ୍ମତା ଥମିଯିବ ବୋଲି ସାଧାରଣରେ ଧାରଣା ଥିଲା; କିନ୍ତୁ ତାହା ଭୁଲ ପ୍ରମାଣିତ ହୋଇଛି। ପରୀ ହତ୍ୟା ଘଟଣାଠାରୁ ଆରମ୍ଭକରି ପାଠକ ଦୁର୍ନୀତିର ତଦନ୍ତ ଏବଂ ଜାତୀୟ ସ୍ତରରେ ଚାଷୀ ସମାବେଶ ଓ ଆନ୍ଦୋଳନ ଏବେ ରାଜ୍ୟରେ କ୍ଷମତାସୀନ ଆଞ୍ଚଳିକ ଦଳ ବିଜେଡ଼ି ଠାରୁ ଆରମ୍ଭ କରି ଜାତୀୟ ସ୍ତରର କଂଗ୍ରେସ ଓ ବି​‌ଜେପିକୁ ଅଧିକ ଉଗ୍ରମୁଖା କରିଛି।

ପରୀ ମାମଲାରେ ବିରୋଧୀ ନିଆଁରେ ଘିଅ ଢ଼ାଳୁଥିବାବେଳେ ପାଠକ ମାମଲାରେ ଶାସକ ଦଳ ନିଜର ତଥାକଥିତ ଦୁର୍ନୀତି ବିରୋଧୀ ଛବି ସର୍ବସାଧାରଣରେ ଅଧିକ ପ୍ରସାରିତ କରିବାକୁ ଲାଗିପଡ଼ିଛି। ସବୁଠୁ ରୋଚକ କଥା ହେଲା ଏବେ ଜାତୀୟ ସ୍ତରରେ ଚାଲିଥିବା ଚାଷୀ ଆନ୍ଦୋଳନରୁ ସବୁ ଦଳ ଭିନ୍ନ ଭିନ୍ନ ଢ଼ଙ୍ଗରେ ଫାଇଦା ଉଠାଇବା ଚକ୍କରରେ ଅଛନ୍ତି। କଂଗ୍ରେସ ଓ ବାମପନ୍ଥୀ ସମ୍ପୂର୍ଣ୍ଣ ବିରୋଧ କରୁଥିବାବେଳେ ବିଜେଡ଼ି ନିଜ ଢ଼ଙ୍ଗରେ ଚାଷୀ ସପକ୍ଷରେ ଥିବା ପ୍ରଚାର କରୁଛି।

ସେପଟେ ବିଜେଡ଼ି ରାଜ୍ୟବ୍ୟାପୀ ଚାଷୀ ସମାବେଶର ଡ଼କରା ବି ଦେଲାଣି ଓ ବିଜେପି କୃଷି ଆଇନର ଫାଇଦାକୁ ବୁଝାଇବା ଲାଗି ରାଜ୍ୟବ୍ୟାପୀ ସମାବେଶ କରିବାକୁ ଘୋଷଣା କରିଛି। ତେବେ ରାଜ୍ୟ ରାଜନୀତି ଏବେ ଚାଷୀ ଆନ୍ଦୋଳନ ତୁଳନାରେ ପରୀ ଓ ପାଠକ ମାମଲାକୁ ନେଇ ଅଧିକ ବେଶୀ ଚର୍ଚ୍ଚାରେ। ନୟାଗଡ଼ର ଶିଶୁ କନ୍ୟା ପରୀ ହତ୍ୟା ଘଟଣାରେ ଏ ପର୍ଯ୍ୟନ୍ତ ତଦନ୍ତ ଭାର ନେଇଥିବା ଏସଆଇଟି କିଛି କୁଳକିନାରା ପାଉ ନ ଥିବାବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ହଟଚମଟ ଜାରି ରଖିଛନ୍ତି। ବିଜେପି ଧାରଣା ଚଳାଇଥିବାବେଳେ କଂଗ୍ରେସରେ ଏ ପ୍ରସଙ୍ଗକୁ ନେଇ ଦଳୀୟ ନେତାଙ୍କ ଭିତରେ ଦ୍ୱିମତ ସତ୍ତ୍ବେ ମଝିରେ ମଝିରେ ସରକାରଙ୍କ ବିରୋଧରେ ବୟାନବାଜି ଚାଲିଛି।

ସବୁଠୁ ବଡ଼ କଥା ହେଲା ପରୀ ହତ୍ୟା ଭଳି ସ୍ପର୍ଶକାତର ଘଟଣାକୁ ବିରୋଧୀ ଆଦୌ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଆଗାମୀ ପୌର ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଅଧିକ ଶାଣିତ ଢ଼ଙ୍ଗରେ ସତେଜ ରଖିବାକୁ ଗୋଟି ଚଳାଉଛନ୍ତି। ନିକଟରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ନିଜ ଶକ୍ତି ପ୍ରଦର୍ଶନରେ ସଫଳ ହୋଇଛି।

ବିରୋଧୀ କଂଗ୍ରେସ ଆଶାନୁରୂପ ସଫଳତା ପାଇପାରିନି; ମାତ୍ର ବିଜେପି ନିଜ ଅକ୍ତିଆରରେ ଥିବା ଆସନଟିକୁ ହାତଛଡ଼ା କରିଦେଇଛି। ତଥାପି ରାଜ୍ୟରେ ଗତ ନିର୍ବାଚନରେ କଂଗ୍ରେସକୁ କାଟି ମୁଖ୍ୟ ବିରୋଧୀ ଦଳ ଆସନ ହାତେଇଥିବା ବିଜେପିର ଶକ୍ତି ଧୀରେ ଧୀରେ ରାଜ୍ୟରେ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ଦୀର୍ଘ ୨୦ ବର୍ଷ ଧରି ନିରଙ୍କୁଶ କ୍ଷମତା ବଜାୟ ରଖିଥିବା ବିଜେଡ଼ି ପାଇଁ ଆଗକୁ ଯେ ବଡ଼ ଆହ୍ୱାନ ରହିଛି ତାହା ବର୍ତ୍ତମାନର ରାଜନୈତିକ ପାଣିପାଗରୁ ବାରି ହୋଇପଡ଼ୁଛି। ସେଥିପାଇଁ ବିଜେଡ଼ି ନିଜ ସଙ୍ଗଠନକୁଏବେ ଅଧିକ ଶକ୍ତିଶାଳୀ କରିବାର ଉଦ୍ୟମ ଚଳାଇଛି।

