ୟୁପି ପୁଲିସ୍‍ ନିଯୁକ୍ତିକୁ ନେଇ ବିଷ ଖାଇଲେ ୫ ପ୍ରଦର୍ଶନକାରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁଲିସ୍‍ ଚାକିରି ନିଯୁକ୍ତି ପାଇଁ ୨୦୧୩ରେ ପରୀକ୍ଷା ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହୋଇଥିଲେ ବି ଏପର୍ଯ୍ୟନ୍ତ ଉତ୍ତୀର୍ଣ୍ଣଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଏହାକୁ ନେଇ ପୁଲିସ୍‍ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ଯୁବକମାନେ ସୋମବାର ହୁସେନଗଞ୍ଜସ୍ଥିିତ ନିଯୁକ୍ତି ବୋର୍ଡ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ମାତ୍ର ପୁଲିସ୍‍ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ କରିଥିଲା। ଏଥିରେ କିଛି ପ୍ରଦର୍ଶନକାରୀ ଆହତ ହୋଇଥିଲେ। ପରେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ୫ ଜଣ ବିଷ ଖାଇଦେଇଥିଲେ। ବିଷ ଖାଇଥିବା ଚାକିରି ଆଶାୟୀଙ୍କୁ ସିଭିଲ ହସ୍ପିଟାଲ ଓ ଲୋକବନ୍ଧୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଏହା ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।
ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ପୁଲିସରେ ନିଯୁକ୍ତି ପାଇଁ ୨୦୧୩ରେ ବିଜ୍ଞାପନ ବାହାରିଥିଲା ଓ ସେହି ବର୍ଷ ଶାରୀରିକ, ଲିଖିତ ପରୀକ୍ଷା ପ୍ରକ୍ରିୟା ଶେଷ ହୋଇ ଫଳ ପ୍ରକାଶ ପାଇଥିଲା। ମାତ୍ର ଏଥିରେ ଉତ୍ତୀର୍ଣ୍ଣ ଯୁବକଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳିନାହିଁ। ଫଳରେ ଚାକିରି ଆଶାୟୀ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ଏହାକୁ ନେଇ ସୋମବାର ନିଯୁକ୍ତି ବୋର୍ଡ ଆଗରେ ଚାକିରି ଆଶାୟୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ପୁଲିସ୍‍ ସେମାନଙ୍କ ଉପରେ ଲାଠି ଚାଳନା କରିବା ସହ ବସରେ ଭର୍ତ୍ତି କରି ନେଇଯାଇଥିଲା। କିଛି ଚାକିରି ଆଶାୟୀ ବିଷ ଖାଇବା ପରେ ଉତ୍ତରପ୍ରଦେଶରେ ଉତ୍ତେଜନା ପ୍ରକାଶ ପାଇଛି।

Comments are closed.