ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା, ଡାଏରିରୁ ମିଳିଲା ସୁଇସାଇଡ୍‌ ନୋଟ୍‌

ସବୁ କିଛି ଅଧୁରା ରହିଲା...ମଦବିରୋଧୀ ଆନ୍ଦୋଳନ କାଳ ହେଲା !

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ଷ୍ଟେସନ ରେଳଧାରଣାରୁ ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାସଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ଘଟଣାର ତଦନ୍ତ ତଦାରଖ କରିବା ଲାଗି ରେଳବାଇ ଏସ୍‌ପି ଅଶୋକ କୁମାର ବିଶ୍ବାଳ ଏକ ଟିମ୍‌ ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏସପିଙ୍କ ସହିତ ଡିଏସପି ଚନ୍ଦ୍ରଶେଖର ସାହୁ, ଏସଆଇ ବିକାଶ ପଲାଇ, ଏଏସଆଇ ନରେନ୍ଦ୍ର ପ୍ରସାଦ ଜେନା ଓ ତଦନ୍ତାକାରୀ ଅଧିକାରୀ ଏଏସଆଇ ରାମଚନ୍ଦ୍ର ହାତୀ ପ୍ରମୁଖ ଘଟଣାସ୍ଥଳ ଓ ଆଦିତ୍ୟ ରହୁଥିବା ଭଡ଼ା ଘର ଏବଂ ତାଙ୍କ ଟ୍ରଷ୍ଟ ଦ୍ବାରା ପରିଚାଳିତ ବୃଦ୍ଧାଶ୍ରମକୁ ଏହି ଟିମ୍‌ ଯାଇ ତଦନ୍ତ କରିଛି। ଏହାସହତ ଆଦିତ୍ୟଙ୍କ ବାପା, ମାଆ, ପତ୍ନୀ ଏବଂ ନିକଟସ୍ଥ ବନ୍ଧୁଙ୍କୁ ପୁଲିସ ପଚରାଉଚରା କରିଛି। ଆଦିତ୍ୟଙ୍କ ଘରୁ ଜବତ ହୋଇଥିବା ଏକ ଡାଏରିରେ ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।

ସେ ଆତ୍ମହତ୍ୟା କରିବା ପୂର୍ବରୁ ଏସବୁ ଲେଖିଥିବା ଯଦିଓ ଜଣାପଡୁଛି ତଥାପି ଏହା ତାଙ୍କ ହାତଲେଖା କି ଅନ୍ୟ କେହି ଲେଖିଛି, ସତ୍ୟତା ଜାଣିବା ଲାଗି ଫୋରେନ୍‌ସିକ୍‌ ଲାବୋରେଟୋରିକୁ ପଠାଇବ ବୋଲି ଏସ୍‌ପି ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି। ୪ ପୃଷ୍ଠାର ଏହି ଚିଠି ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ଯଦିଓ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ବେଳେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ତଥାପି ବ୍ୟବଚ୍ଛେଦ ରିପୋର୍ଟ ନ ମିଳିବା ପୂର୍ବରୁ ସେ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ପୁଲିସ ବୁଦ୍ଧାଶ୍ରମର ପ୍ରତିଟି ସଦସ୍ୟଙ୍କୁ ପଚାରିଥିବା ଜଣାପଡିଛି। ତେବେ ନିଜର ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରି ନାହାନ୍ତି। ଏପରିକି ତାଙ୍କ ପରେ ଆଶ୍ରମ କିପରି ଚାଲିବ ସେଥିପାଇଁ ସବୁ କିଛି ବନ୍ଦୋବସ୍ତ କରି ଚାଲି ଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତାଙ୍କର ପ୍ରଶଂସକଙ୍କ ମନରେ ଏବେ ଅସୁମାରୀ ପ୍ରଶ୍ନ। ହେଲେ ଆଦିତ୍ୟଙ୍କ ଡାଏରି ମିଳିବା ପରେ ସେ ଆତ୍ମହତ୍ୟା କରିବା ନେଇ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏହି ଘଟଣା ଅନୁଧ୍ୟାନ ଲାଗି ପ୍ରତ୍ୟକ୍ଷ ଭାବେ ଘଟଣାସ୍ଥଳ ପରିଦର୍ଶନ କରିବାକୁ ରେଳବାଇ ଏସ୍‌ପି ଶ୍ରୀଲିଙ୍ଗରାଜ ଷ୍ଟେସନକୁ ଯାଇ ଅନୁଧ୍ୟାନ କରିଥିଲେ। ତେବେ ରେଳଷ୍ଟେସନରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ଆଦିତ୍ୟ ବସିଥିବା କିଛି ବସ୍ତିବାସିନ୍ଦା ତାଙ୍କୁ ଦେଖିଥିଲେ। ଏପରିକି କିଛି ଲୋକ ତାଙ୍କୁ କାହିଁକି ଏକାକୀ ବସିଛନ୍ତି ବୋଲି ପଚାରିଥିଲେ। ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ୪ଟି ଗୁଡ୍‌ସ ଏବଂ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଖୋର୍ଦ୍ଧା ରୋଡ଼ରୁ ଭୁବନେଶ୍ବର ଷ୍ଟେସନକୁ ଆସିଛି। ତେଣୁ କୌଣସି ଏକ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥାଇପାରେ ବୋଲି ଏସ୍‌ପି ଅଶୋକ ବିଶ୍ବାଳ କହିଛନ୍ତି। ଏନେଇ ତଦନ୍ତ କରାଯାଉଛି।

ତେବେ ଆଦିତ୍ୟଙ୍କ ଡାଏରିରୁ ସୁଇସାଇଡ୍‌ ନୋଟ୍‌ ମିଳିବା ପରେ ତାଙ୍କ ପାଇଁ ମଦ ବିରୋଧୀ ଅଭିଯାନ କାଳ ହେଲା ବୋଲି ସେ ଏକପ୍ରକାର ସୂଚାଇ ଦେଇଛନ୍ତି। ଦେଶ ପାଇଁ ତାଙ୍କର ବହୁତ କିଛି କରିବା ଲାଗି ଇଚ୍ଛା ଥିଲା। ସେସବୁ ଅଧୁରା ରହିଗଲା ବୋଲି ସେ ଉଲ୍ଲେଖ କରିଛନ୍ତି। ମଦ ବିରୋଧୀ ଅଭିଯାନ ପାଇଁ ତାଙ୍କୁ ଧମକ ମିଳୁଥିଲା ବୋଲି ପରିବାର ଲୋକେ ପୁଲିସକୁ କହିଛନ୍ତି। କେହି ବ୍ୟକ୍ତି ‘ତୁ ମଦ ବିକ୍ରି ବନ୍ଦ କରିଦବୁ ବୋଲି ଭାବୁଛୁ’ ଏଭଳି ଧମକପୂର୍ଣ୍ଣ କଲ୍‌ କରୁଥିଲେ। ଦେଶରୁ ମଦ ହଟିଲେ ତାଙ୍କୁ ଶାନ୍ତି ମିଳିବ ବୋଲି ସେ ଲେଖିଛନ୍ତି।

Comments are closed.