ପାଙ୍ଗାବାଜୁ ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ଗୁଳି ବିନିମୟ

ଫୁଲବାଣୀ : କନ୍ଧମାଳ ଜିଲାରେ ପୁଣିଥରେ ପୁଲିସ୍‍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ବାଲିଗୁଡା ଥାନା ଅନ୍ତର୍ଗତ କଳାହାଣ୍ଡି ସୀମାନ୍ତ ପାଙ୍ଗାବାଜୁ ଜଙ୍ଗଲରେ ଆଜି ପୁଲିସ୍‍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି।
ଉକ୍ତ ଜଙ୍ଗଲରେ ମାଓ ଚଳପ୍ରଚଳ ନେଇ କୌଣସି ସୂତ୍ରରୁ ସୂଚନା ପାଇ କନ୍ଧମାଳ ଏସପି ସଂପୃକ୍ତ ଜଙ୍ଗଲରେ କମ୍ବିଂ ଅପରେସନ ପାଇଁ ନିର୍ଦେଶ ଦେଇଥିଲେ। ଆଜି ଭୋରରୁ ଏସଓଜି ଓ ଡିବିଏଫ ଟିମ୍‍ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ମାଓବାଦୀ ଓ ପୁଲିସ୍‍ ମଧ୍ୟରେ ସାମନାସାମନି ହେବା ସହ ଗୁଳି ବିନିମୟ ହୋଇଥିଲା । ଦୀର୍ଘ ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ। ପରେ ସର୍ଚ୍ଚ ଅପରେସନ କରି ପୁଲିସ୍‍ ଟିମ୍‍ ମାଓ କ୍ୟାମ୍ପରୁ ବନ୍ଧୁକ ସମେତ କିଛି ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ତେବେ କେହି ମୃତାହତ ହୋଇଛନ୍ତି ନା ନାହିଁ ତାହା ତତ୍କାଳ ଜଣାପଡିନି। ଅପରେସନ ଟିମ୍‍ ଫେରିନଥିବାରୁ ବିଶେଷ କିଛି ଜଣାପଡିନି ବୋଲି କହିଛନ୍ତି କନ୍ଧମାଳ ଏସପି ଭିନିତ୍‍ ଅଗ୍ରୱାଲ। ବୁଧବାର ଏନେଇ ସଂପୂର୍ଣ୍ଣ ତଥ୍ୟ ମିଳିବ ବୋଲି ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ ଯେ ଗତ ୯ ତାରିଖରେ କଳାହାଣ୍ଡି ପୁଲିସ୍‍ ପକ୍ଷରୁ ବେଲଘର ଥାନା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୫ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ଏସଓଜି ଯବାନ ସହିଦ୍‍ ହୋଇଥିଲେ। ଏଥିପୂର୍ବରୁ ଗତ ଜୁଲାଇ ମାସରେ କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ସିର୍ଲା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ତିନିଥର ଗୁଳିବିନିମୟ ହୋଇଥିଲା। ସେଥିରେ ୭ଜଣ ମାଓବାଦୀ ନିହତ ହୋଇଥିଲେ।

Comments are closed.