MEllora 950×100

ସରକାର ଗଠନ ନେଇ ତତ୍ପରତା, ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାଧିକ ଆଶୟୀ

ଶିମଳା :  ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ଟି ଆସନରେ ବିଜୟୀ ହେବାପରେ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି।  ହିମାଚଳ ପ୍ରଦେଶ କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହ କହିଛନ୍ତି ନବ ନିର୍ବାଚିତ ନେତାମାନେ ଖୁବ୍‌ଶୀଘ୍ର କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ହାଇକମାଣ୍ଡଙ୍କୁ ଅବଗତ କରିବେ। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାଧିକ ବ୍ୟକ୍ତି ଆଶୟୀ ଥିବାରୁ ତାହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ଅନ୍ୟ ପକ୍ଷରେ ନବ ନିର୍ବାଚିତ କଂଗ୍ରେସ ବିଧାୟକମାନେ ଆଜି ଶିମଳାରେ ବିଧାୟକ ଦଳ ବୈଠକରେ ନେତା ଚୟନ କରିବେ। ଏହି ବୈଠକରେ ଭୁପେଶ ବଘେଲ ଏବଂ ଭୁପେନ୍ଦ୍ର ସିଂହ ହୁଦା ଅଧ୍ୟକ୍ଷତା କରିବେ। ଦଳର ଅଧ୍ୟକ୍ଷ ଏମାନଙ୍କୁ ବିଧାୟକ ଦଳ ନେତା ଚୟନ କରିବାର ଦୟୀତ୍ବ ଦେଇଛନ୍ତି । ହିମାଚଳ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରଭାରୀ ରାଜୀବ ଶୁକ୍ଲା ଏଥିରେ ସହ ଅଧ୍ୟକ୍ଷତା କରିବେ। ଏହି ପଦ ପାଇଁ ଅନେକ ଦାବିଦାରଙ୍କ ମଧ୍ୟରୁ କଂଗ୍ରେସ ବର୍ତ୍ତମାନ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିବା ନେଇ ଆହ୍ବାନର ସମ୍ମୁଖୀନ ହୋଇଛି।

ସୂଚନା ଯୋଗ୍ୟ ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏଥର ୪୦ଟି ଆସନ ମିଳିଛି। ସେଠାରେ ବିଜେପିକୁ ୨୫ଟି ଆସନ ମିଳିଥିବା ବେଳେ ନିର୍ଦଳୀୟ ପ୍ରାର୍ଥୀମାନେ ୩ଟି ଆସନ ହାସଲ କରିଛନ୍ତି । ନିର୍ବାଚନ ଜିତିଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ କଂଗ୍ରେସର ମୁକେଶ ଅଗ୍ନିହୋତ୍ରୀ, ସୁଖବିନ୍ଦର ସିଂ ଓ ବିକ୍ରମାଦିତ୍ୟ ସିଂ ଅଛନ୍ତି। ଏହି ନିର୍ବାଚନରେ କଂଗ୍ରେସକୁ ୪୩ .୯୦ ପ୍ରତିଶତ ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୪୩ ପ୍ରତିଶତ ଭୋଟ୍‌ ମିଳିଛି।

ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସେରାଜ୍‌ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କୁ ୩୮ହଜାରରୁ ଅଧିକ ଭୋଟ୍‌ରେ ହରାଇ ବିଜୟୀ
ହୋଇଛନ୍ତି । ତେବେ ଦଳ ପରାଜିତ ହୋଇଥିବାରୁ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଜନମତକୁ ସ୍ୱୀକାର କରିବା ସହିତ ନୂତନ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Comments are closed.