ନିକଟରେ କଂଗ୍ରେସର ରାଜ୍ୟ ପ୍ରଭାରୀ ନୟାଗଡ଼ ଗସ୍ତରେ ଯାଇ ଯଦୁପୁର ଗ୍ରାମରେ ପରି ବାପ ମା’ଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ କଂଗ୍ରେସ ନେଇଥିବା ଭୂମିକାକୁ ସମର୍ଥନ କରିବା ସହିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିଥିଲେ। ଏଥିସହିତ କଂଗ୍ରେସ ଭିତରେ ଘର ସଜାଡ଼ିବା ପାଇଁ ବ୍ଲକ ପର୍ଯ୍ୟବେକ୍ଷକ ନିଯୁକ୍ତିଠାରୁ ଆରମ୍ଭ କରି ଯୁବ , ଛାତ୍ର ଓ ମହିଳା ସଙ୍ଗଠନକୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବାର ଗୁରୁମନ୍ତ୍ର ଦେଇ ଯାଇଛନ୍ତି। ତଥାପି ସାଙ୍ଗଠନିକ ଦୁର୍ବଳତା ଭିତରେ କଂଗ୍ରେସର ରାଜ୍ୟ ନେତୃତ୍ୱ ଦଳକୁ ବେଶୀ ଆଗକୁ କଢ଼ାଇ ନପାରିଲେ ବି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ପ୍ରୟାସ ଜାରି ରଖିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟର ପ୍ରମୁଖ ବିରୋଧୀ ବିଜେପି ଏବେ ପରୀ ଘଟଣାକୁ ଅଧିକ ତେଜୀୟାନ କରିଛି ଏବଂ ଏ ଘଟଣାକୁ ଜାବୁଡ଼ି ଧରି ରାଜ୍ୟବ୍ୟାପୀ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି। ଏଥିସହିତ ତାଳଦେଇ ବିଜେପିର ନବନିଯୁକ୍ତ ରାଜ୍ୟ ପ୍ରଭାବରୀ ଡି.ପୁରନ୍ଦେଶ୍ୱରୀ ଦଳୀୟ ମନବଳକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ନୟାଗଡ଼ର ପରୀ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିବା ସହିତ ଏ ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ତାଙ୍କର ଅଭିଯାନ କେବଳ ସେତିକିରେ ସୀମିତ ରହିନାହିଁ। ଭୁବନେଶ୍ୱରରେ ଦଳୀୟ ସାଙ୍ଗଠନିକ ଓ ପର୍ଯ୍ୟବେକ୍ଷକମାନଙ୍କ ବୈଠକରେ ଦଳକୁୁ ତୃଣମୂଳ ସ୍ତରରୁ ବୁଥ କମିଟିରୁ କିପରି ଅଧିକ ସଙ୍ଗଠିତ ଓ ଶକ୍ତିଶାଳୀ କରାଯିବ ସେ ବିଷୟରେ ଗୁରୁମନ୍ତ୍ର ଦେଇଯାଇଛନ୍ତି। ଏପରିକି ଶାସକ ବିଜେଡ଼ି ଓ ଏହାର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ଛାଡ଼ି ନାହାନ୍ତି। ରାଜ୍ୟରେ ସୁଶାସନ ନୁହେଁ କୁଶାସନ ଚାଲିଛି ଏବଂ ଲୋକେ ଅଫିସରଙ୍କୁ ନୁହେଁ ନବୀନଙ୍କୁ ଭୋଟ ଦେଇ କ୍ଷମତାକୁ ଆଣିଛନ୍ତି ବୋଲି କହି ସରକାରଙ୍କ ଶାସନର ଢ଼ାଞ୍ଚା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛନ୍ତି।

ବିଜେପି ଓ କଂଗ୍ରେସ ଭଳି ଜାତୀୟ ସ୍ତରର ଦଳଙ୍କ ମୁକାବିଲା ପାଇଁ ଏବେ ବିଜେଡ଼ି ଏହାର କସରତକୁ ଅଧିକ ଜୋରଦାର କରିବାକୁ ଯାଉଛି। ସହଜରେ ଆଗକୁ ରହିଛି ପୌର ନିର୍ବାଚନ। ଏଥିପାଇଁ ସରକାରୀ ଭାବେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିଲେ ହେଁ ଭିତରେ ଭିତରେ ଶାସକ ଦଳ ଏହାର ଗଡ଼ ସଜାଡ଼ିବା ଓ ସଙ୍ଗଠନକୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ ଆସନ୍ତା ସପ୍ତାହରେ ସାଙ୍ଗଠନିକ ବୈଠକରେ ରଣନୀତି ତିଆରି କରିବାକୁ ଯାଉଛି। ଏହି ଆଧାରରେ ବିଜେଡ଼ି ନେତୃତ୍ୱ ନୂଆବର୍ଷରେ ବିଜେଡ଼ି ସାଙ୍ଗଠନିକ ସ୍ତରରେ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ନବକଳେବର ଆଣିବାର ଅଭିପ୍ରାୟ ରଖିଛି।

Comments are closed.