୧୩ ଶୁଆଙ୍କୁ କୋର୍ଟରେ ହାଜର କଲା ପୁଲିସ

ନୂଆଦିଲ୍ଲୀ: ସାଧାରଣତଃ କୌଣସି ମାମଲାର ଅଭିଯୁକ୍ତ କିମ୍ବା ପୀଡ଼ିତ ଅଥବା ସାକ୍ଷୀମାନଙ୍କୁ କୋର୍ଟରେ ହାଜର କରାଯାଉଥିବା ଦେଖିବାକୁ ମିଳିଥାଏ। କିନ୍ତୁ ବୁଧବାର ଦିଲ୍ଲୀର ଏକ କୋର୍ଟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସବୁଠୁ ଭିନ୍ନ ଥିଲା। ପୁଲିସ ପିଞ୍ଜରାରେ ବନ୍ଦ ଥିବା ୧୩ ଶୁଆଙ୍କୁ ଧରି କୋର୍ଟରେ ପହଞ୍ଚିଥିଲା। ପରେ ସେମାନଙ୍କୁ ବିଚାରପତିଙ୍କ ସମ୍ମୁଖକୁ ନିଆଯାଇଥିଲା।

ପ୍ରକୃତରେ କଥାଟି ହେଉଛି ଜଣେ ଉଜବେକିସ୍ତାନର ନାଗରିକଙ୍କ ପାଇଁ ଶୁଆମାନଙ୍କୁ କୋର୍ଟକୁ ଆଣିବାକୁ ପଡ଼ିଥିଲା। ରଖମତଜୋନୋବ ନାମକ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଆଇଏସଏଫ ଯବାନମାନେ ଧରିଥିଲେ। ବ୍ୟକ୍ତି ଜଣକ ଭିନ୍ନ ଭିନ୍ନ ଡବାରେ ଶୁଆମାନଙ୍କୁ ରଖି ନିଜ ଦେଶକୁ ଚାଲାଣ କରୁଥିଲେ। ଡବାଗୁଡ଼ିକ ଯାଞ୍ଚ ବେଳେ ଜୀବନ୍ତ ଶୁଆଙ୍କୁ ଉଦ୍ଧାର କରାଯାଇଥିଲା। ଆଇନ ଅନୁସାରେ, କୌଣସି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସହିତ ତାଙ୍କଠାରୁ ଜବତ ସାମଗ୍ରୀ ଅଥବା କୌଣସି ସମ୍ପତ୍ତିକୁ କୋର୍ଟରେ ହାଜର କରାଇବା ଜରୁରୀ। ଏଥିପାଇଁ ଏହି ଶୁଆମାନଙ୍କୁ କୋର୍ଟରେ ହାଜର କରିବାକୁ ପଡ଼ିଥିଲା। ପରେ କୋର୍ଟଙ୍କ ଆଦେଶ ପରେ ଶୁଆମାନଙ୍କ ଦେଖାରଖା ପାଇଁ ଓଖଲା ପକ୍ଷୀ ଅଭୟାରଣ୍ୟର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା।

ଅନ୍ୟପଟେ କଷ୍ଟମ ବିଭାଗ ଅଭିଯୁକ୍ତ ବିରୋଧରେ ବନ୍ୟଜନ୍ତୁ ଆଇନ ଅନୁସାରେ ମାମଲା ରୁଜୁ କରିଛି। ଭାରତରୁ ବାହାରକୁ ଶୁଆ ଚାଲାଣ ଉପରେ କଟକଣା ରହିଥିବାରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। କୋର୍ଟ ଅଭିଯୁକ୍ତଙ୍କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଶୁଆଗୁଡ଼ିକୁ ପୁରୁଣା ଦିଲ୍ଲୀ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କଠାରୁ କିଣିଥିବା କହିଛି।

Comments are closed.