ଆଇନଜୀବୀ-ପୁଲିସ ବିବାଦ ; ବାର୍‌ ପ୍ରତିନିଧି-ଡିଜିପି ଆଲୋଚନା ଆଜି

0

କଟକ : ଆଇନଜୀବୀଙ୍କୁ ପୁଲିସର ଆକ୍ରମଣ ଓ ମାଡ଼ ମାରିବା ମାମଲାର ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ ଶୁକ୍ରବାର ହାଇକୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିବାରେ ବିଫଳ ହୋଇଛି। ଫଳରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଅଦାଲତ ଆସନ୍ତା ୧୨ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ପୁଲିସ କର୍ମଚାରୀମାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋମବାର ସୁଦ୍ଧା ଏନେଇ ଜଣାଇବାକୁ ସରକାରଙ୍କୁ ଅଦାଲତ ନିର୍ଦେଶ ଦେଇଛନ୍ତି। ମାମଲାର ବିଚାର ଚାଲିଥିବାବେଳେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ନିଲମ୍ବନ କାହିଁକି ପ୍ରତ୍ୟାହାର କରାଗଲା ବୋଲି ଆଇନଜୀବୀଙ୍କ ପକ୍ଷରୁ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅପରପକ୍ଷରେ ମାମଲାର ଶୁଣାଣି ଘୁଞ୍ଚିବା ସହ କୌଣସି ସମାଧାନ ବାହାରି ନଥିବାରୁ ଦୀର୍ଘ ୭୩ ଦିନ ଧରି ଆନ୍ଦୋଳନ ଚଳାଇଥିବା ଆଇନଜୀବୀମାନେ ପୁନର୍ବାର ଏହାକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଉଭୟ ହାଇକୋର୍ଟ ବାର୍‌ ଓ ପୁଲିସ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଲାଗି ଖୋଦ୍ ପୁଲିସ ମହାନିର୍ଦେଶକ ଆଲୋଚନା ଲାଗି ଏକ ଉଦ୍ୟମ କରିଛନ୍ତି। ଏହି ମର୍ମରେ ସେ ଯେଉଁ ଚିଠି ଦେଇଛନ୍ତି ତାହାକୁ ବାର୍‌ ଗ୍ରହଣ କରି ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ଦେବାକୁ ପ୍ରତ୍ୟୁତ୍ତର ଦେଇଛି। ତେବେ ଆଲୋଚନା ତୃତୀୟ ସ୍ଥାନରେ ହେବାକୁ ଥିବାରୁ ସୋମବାର ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବାର୍ ପକ୍ଷରୁ ସୂଚନା ଦିଆଯାଇଛି।
ଶୁକ୍ରବାର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ରିପୋର୍ଟ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ୬ ସପ୍ତାହ ମହଲତ ଲୋଡ଼ା ଯାଇଥିଲା। ମାତ୍ର କୋର୍ଟ ଏହାକୁ ଗ୍ରହଣ କରି ନଥିଲେ ଏବଂ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ ମାମଲା ବିଚାରାଧୀନ ଥିବାବେଳେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତି କ’ଣ ପାଇଁ ନିଆଗଲା, ତେଣୁ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ଏ ସଂପର୍କରେ ଆସନ୍ତା ସୋମବାର ଜଣାଇବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଏହି ମାମଲାରେ କୋର୍ଟ ଶୁଣାଣି କରି ତଦନ୍ତର ଅନୁଧ୍ୟାନ ପାଇଁ ହାଇକୋର୍ଟ କାର୍ଯ୍ୟରତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଆଇନଜୀବୀଙ୍କୁ ପୁଲିସର ମାଡ଼ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯିବା ସହ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ପାଇଁ ଆବେଦନପତ୍ରରେ ଦର୍ଶାଯାଇଛି। ସେହିପରି କଟକ ବାର ଆସୋସିଏସନ ପକ୍ଷରୁ ଦାୟର ମାମଲାରେ ଏହି ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବା ପାଇଁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରାଯାଇ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦର୍ଶାଯାଇଛି। ଆହତ ତଥା ନିଜସ୍ୱ ଖ୍ୟାତି ହରାଇଥିବା ଆଇନଜୀବୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନପତ୍ରରେ ପ୍ରାର୍ଥନା କରାଯାଇଛି।
ଅପରପେକ୍ଷରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜକୁ ୭୩ଦିନରେ ପହଞ୍ଚିଥିବାବେଳେ ଆନ୍ଦୋଳନ ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶୁକ୍ରବାର ପୁଣି ନିଷ୍ପତ୍ତି ନିଆଯାଇଥିବା ବାର ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଲୋଚନା ମାଧ୍ୟମରେ ଉକ୍ତ ଘଟଣାର ସମାଧାନ ପାଇଁ ବାର ଆସୋସିଏସନକୁ ଡିଜିପି ଏକ ଚିଠି ଦେଇଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ଆଲୋଚନା ପାଇଁ ତୃତୀୟ ସ୍ଥାନ ଧାର୍ଯ୍ୟ କରିବା ପାଇଁ ଏହି ଚିଠିରେ କୁହାଯାଇଛି। ତେବେ ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବାର ସଂପାଦକ ଶ୍ରୀ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ ଅଗଷ୍ଟ ମାସ ୨୮ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ଓ ଆକ୍ରମଣ ପ୍ରତିବାଦରେ ୨୯ତାରିଖଠାରୁ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁ ହାଇକୋର୍ଟ, କ୍ୟାଟ୍‍, ସ୍ୟାଟ୍‍, ଡିଆରଟି ଆଦି ବିଭିନ୍ନ ଜିଲ୍ଲାର ଜିଲ୍ଲା ଅଦାଲତ ସମେତ ନିମ୍ନ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି। ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply