ଅକ୍ସିଜେନ ସରୁ ସରୁ ଟ୍ୟାଙ୍କର ଧରି ହସ୍ପିଟାଲରେ ପହଞ୍ଚିଲା ପୁଲିସ, ବର୍ତ୍ତିଲା ଅନେକ ଜୀବନ

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍‌ ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ମିଳୁନାହିଁ। ସେପଟେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ଜୀବନ ଚାଲିଯାଉଛି। ଏଭଳି ସ୍ଥିତିରେ ଅକ୍ସିଜେନ ଯୋଗାଣରେ ଦିଲ୍ଲୀ ପୁଲିସର ତତ୍ପରତା ଯୋଗୁ ଅନେକ ରୋଗୀଙ୍କ ଜୀବନ ବର୍ତ୍ତିଯାଇଛି।

ଘଟଣାଟି ବାତ୍ରା ହସ୍ପିଟାଲର। ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ ଦିଲ୍ଲୀ ପୁଲିସକୁ କଂଟ୍ରୋଲ ରୁମ୍‌ ଜରିଆରେ ଏକ ଫୋନ କଲ୍‌ ଆସିଥିଲା। କଲ୍‌ କରିଥିଲେ ବାତ୍ରା ହସ୍ପିଟାଲର ମୁଖ୍ୟ ଇଞ୍ଜିନିୟର ଆର.କେ. ବନିୱାଲ। ହସ୍ପିଟାଲରେ ଅକ୍ସିଜେନ ସରିବାକୁ ବସିଛି। ଯେତିକି ଅକ୍ସିଜେନ ରହିଛି ତାହା ମାତ୍ର ୨ ଘଣ୍ଟା ପର୍ଯ୍ୟନ୍ତ ଯିବ। ହସ୍ପିଟାଲରେ ପ୍ରାୟ ୩୫୦ କୋଭିଡ ରୋଗୀ ଚିକିତ୍ସିତ ହେଉଛନ୍ତି। ୨ ଘଣ୍ଟା ପରେ ପୁଣି କେବେ ସେମାନଙ୍କୁ ଅକ୍ସିଜେନ ମିଳିବ ସେ ନେଇ ସେମାନେ ନିଶ୍ଚିତ ନୁହନ୍ତି। ପୁଲିସକୁ ଏପରି ସୂଚନା ଦେଇ ସହାୟତା ମାଗିଥିଲେ ମୁଖ୍ୟ ଇଞ୍ଜିନିୟର ବନିୱାଲ।

ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ପୁଲିସ ବିଚଳିତ ନ ହୋଇ ଆରମ୍ଭ କରିଥିଲା ଏକ ଅପରେଶନ। ଦକ୍ଷିଣ ଦିଲ୍ଲୀ ଡିସିପିଙ୍କ ନେତୃତ୍ଵରେ ଅତିରିକ୍ତ ଡିସିପି-୧, ସଙ୍ଗମ ବିହାର ଏସିପି ପ୍ରମୁଖଙ୍କ ସମେତ କିଛି ଇନ୍ସପେକ୍ଟର ଏବଂ ଏସଏଚଓ ତୁରନ୍ତ ପହଞ୍ଚିଥିଲେ। ପୁଲିସ କର୍ମଚାରୀମାନଙ୍କୁ ନେଇ ଏକାଧିକ ଟିମ୍‌ ଗଠନ କରାଯାଇଥିଲା। ଆରମ୍ଭ ହୋଇଯାଇଥିଲା ଅକ୍ସିଜେନ ଯୋଗାଡ଼। ବରିଷ୍ଠ ଅଧିକାରୀମାନେ ପ୍ରତି ମିନିଟ୍‌କୁ ଗୁରୁତ୍ଵ ଦେଇ ଅପରେଶନକୁ ଆଗକୁ ନେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ, ଇଞ୍ଜିନିୟର ଏବଂ ଡାକ୍ତରମାନଙ୍କ ସହ ପୁଲିସ ସମନ୍ବୟ ରଖିବା ପରେ ପାନିପତ ଏବଂ ମୋଦୀ ନଗରରୁ ୨ଟି ଅକ୍ସିଜେନ ଟ୍ୟାଙ୍କର ଆସିବାର ଥିବା ଜାଣିବାକୁ ପାଇଥିଲା। କିନ୍ତୁ ଟ୍ୟାଙ୍କର ଆଣି ଆସୁଥିବା ଗାଡ଼ିର ଡ୍ରାଇଭରଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିଲା। ପୁଲିସ ତ୍ଵରିତ ପଦକ୍ଷେପ ନେଇ ନୋଡ଼ାଲ ଅଫିସର ଏବଂ ଅକ୍ସିଜେନ ଯୋଗାଣକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିଥିଲା।

ଏହି ସମୟ ମଧ୍ୟରେ ଗୋଟିଏ ପୁଲିସ ଟିମ ୬୦ଟି ଖାଲି ଅକ୍ସିଜେନ ସିଲିଣ୍ଡର ଧରି ସେଗୁଡ଼ିକୁ ଭରିବାକୁ ବଦରପୁରସ୍ଥିତ ମୋହନ କୋଅପରେଟିଭ ଅଞ୍ଚଳରେ ପହଞ୍ଚିଥିଲା। ଅନ୍ୟ ଏକ ଟିମ୍‌ ପାନିପତ ଏବଂ ମୋଦୀ ନଗରରୁ ଆସୁଥିବା ୨ଟି ଅକ୍ସିଜେନ ଟ୍ୟାଙ୍କରକୁ ଏସକର୍ଟ ଯୋଗାଇବାକୁ ଯାଇଥିଲା। ଶେଷରେ ରାତି ପ୍ରାୟ ସାଢ଼େ ୧୨ଟାରେ ପୁଲିସ ଅକ୍ସିଜେନ ସହିତ ବାତ୍ରା ହସ୍ପିଟାଲରେ ପହଞ୍ଚିଥିଲା। ସେତେବେଳକୁ ହସ୍ପିଟାଲରୁ ଅକ୍ସିଜେନ ସରି ଆସିଥିଲା। ତୁରନ୍ତ ଅକ୍ସିଜେନ ଯୋଗାଣ ହେବାରୁ ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିଥିଲା। ପୁଲିସକୁ ଏହି ଅପରେଶନ ପାଇଁ ୩ ଘଣ୍ଟା ସମୟ ଲାଗିଥିଲା।

Comments are closed.