୮ ଦିନରେ ମିଳିଲେ ୮୯୪ ନିଖୋଜ ଶିଶୁ

ଭୁବନେଶ୍ବର: ଓଡ଼ିଶାରେ ନିଖୋଜ ପିଲାଙ୍କୁ ଉଦ୍ଧାର ଓ ଖୋଜିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ଏହି ସ୍ବତନ୍ତ୍ର ଅଭିଯାନ ଜାନୁଆରୀ ୧୮ରୁ ୨୫ ପର୍ଯ୍ୟନ୍ତ ଚାଲିଥିଲା। ସାରା ରାଜ୍ୟରେ ଏହି ସ୍ବତନ୍ତ୍ର ଅଭିଯାନରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୯୪ଜଣ ବାଳକ ଓ ୮୦୦ଜଣ ବାଳିକା ରହିଛନ୍ତି। ନିଖୋଜ ପିଲାମାନଙ୍କ ବିଷୟରେ ରୁଜୁ ହୋଇଥିବା ୮୩୪ ମାମଲା ଆଧାରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ସ୍ବତନ୍ତ୍ର ଅଭିଯାନରେ କେନ୍ଦ୍ରାପଡ଼ା ଜିଲା ୧୨୭ ପିଲାଙ୍କୁ ଉଦ୍ଧାର କରିଥିବାବେଳେ ମୟୁରଭଞ୍ଜ ୧୧୧ ଏବଂ ବାଲେଶ୍ବର ୮୮ ଉଦ୍ଧାର କରିଛି। ରାଜ୍ୟର ବିଭିନ୍ନ ଜିଲା ଆରକ୍ଷୀ ଅଧୀକ୍ଷକ(ଏସ୍‌ପି)ଙ୍କ ଦ୍ବାରା କରାଯାଇଥିବା ଏହି କାର୍ଯ୍ୟକୁ ପୁଲିସ ଡିଜି ଅଭୟ ପ୍ରଶଂସା କରିଛନ୍ତି ବୋଲି କମିଶନରେଟ୍‌ ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

file photo

ପୁଲିସ ଡିଜି ଅଭୟ କହିଛନ୍ତି ଯେ ରାଜ୍ୟରେ ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୁଲିସ ପକ୍ଷରୁ ୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଓଡ଼ିଶା ପୁଲିସର ସ୍ବତନ୍ତ୍ର ଅଭିଯାନ ଅନୁଯାୟୀ ଜାନୁଆରୀ ୧୮ରୁ ୨୫ ପର୍ଯ୍ୟନ୍ତ ନିଖୋଜ ପିଲା ଉଦ୍ଧାର ଚାଲିଥିଲା। ଉଦ୍ଧାର ୮୯୪ ପିଲାଙ୍କ ମଧ୍ୟରୁ ୯୪ ବାଳକ ଓ ୮୦୦ ବାଳିକା ରହିଛନ୍ତି। ଉଦ୍ଧାର ପିଲାଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରୁ ସର୍ବାଧିକ ୧୨୭ ଅଛନ୍ତି। ମୟୁରଭଞ୍ଜ ଜିଲାରୁ ୧୧୧ ଏବଂ ବାଲେଶ୍ବର ଜିଲାରୁ ୮୮ଜଣ ଉଦ୍ଧାର ହୋଇଛନ୍ତି ବୋଲି ପୁଲିସ ଡିଜି ପ୍ରକାଶ କରିଛନ୍ତି।

Comments are closed.